ମହାନଦୀ ପ୍ରସଙ୍ଗ: ପ୍ରତାପ ଦେବ ଜାଣନ୍ତୁ କହିଲେ କ’ଣ?

ଭୁୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦେଇଥିବା ବକ୍ତବ୍ୟକୁ ବିଭ୍ରାନ୍ତିକର ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜୁ ଜନତା ଦଳ। ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଳିର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଥିଲେ, ମହାନଦୀ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବକ୍ତବ୍ୟ ଦୁର୍ଭାଗ୍ୟଜନକ। ଡବଲ ଇଂଜିନ ସରକାରରେ ପ୍ରଗତି ଦୁଇଗୁଣ ହେବ ବୋଲି ନିର୍ବାଚନ ସମୟରେ ବିଜେପି ନେତା କହିଥିଲେ। ଏବେ ମହାନଦୀ ପ୍ରସଙ୍ଗରେ ଟ୍ରିପଲ ଇଂଜିନ୍‌ ସରକାର ରହିଛି। କେନ୍ଦ୍ରରେ, ଛତିଶଗଡରେ, ଓଡିଶାରେ ସବୁଠି ବିଜେପିର ସରକାର। ଏବେ ଆଉ ବାହାନା ଖୋଜିବା ବଦଳରେ ମହାନଦୀ ସମସ୍ୟାର ସମାଧାନ କରାଯାଉ। ରାଜସ୍ୱମନ୍ତ୍ରୀଙ୍କୁ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀ ଲୋକଙ୍କୁ ଉତ୍ତର ଦେବାକୁ ପଡିବ, କାରଣ ମହାନଦୀରେ ପାଣି ନଆସିବା ଦ୍ୱାରା ସେମାନେ ବି ପ୍ରଭାବିତ ହେଉଛନ୍ତି।