ପଞ୍ଚାୟତରେ ହେବ ‘ଅପରେସନ୍ ଲୋଟସ୍’ : ଶାହଙ୍କ ରଣନୀତି ଆପଣାଇବେ ମନମୋହନ

ଭୁବନେଶ୍ୱର:   ବିଜେପି ସରକାରକୁ ଆସିବାର ବର୍ଷେ ଅତିକ୍ରାନ୍ତ ହୋଇସାରିଲାଣି  । ପ୍ରଶାସନରେ ବିଜେପିର ଦବଦବା ସିନା ବଢ଼ିଛି ହେଲେ ସଂଗଠନ କିନ୍ତୁ ଆଗେଇ ପାରିନାହିଁ  । ଆରମ୍ଭରୁ ମିଶ୍ରଣ ପର୍ବ ଚାଲିଥିଲେ ବି ପରେ ତାହା ଠପ୍ ହୋଇଯାଇଥିଲା  । ରାଜ୍ୟ ସଭାପତି ନିଯୁକ୍ତି ନେଇ ଛକାପଞ୍ଝା ଚାଲିଥିବାରୁ ସଂଗଠନ ଉପରେ କାହାର ନିଘା ନଥିଲା  । ଏବେ କିନ୍ତୁ ସବୁ ଚିତ୍ର ସ୍ପଷ୍ଟ ହୋଇଯାଇଛି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟରେ ସରକାରଙ୍କ ସବୁ ଦାୟିତ୍ୱ ମୋହନ ମାଝୀଙ୍କୁ ଅର୍ପଣ କରିଥିବାବେଳେ ସଂଗଠନର ସବୁ ଭାର ମନମୋହନ ସାମଲଙ୍କ କାନ୍ଧରେ ଲଦିଛନ୍ତି  । ସରକାର ଓ ସଂଗଠନରେ ସୁସମନ୍ୱୟ ପାଇଁ ଦିଲ୍ଲୀରୁ ନିଦେ୍ର୍ଦଶ ଆସିଯାଇଥିବାରୁ ଏବେ ବିଜେପି ପଞ୍ଚାୟତରେ ‘ଅପରେସନ୍ ଲୋଟସ୍’ ଆରମ୍ଭ କରିବାକୁ ରଣନୀତି କରିଛି  ।
ବିଜେପି କ୍ଷମତାକୁ ଆସିବା ପରେ କାମଦାମ ଓ କ୍ଷମତା ଲୋଭରେ ଅନେକ ବିଜେଡ଼ି ନେତା ନିଜ ଆଡୁ ବିଜେପି ନେତାଙ୍କ ସହ ଯୋଗସୂତ୍ରରେ ରହିଥିଲେ  । ଯେଉଁଥିପାଇଁ ବିଜେପି ପାର୍ଟି ଅଫିସରେ ବେଶ୍ କିଛିଦିନ ମିଶ୍ରଣ ପର୍ବ ହୋଇଥିଲା  । କିନ୍ତୁ ପରେ ଏହାକୁ ବନ୍ଦ ରଖାଯାଇଥିଲା  ।  କାହିଁକିନା ଲୋଭରେ ଆସିଥିବା ନେତାଙ୍କୁ ନେଲେ ଦଳର ସଂଗଠନ ବଢ଼ିବା ଅପେକ୍ଷା କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିଲା  । ସେହିପରି ନୂଆ ଓ ପୁରୁଣା ବିଜେପି ନେତାଙ୍କ ମଧ୍ୟରେ ବି କେତେକ ସ୍ଥାନରେ ବିବାଦ ସୃଷ୍ଟି ହୋଇଥିଲା  । ସେପଟେ ବିଜେପି ରାଜ୍ୟ ସଭାପତି ବି ନିର୍ବାଚନ ହୋଇପାରୁନଥିଲା  । ଏବେ କିନ୍ତୁ ମନମୋହନ ଆସନ୍ତା ୩ ବର୍ଷ ପାଇଁ ଦଳର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି  । ତେଣୁ ପଞ୍ଚାୟତରେ ଦଳକୁ ମଜବୁତ୍ କରିବା ପାଇଁ ସେ ନୂଆ ରଣନୀତି କରିଛନ୍ତି  ।
