ବିଜେପିର ଧର୍ମଶାଳା ଅଙ୍କ ଭୁଲ ପ୍ରମାଣିତ କଲେ ଲିକୁ 

ବିଜେପିର ଧର୍ମଶାଳା ଅଙ୍କ ଭୁଲ ପ୍ରମାଣିତ କଲେ ଲିକୁ 


ମୋତେ ଟିକଟ ଦିଅ ମୁଁ ଜିତିକି ଆସିବି । ହେଲେ ବିଜେପି ଲିକୁଙ୍କ ବଦଳରେ ଧର୍ମଶାଳାରୁ ସ୍ମୃତିରେଖା ପହିଙ୍କୁ ଟିକେଟ ଦେଲା । ଟିକେଟରୁ ବଞ୍ଚିତ ପରେ ଲିକୁଙ୍କ ସମର୍ଥକ ଯେଭଳି ଭାବେ ରାଜ୍ୟ କାର୍ଯ୍ୟାଳୟ ଆଗରେ ଅହୋରାତ୍ର ଧାରଣାରେ ବସିଲେ ତାହାକୁ ରାଜ୍ୟ ଏବଂ କେନ୍ଦ୍ରୀୟ ନେତା ଜାଣିଲେ । ତଥାପି ବିଜେପି ଟିକେଟ ଦେଲାନି । ସ୍ମୃତିରେଖାଙ୍କ ଉପରେ ଭରଷା କଲେ । ହେଲେ ଲିକୁ ବା ହିମାଂଶୁ ଶେଖର ସାହୁ ବିଜେପିର ଧର୍ମଶାଳା ଅଙ୍କକୁ ଭୁଲ ପ୍ରମାଣିତ କରିଦେଲେ । ସ୍ୱାଧୀନ ଭାବେ ଲଢି ବିଜେଡ଼ି ହେବି ୱେଟ ନେତା ପ୍ରଣବ ବଳବନ୍ତରାୟଙ୍କୁ କେବଳ ହରାଇଲେନି ବିଜେପିର ସ୍ମତିରେଖାଙ୍କୁ ମାତ୍ର ୧୬ହଜାର ଭୋଟରେ ସମିତି ରଖିଲେ । ଜିତିବା ପରେ ଲିକୁଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଳେଇ ନେଇଛନ୍ତି । ରାଜନୀତିରେ ନିମିଷକେ କିଛିବି ଘଟିପାରେ । ଏହା ନିରାଟ ସତ୍ୟ । ଧର୍ମଶାଳାରୁ ସ୍ୱାଧୀନ ଭାବେ ଲଢି ବିଜୟ ଲାଭ କରିିଥିବା ଲିକୁଙ୍କୁ ବିଜେପିର ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଲାମାସ ୨୮ତାରିଖରେ ଦଳୀୟ ପ୍ରାର୍ଥିନୀ ସ୍ମୃତିରେଖା ପହିଙ୍କ ପାଇଁ ନିର୍ବାଚନ ପ୍ରଚାରରେ ଆସି ନାଁ ନନେଇ ନୀଳବର୍ଣ୍ଣ ଶୃଗାଳ ସହ ଅନେକ କିଛି କହି ଆକ୍ଷେପ କରିଥିଲେ । ସ୍ମୃତିରେଖାକୁ ବଏକଟ କରିବାକୁ ନିଷ୍ପତି ନେଇଥିବା ବିଜେପିର ହଜାର ହଜାର ସମର୍ଥକ ଲିକୁଙ୍କୁ ଜିତାଇବାକୁ ଲାଗିପଡ଼ିଥିଲେ । ବିଜେଡ଼ିର ଗଡ଼ ସାଙ୍ଗକୁ ପ୍ରଣବ ବଳବନ୍ତରାୟଙ୍କ ପରିବାରବାଦ ରାଜନୀତିରେ ପୂର୍ଣ୍ଣଛେଦ ପକାଇ ଦେଲେ । ଯାହା ରାଜନୈତିକ ମହଲକୁ ଆଶ୍ଚର୍ଯ୍ୟ ଚକିତ କରିବା ପରି ହୋଇଥିବା ବେଳେ ଲିକୁଙ୍କୁ କେନ୍ଦ୍ରମନ୍ତ୍ରୀ କୋଳେଇ ନେବା ମଧ୍ୟ ପହି ସମର୍ଥକଙ୍କୁ ଆଶ୍ଚର୍ଯ୍ୟ କରିଛି । ଲିକୁ ବିଜୟୀ ହେବା ପରେ ତାଙ୍କ ଧର୍ମଶାଳା ବାସଭବନରେ ପହଞ୍ଚିଥିଲେ ଧାନନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ । ଲିକୁ ସାଙ୍ଗରେ ଧରି ସୂର୍ଯ୍ୟବଂଶୀ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପାଖରେ । ବିଜେଡ଼ିର ପ୍ରଭାବଶାଳୀ ନେତା ପ୍ରଣବଙ୍କୁ ହରାଇଥିବା ଲିକୁଙ୍କୁ ଦେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଶୁଭେଚ୍ଛା ଜଣାଇବା ସହ କୋଳେଇ ନେଇଥିଲେ । ଲିକୁ ଦଳରୁ ଟିକେଟ ନପାଇ ସ୍ୱାଧିନ ଭାବେ ଲଢିବା ପୂର୍ବରୁ ବିଜେପିରୁ ଦେଇଥିଲେ ଇସ୍ତଫା । ଆଇ ଇସ୍ତଫା ଦେବା ବେଳେ ସେ କହିଥିଲେ କି ମୁଁ ଜିତିଲେ ବିଜେପିକୁ ହିଁ ଫେରିବି । ଲିକୁଙ୍କୁ ଦଳ କେବେ କୋଳେଇବ ତାହା ଦେଖିବାକୁ ବାକି ରହିଥିବା ବେଳେ ୧୬ହଜାର ଭୋଟ ପାଇ ବିପୂଳ ପରାଜୟ ବରଣ କରିଥିବା ସ୍ମୃତିରେଖାଙ୍କ ରାଜନୈତିକ ଭବିଷ୍ୟତ କ’ଣ ହେବ, ତାହା ହିଁ ଧର୍ମଶାଳାରେ ଆଲୋଚନାର ପ୍ରସଙ୍ଗ ହୋଇଛି ।