‘ସାର୍, ମ୍ୟାଡ଼ାମ୍ଙ୍କୁ ରାଜ୍ୟସଭା ପଠାନ୍ତୁ’
-
ଫସର ଫାଟିଗଲା ଯୋଜନା
-
ନବୀନ ନିବାସ ଗଲେନି ନେତ୍ରୀ
ଭୁବନେଶ୍ୱର : ‘ସାର୍, ମ୍ୟାଡ଼ାମଙ୍କୁ ରାଜ୍ୟସଭା ପଠାନ୍ତୁ ।’ ଏକ କୋଟରୀ ଦ୍ୱାରା ବିଜେଡ଼ି ମହିଳା ନେତ୍ରୀଙ୍କ ସହଯୋଗରେ ଏମିତି ଏକ ଆୟୋଜିତ ଓ ପ୍ରାୟୋଜିତ କାର୍ଯ୍ୟକ୍ରମ ‘ବହୁ ଆଡ଼ମ୍ବରେ ଲଘୁକ୍ରିୟା’ ଭଳି ହୋଇଯାଇଛି । ଏମିତି ଏକ ଗୁପ୍ତ ଅଭିଯାନ ସମ୍ପର୍କରେ ଗଣମାଧ୍ୟମକୁ କିଛି ବିଜେଡ଼ି ନେତା ଲିକ୍ କରିଦେଇଥିଲେ । ଗତକାଲି ରାତିରୁ ଆଜି ଦିନତମାମ ବିଜେଡ଼ି ଅଳିନ୍ଦରେ ଏହାକୁ ନେଇ ଯେତିକି ଚର୍ଚ୍ଚା ହୋଇଥିଲା, ଗଣମାଧ୍ୟମରେ ବି ସେତିକି ଚର୍ଚ୍ଚା ହୋଇଥିଲା । ଯେଉଁଥିପାଇଁ ଏହି ଯୋଜନାଟି ଫସର ଫାଟିଯାଇଛି ।
ବିଜୁ ଜନତା ଦଳର ଆଗଧାଡ଼ିର ମହିଳା ନେତ୍ରୀମାନେ ଏକାଠି ହୋଇଥିଲେ । ବୈଠକରେ ପ୍ରମିଳା ମଲ୍ଳିକ, ସ୍ନେହାଙ୍ଗିନୀ ଛୁରୀଆ, ସୁଲତା ଦେଓ, ଟୁକୁନି ସାହୁ, ସୁବାସିନୀ ଜେନା, ପଦ୍ମିନୀ ଦିଆନ୍, ବର୍ଷା ସିଂ ବରିହା, ରାଜଶ୍ରୀ ମଲ୍ଲିକ, ଲେଖାଶ୍ରୀ ସାମନ୍ତସିଂହାର, ମନୋରମା ମହାନ୍ତି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ଗତକାଲି ରାତିରୁ କିଛି ବରିଷ୍ଠ ନେତାମାନଙ୍କ ସୂଚନା ଓ ବିଜେଡ଼ି ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ମହିଳା ନେତ୍ରୀଙ୍କ ବୈଠକରେ ସୁଜାତା କାର୍ତ୍ତିକେୟନକୁ ଦଳ ଗୁରୁ ଦାୟିତ୍ୱ ଦେବାନେଇ ଆଲୋଚନା ହୋଇଥା’ନ୍ତା । ବିଶେଷକରି ଆଗାମୀ ରାଜ୍ୟସଭା ନିର୍ବାଚନରେ ସୁଜାତାଙ୍କୁ ବିଜେଡ଼ି ପ୍ରାର୍ଥୀ କରି ରାଜ୍ୟସଭାକୁ ପଠାଇବା ପାଇଁ ସେମାନେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥା’ନ୍ତେ । ଅବଶ୍ୟ ବିନା ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ଏଭଳି ଆୟୋଜନ କରାଯାଇନଥିବ । ସୁଜାତା ପ୍ରଥମେ ରାଜ୍ୟସଭାକୁ ଯାଇ ପରେ ଦଳର କାର୍ଯ୍ୟକାରୀ ସଭାନେତ୍ରୀ ହୋଇଥା’ନ୍ତେ । ଧିରେଧିରେ ଦଳର ମଙ୍ଗ ଧରିବାର ବାଟ ପ୍ରଶସ୍ତ ହୋଇଥା’ନ୍ତା । ଏମିତି ଏକ ଅନ୍ତରୀଣ ଯୋଜନା ଥିବା ଚର୍ଚ୍ଚା ହେଉଛି । ବୈଠକ ପରେ ଶଙ୍ଖ ଭବନରୁ ନେତ୍ରୀମାନେ ନବୀନ ନିବାସ ଯାଇ ବିଜେଡ଼ି ସୁପ୍ରିମୋଙ୍କୁ ସାକ୍ଷାତ କରିଥା’ନ୍ତେ । ସେମାନଙ୍କ ପ୍ରସ୍ତାବ ଜଣାଇଥା’ନ୍ତେ । ତେବେ ଗଣମାଧ୍ୟମରେ ଏକଥା ଚର୍ଚ୍ଚା ହେବା ସହ ଦଳର କିଛି ଆଗଧାଡ଼ିର ନେତା ଅସନ୍ତୁଷ୍ଟ ଥିବା ପାଣ୍ଡିଆନ୍ ଜାଣିବାକୁ ପାଇଥିଲେ । ତେଣୁ ନବୀନ ନିବାସ ଯାଇ ଆଲୋଚନା କରିବାର ବ୍ୟବସ୍ଥାଟି ଶେଷ ସମୟରେ ବାତିଲ୍ କରାଯାଇଥିଲା । ପରେ ନେତ୍ରୀମାନେ ଗଣମାଧ୍ୟମକୁ କହିଥିଲେଯେ, ଦଳକୁ ମଜବୁତ କରିବା ପାଇଁ ଆମେ ବୈଠକ କରିଥିଲୁ । ଗଣମାଧ୍ୟମରେ ଭୁଲ୍ ଚର୍ଚ୍ଚା ହେଉଛି । ଅବଶ୍ୟ ସେମାନଙ୍କ ମୁଖମଣ୍ଡଳ କିନ୍ତୁ ଦଳରେ ଚାଲିଥିବା ଗୁପ୍ତ ରଣନୀତି ସଂକ୍ରାନ୍ତରେ ଅନେକ ସୂଚନା ଦେଇଥିଲା ।
Samir Kumar Rout