ମନମୋହନ ଏବେ ବୁଥୱାରୀ ସମୀକ୍ଷା ଆରମ୍ଭ କରିଦେଇଛନ୍ତି  । ଯେଉଁଯେଉଁ ସ୍ଥାନରେ ବିଜେପିର ବିଧାୟକ ଅଛନ୍ତି, ସେମାନଙ୍କୁ ସ୍ୱତନ୍ତ୍ର ଟାସ୍କ ଦିଆଯିବ  । ବିଜେଡ଼ି ବା କଂଗ୍ରେସ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ନିଜ ଦଳକୁ ଆଣିବା ପାଇଁ ରଣନୀତି କରାଯିବ  । ବିଧାୟକ, ଜିଲ୍ଲା ସଭାପତି, ମଣ୍ଡଳ ସଭାପତିଙ୍କ ସହମତି କ୍ରମେ ମିଶ୍ରଣ ପର୍ବ କରାଯିବ ବୋଲି ଜାଣିବାକୁ ମିଳିଛି  । ବିଜେପି ସରକାର ଆସିବା ପରେ ପ୍ରାୟ ଡଜନେ ବ୍ଳକରେ ବିଜେଡ଼ି ସମର୍ଥିତ ବ୍ଳକ ଅଧ୍ୟକ୍ଷ ହଟିସାରିଲେଣି  । ସେଠାରେ ଏବେ ବିଜେପି ସମର୍ଥିତ ବ୍ଳକ ଅଧ୍ୟକ୍ଷ ଅଛନ୍ତି  । ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବଢ଼ିବ  । 
ଯେଉଁ ସ୍ଥାନରେ ବିଜେପିର ବିଧାୟକ ନାହାନ୍ତି ସେଠାରେ ବିଧାୟକ ପ୍ରାର୍ଥୀ ଓ ଜିଲ୍ଳା ସଭାପତିମାନେ ମିଶି ରଣନୀତି କରିବେ । ୱାର୍ଡ଼ମେମ୍ବରଙ୍କ ଠାରୁ ନେଇ ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ପୋଚିଂ କରାଯିବ  । ‘ମୋ ବୁଥ୍ ମଜବୁତ’ ଅଭିଯାନ ବି ଜୋରଦାର କରାଯିବାକୁ ଯୋଜନା ହୋଇଛି  । ରାଜ୍ୟ କମିଟି ସ୍ଥିର ହୋଇସାରିବା ପରେ ନେତାମାନେ ପ୍ରବାସରେ ଯିବେ  । ବିଭିନ୍ନ ବ୍ଳକ ଗସ୍ତ କରି କାର୍ଯ୍ୟକର୍ତ୍ତାମାନଙ୍କ କଥା ଶୁଣିବେ  । ସାଧାରଣ ସମ୍ପାଦକ, ଉପସଭାପତି, ସମ୍ପାଦକମାନଙ୍କୁ ବିଭିନ୍ନ ନିର୍ବାଚନମଣ୍ଡଳୀ ଓ ମଣ୍ଡଳର ଦାୟିତ୍ୱ ଆବଣ୍ଟନ କରାଯିବ  । ପ୍ରତି ମାସରେ ସେମାନେ ନିଜର ରିପୋର୍ଟ କାର୍ଡ଼ ମଧ୍ୟ ପ୍ରଦାନ କରିବେ  । ମନମୋହନ ଏମିତି ବ୍ୟବସ୍ଥା କରିବାକୁ ଯାଉଛନ୍ତି  ।  