ଟିକେଟ ଘୋଷଣା ପରେ ଆଶାୟୀଙ୍କ ବିଦ୍ରୋହ

ଟିକେଟ ଘୋଷଣା ପରେ ଆଶାୟୀଙ୍କ ବିଦ୍ରୋହ


ଭୁବନେଶ୍ୱର:ସାଧାରଣ ନିର୍ବାଚନ ପାଇଁ ଧିରେଧିରେ ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ କରୁଛନ୍ତି  । ତେବେ ତାଲିକା ପ୍ରକାଶ ପାଇବା ସହ ଆଶାୟୀଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି  । ଅନେକ ସ୍ଥାନରେ ଆଶାୟୀମାନେ ମେଳି ବାନ୍ଧି ଆଗାମୀ ରଣନୀତି କରିବାକୁ ଯୋଜନା କରୁଛନ୍ତି  । କିଏ ସ୍ୱାଧୀନ ଲଢ଼ିବାକୁ ଅଣ୍ଟା ଭିଡ଼ିଲେଣି ତ ଆଉ କିଏ ଦଳ ଡେଇଁବାକୁ ସଜବାଜ ହେଲେଣି  । ତିନି ଦଳରେ ଏଭଳି ଅବସ୍ଥା ସୃଷ୍ଟିହୋଇଛି  । ସେପଟେ ଦଳର ରଣନୀତିକାରମାନେ ସ୍ଥିତି ଉପରେ ନଜର ରଖିଛନ୍ତି  । ଯଦି ପ୍ରାର୍ଥୀଙ୍କ ବିରୋଧରେ ବିଦ୍ରୋହ ବଢ଼େ ତେବେ ପ୍ରାର୍ଥୀ ବି ବଦଳିପାରନ୍ତି  । ଅତୀତରେ ପ୍ରାର୍ଥୀ ବଦଳିବାର ବହୁ ନଜିର ମଧ୍ୟ ରହିଛି  । ତେଣୁ ବିଧାୟକ ପ୍ରାର୍ଥୀମାନେ ମଧ୍ୟ ବିଦ୍ରୋହୀଙ୍କୁ ମନାଇବା ପାଇଁ ନିଜ ଆଡ଼ୁ ଉଦ୍ୟମ କରିବାକୁ ବାଧ୍ୟ ହେଉଛନ୍ତି  ।
ବିଜୁ ଜନତା ଦଳ ପ୍ରଥମ ଦଫାରେ ୭୨ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବାବେଳେ ବିଜେପି ଏକାବେଳେ ୧୧୨ ପ୍ରାର୍ଥୀଙ୍କ ନାମ ଉପରେ ମୋହର ଲଗାଇଛି  । ଏଥର ବିଜେଡ଼ି ଅଧିକାଂଶ ବିଧାୟକଙ୍କୁ ପ୍ରାର୍ଥୀ କରିଥିବାରୁ ଆଶାୟୀଙ୍କ ମୁହଁ ଆମ୍ବିଳା ହୋଇଯାଇଛି  । କିଛି ଆଶାୟୀ ନବୀନ ଓ ବିଜେଡ଼ି ପାଇଁ ଗୁମସୁମ ରହିଛନ୍ତି  । ହେଲେ ପଂଚାୟତ ନିର୍ବାଚନ ବେଳଠାରୁ ପାଣି ଭଳି ଟଙ୍କା ବୁହାଇ ସଂଗଠନ କରିଥିବା ନେତାମାନେ ଏବେ କିଛି ଗୋଟେ ଖେଳ କରିବାକୁ ଯୋଜନା କରୁଛନ୍ତି  ।