ବିଶ୍ୱ ମାତୃତ୍ୱ ଦିବସ ଉପଲକ୍ଷେ ‘ସମୟର ଆବଶ୍ୟକତା’ ସେମିନାର : ମହିଳାଙ୍କ ସମ୍ମାନ ସୁନିଶ୍ଚିତ କରିବା ସମୟର ଆହ୍ୱାନ
ଭୁବନେଶ୍ୱର : ଭୁବନେଶ୍ୱରର ମା’ ଘର ଫାଉଣ୍ଡେସନ ଟ୍ରଷ୍ଟ ଏବଂ ତାଚେରର ଏସ୍ଏସ୍ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଠାରେ ‘ବିଶ୍ୱ ମାତୃ ଦିବସ’ ପାଳନ ଉପଲକ୍ଷେ ‘ସମୟର ଆବଶ୍ୟକତା’ ଶୀର୍ଷକ ଏକ ସେମିନାର ଆୟୋଜିତ ହୋଇଛି । ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଯୋଗ ଦେଇ ସୁସ୍ଥ ସମାଜ, ଶକ୍ତିଶାଳୀ ଓ ସମୃଦ୍ଧ ଦେଶ ଗଠନ ନିମନ୍ତେ ପୃଷ୍ଠଭୂମି ଓ ଭୌଗଳିକ ପରିବେଶ ନିର୍ବିଶେଷରେ ମହିଳାମାନଙ୍କ ପାଇଁ ସମ୍ମାନ, ସୁଯୋଗ ଏବଂ ସମାନତା ସୁନିଶ୍ଚିତ କରିବା ହେଉଛି ସମୟର ଆହ୍ୱାନ ବୋଲି କହିଛନ୍ତି । ମାତୃ ଦିବସ କେବଳ ମାତୃତ୍ୱର ଏକ ଉସôବ ନୁହେଁ, ଏହା ବିଶ୍ୱରେ ପ୍ରତିଦିନ ମା’ମାନଙ୍କର ପାଳନକାରୀ ଆତ୍ମା, ଅସୀମ ସ୍ନେହ ଏବଂ ତ୍ୟାଗର ସ୍ୱୀକୃତି । ଏହା ଏକ ଦିନ ଯାହା ଆମ ପ୍ରତ୍ୟେକଙ୍କ ପାଇଁ ଗଭୀର ଭାବ ଉଦ୍ରେକକାରୀ ମହତ୍ୱ ବହନ କରେ ବୋଲି ରାଜ୍ୟପାଳ କହିଥିଲେ ।
ମା’ଘର ଫାଉଣ୍ଡେସନ୍ ଟ୍ରଷ୍ଟ ଏବଂ ଏସ୍ଏସ୍ ହସ୍ପିଟାଲ ମିଳିତ ପ୍ରୟାସକୁ ରାଜ୍ୟପାଳ ସାଧୁବାଦ ଜଣାଇବା ସହିତ ଆମ ସମାଜ ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ଆଲୋଚନା ଓ ବିଚାରବିମର୍ଷ ନିମନ୍ତେ ବୁଦ୍ଧିଜୀବୀ, ନୀତି ନିର୍ଦ୍ଧାରକ, ସାମାଜିକ କର୍ମୀ ଏବଂ ସ୍ୱାସ୍ଥ୍ୟ ସେବା ସହ ଜଡିତ ବୃତ୍ତିଧାରୀ ଏକତ୍ର ହୋଇଥିବାରୁ ଖୁସି ପ୍ରକଟ କରିଥିଲେ । ଏପରି ପଦକ୍ଷେପ କେବଳ ସମୟୋଚିତ ନୁହେଁ, ବରଂ ସମାବେଶୀ ବିକାଶ, ସଶକ୍ତିକରଣ ଦିଗରେ ଆମର ସାମୁହିକ ଯାତ୍ରାରେ ବହୁତ ଆବଶ୍ୟକ ବୋଲି ରାଜ୍ୟପାଳ କହିଥିଲେ । ସମ୍ମାନନୀୟ ଅତିଥିଭାବେ ଓଡିଶାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଏତଦ୍ବ୍ୟତୀତ ସମାରୋହର କୋ-ଅର୍ଗାନାଇଜର ଆଡ୍ଭୋକେଟ୍ ଋତୁପର୍ଣ୍ଣା ମହାନ୍ତି ଏବଂ ଡ. ସୁସ୍ମିତା ସାହୁ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରୋଗ୍ରାମ କୋ-ଅର୍ଡିନେଟର ଆଡଭୋକେଟ୍ ଜ୍ଞାନଦୀପ ବିଶ୍ୱପ୍ରସାଦ ଅତିଥି ପରିଚୟ ପ୍ରଦାନ କରିଥିଲେ ।