ଏବେଠାରୁ ମନମୋହନ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି  । ୨୦୨୭ରେ ପଞ୍ଚାୟତ ନିର୍ବାଚନ ହେବାର ଥିଲେବି ତାହା କିଛି ମାସ ଘୁଞ୍ଚôବ  । ସମ୍ଭବତଃ ୨୦୨୮ରେ ପଞ୍ଚାୟତ ନିର୍ବାଚନ କରିବାକୁ ଯୋଜନା କରାଯାଇଛି  । ସେପର୍ଯ୍ୟନ୍ତ ମନମୋହନ ହିଁ ସଭାପତି ରହିବେ  । ଯଦି ପଞ୍ଚାୟତ ନିର୍ବାଚନରେ ମନମୋହନଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କଲା ତେବେ ୨୦୨୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ସମ୍ପ୍ରସାରିତ କରାଯିବ  । ଏବେ ପଞ୍ଚାୟତରେ ବିଜେପିର ମଜବୁତ୍ ସଂଗଠନ ନାହିଁ  । ତେଣୁ କ୍ୟାଡ଼ର ଗଠନ କରିବାକୁ ମନମୋହନ ଯୋଜନା କରିଛନ୍ତି  । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଓ ସଂଗଠକମାନେ ମଧ୍ୟ ପ୍ରଚ୍ଛଦପଟରେ ରହି ବିଜେପିକୁ ମଜବୁତ୍ କରିବେ  । ଶାଖାର ବି ବିସ୍ତାର କରିବାକୁ ଯୋଜନା କରାଯାଇଛି  ।  ନିକଟରେ ମନମୋହନ ଦିଲ୍ଲୀ ଯାଇଥିବାବେଳେ ସାଂସଦମାନେ କେତେକ ଅଭିଯୋଗ ଉପସ୍ଥାପନ କରିଛନ୍ତି  । ପ୍ରଶାସନ କ୍ଷେତ୍ରରେ ସେମାନଙ୍କର ଗୁରୁତ୍ୱ ରହୁନଥିବା ନେଇ ସେମାନେ କହିଛନ୍ତି  । ଏହାକୁ ଆଖି ଆଗରେ ରଖି ଅଗଷ୍ଟରୁ ଜିଲ୍ଲାୱାରୀ ସାଂଗଠନିକ ବୈଠକ କରାଯିବ  । ଜିଲ୍ଲା ସଭାପତି, ମଣ୍ଡଳ ସଭାପତି, ସାଂସଦ ଓ ବିଧାୟକଙ୍କ ମଧ୍ୟରେ ସମନ୍ୱୟ ରଖିବାକୁ ମନମୋହନ ଆହ୍ୱାନ ଦେବେ  । ଯେଉଁ ନେତାଙ୍କ ଜରିଆରେ ‘ଅପରେସନ୍ ଲୋଟସ’ ଯେତେ ଶକ୍ତିଶାଳୀ ହେବ ସେହି ନେତାଙ୍କୁ ଭଲ ସୁଯୋଗ ମିଳିବ ବୋଲି ଜାଣିବାକୁ ମିଳିଛି  । କେତେକ ସ୍ଥାନରେ ପରାଜିତ ବିଧାୟକ ପ୍ରାର୍ଥୀମାନେ ସଂଗଠନରେ ଦୁର୍ବଳ ରହିଛନ୍ତି  । ସେଠାରେ ନୂଆ ନେତାଙ୍କୁ ସଂଗଠନ ପାଇଁ ପ୍ରୋତ୍ସାହିତ କରାଯିବ  ।  ଅପରପକ୍ଷରେ ବିଜେପିର ‘ଅପରେସନ୍ ଲୋଟସ୍’ ଏବେ ବିଜେଡ଼ିକୁ ଚିନ୍ତାରେ ପକାଇଦେଇଛି  । କ୍ଷମତା ଓ କାମଦାମ ଲୋଭରେ ବିଜେଡ଼ି ନେତାମାନେ ବିଜେପି ମୁହାଁଇବା ନିଶ୍ଚିତ  । ତାହାକୁ ଆଖିଆଗରେ ରଖି ବିଜେଡ଼ି ମଧ୍ୟ ଜିଲ୍ଲାୱାରୀ ସାଂଗଠନିକ ବୈଠକ କରିବାକୁ ଯୋଜନା କରିଛି  । ଆଗାମୀ ଦିନରେ ମନମୋହନ ବନାମ ନବୀନଙ୍କ ମଧ୍ୟରେ ରୋଚକ ସାଂଗଠନିକ ଲଢ଼େଇ ଦେଖିବାକୁ ମିଳିବ  ।