ଦୋଷ ଲଦାଲଦିରେ ସରିଲା ସମୀକ୍ଷା ବୈଠକ


 ଯାଜପୁର: ନିର୍ବାଚନରେ ପରାଜୟ ବରଣ କରୁଥିବା ଦଳ ପରବର୍ତ୍ତୀ ସମୟରେ କାରଣ ଖୋଜିବାକୁ ସମୀକ୍ଷା ବୈଠକ କରିଥାନ୍ତି । ଦଳର କୋଉ ଦୁର୍ବଳତା କାରଣରୁ ସଫଳତା ମିଳିଲାନି, କ’ଣ କରିଥିଲେ ଫଳାଫଳ ସପକ୍ଷରେ ଯାଇଥାନ୍ତା ଇତ୍ୟାତି ଇତ୍ୟାଦି ଉପରେ ଆଲୋଚନା ହୋଇଥାଏ । 
ନିର୍ବାଚନ ମଣ୍ଡଳୀରେ ମଧ୍ୟ ଏଭଳି କିଛିଟା ସମୀକ୍ଷା କରିଥାନ୍ତି ପରାଜିତ ପ୍ରାର୍ଥୀ । ବୈଠକରୁ କ’ଣ ନିର୍ଯ୍ୟାସ ବାହାରେ ସମୀକ୍ଷାରେ ସାମିଲ ବୁଝିଥାନ୍ତି । ତେବେ ଗତକାଲି କୋରେଇ ବିଜେଡ଼ି ପକ୍ଷରୁ ସଠିପୁର ଠାରେ ପରାଜୟର କାରଣ ଖୋଜିବାକୁ ନେଇ ହୋଇଥିବା ସମୀକ୍ଷା ବୈଠକ ଦୋଷ ଲଦାଲଦିରେ ଶେଷ ହୋଇଛି । ବୈଠକରେ ପରାଜିତ କୋରେଇ ବିଜେଡ଼ି ପ୍ରାର୍ଥିନୀ ସନ୍ଧ୍ୟାରାଣୀ ଦାସଙ୍କ ପୁତୁରା ଭବପ୍ରସାଦ ଦାସ ଉପସ୍ଥିତ ରହିଥିଲେ । କୋରେଇ ବ୍ଲକ ବିଜେଡ଼ି ସଭାପତି ଭକ୍ତବସôଳ ସ୍ୱାଇଁଙ୍କ ସଞ୍ଚାଳନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ୨୮ଗୋଟି ପଞ୍ଚାୟତର ଦଳୀୟ ନେତା ଏବଂ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଏପରିକି ନିର୍ବାଚନରେ ମଙ୍ଗୁଆଳ ସାଜିଥିବା ଏବଂ ନିର୍ବାଚନ ପରିଚାଳନାରେ ପ୍ରମୂଖ ଦାୟିତ୍ୱରେ ଥିବା ନେତା-ନେତ୍ରୀ ଥିଲେ ଉପସ୍ଥିତ । ବୈଠକ ଆରମ୍ଭରୁ ଆରମ୍ଭ ହୋଇଯାଇଥିଲା ଦୋଷ ଲଦାଲଦି । ନିର୍ବାଚନରେ ଦଳୀୟ ପ୍ରାର୍ଥିଙ୍କ ପରାଜୟ ପାଇଁ ସମସ୍ତେ ଦୋଷ ସ୍ୱିକାର କରିବା ପରିବର୍ତ୍ତେ ଜଣେ ଅନ୍ୟଜଣଙ୍କ ଉପରେ ଦୋଷ ଲଦିଥିଲା । ମୁଁ ଠିକ୍ ସେ ଭୁଲ, ସେ ଠିକ୍ରେ ଲାଗିଲାନି, ଆମର ଭୋଟ କମିଗଲା ଏମିତି କିଛି ଆରୋପ-ପ୍ରତିଆରୋପ ପଞ୍ଚାୟତ ୱାରୀରେ ଘଟିଥିଲା । ଜଣେ ଜଣେ ଆଗଧାଡ଼ିର ନେତାଙ୍କ ଉପରେ ଉପସ୍ଥିତ କର୍ମୀ ଅଙ୍ଗୁଳି ଉଠାଇ ଦଳର ପରାଜୟ ପାଇଁ ସେମାନଙ୍କୁ ଦୋଷାରୋପ କରିଥିଲେ । ଆରୋପ-ପ୍ରତିଆରୋପ, ଦୋଷାରୋପକୁ ଶୁଣୁଥିବା ଭବ ପ୍ରସାଦ ଶେଷରେ ଆସନ୍ତା ଦିନରେ ପୁଣି ସମୀକ୍ଷା ବୈଠକ ବସିବ ଏବଂ ବୈଠକରେ ଭାଇ ତଥା ସଂଗଠନ ସଂପାଦକ ପ୍ରଣବ ପ୍ରକାଶଦାସ ଉପସ୍ଥିତ ରହିବେ ବୋଲି ଅବଗତ କରିଥିଲେ । 
ଅତଏବ ପରାଜୟର କାରଣ ଖୋଜିବାକୁ ଆଗକୁ ଆହୁରି ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । କିନ୍ତୁ ଆମ ପାଖରେ ଯାହା ଖବର ଅଛି ଗତକାଲିର ପ୍ରଥମ ସମୀକ୍ଷା ବୈଠକକୁ କିଛି ପଞ୍ଚାୟତର କାର୍ଯ୍ୟକର୍ତ୍ତା ଯାଇନଥିଲେ । ଯେଉଁ ମାନେକି ଦଳରେ ଥାଇକି ଦଳ ବିରୋଧି କାର୍ଯ୍ୟ କରିଥିବାରୁ ଅପମାନିତ ଭୟରେ ଯାଇନଥିଲେ । ଏପରିକି ବୈଠକରେ କେତେ ଜଣ ବିଶ୍ୱାସଘାତକ କରିଥିବା ନେତା-ନେତ୍ରୀଙ୍କୁ ବିଦା ନକଲେ ଦଳରେ ରହିବେନି ବୋଲି ଚେତାବନୀ ଦେଇଥିଲେ । ଯାହା ବୈଠକକୁ ଉଷ୍ମତା କରିଥିଲା ।