୪ ଜିଲାକୁ ରେଡ୍‌ ଓ୍ବାର୍ନିଂ : ପ୍ରବଳ ବର୍ଷା ସମ୍ଭାବନା

୪ ଜିଲାକୁ ରେଡ୍‌ ଓ୍ବାର୍ନିଂ : ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ପୁଣି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏଥିସହିତ ସୃଷ୍ଟ ଘୂର୍ଣ୍ଣିବଳୟ ମଧ୍ୟ ସମୁଦ୍ର ପତ୍ତନଠାରୁ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି, ଯାହା ଆଗାମୀ ୨ ଦିନ ମଧ୍ୟରେ ଉତ୍ତର ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଆଡକୁ ଗତି କରିବାର ସମ୍ଭାବନା ରହିଛି। ଏପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିଥିବାରୁ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲା ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି। ଏଥିସହ ଆସନ୍ତା ୫ ତାରିଖ ଯାଏ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ପାଇଁ ୪ ଜିଲାରେ ଅତ୍ୟନ୍ତ ବର୍ଷା ସମ୍ଭାବନା ଥିବାରୁ ରେଡ ୱାର୍ନିଂ ଜାରି ହୋଇଛି। ସେସବୁ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ବର। ସେହିପରି ୭ ଜିଲାକୁ ଅରେଞ୍ଜ ଓ ୧୫ ଜିଲାକୁ ୟେଲୋ ୱାର୍ନିଂ ଜାରି କରିଛି ପାଣିପାଗ ବିଭାଗ।

ଉପରମୁଣ୍ଡରେ ଥିବା ଝାଡ଼ଖଣ୍ଡ ଏବଂ ଓଡ଼ିଶାର ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାରେ ଲଗାଣ ବର୍ଷା ଜାରି ରହିଥିବାରୁ ପୁଣି ବିଭିନ୍ନ ନଦୀରେ ବନ୍ୟାସ୍ଥିତି ଦେଖାଦେଇଛି। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ତଳିଆ ଅଞ୍ଚଳକୁ ବନ୍ୟାଜଳ ମାଡ଼ିବାରେ ଲାଗିଛି। ସୁବର୍ଣ୍ଣରେଖାର ରାଜଘାଟଠାରେ ବିପଦ ସଙ୍କେତ ସ୍ତର ୧୦.୩୬ ମିଟର ଥିବାବେଳେ ରବିବାର ଅପରାହ୍ନ ୩ଟା ସୁଦ୍ଧା ଜଳସ୍ତର ୮.୪୧ ମିଟର ରହିଥିଲା। ସେହିପରି ବୁଢ଼ାବଳଙ୍ଗ ନଦୀରେ ଗୋବିନ୍ଦପୁରଠାରେ ବିପଦ ସଙ୍କେତ ସ୍ତର ୮.୧୩ ମିଟର ଥିବାବେଳେ ଜଳସ୍ତର ୬.୯୪ ମିଟର ରହିଛି। ତେବେ ଜଳକା ନଦୀରେ ମଥାନୀରେଠାରେ ବିପଦ ସଙ୍କେତ ସ୍ତର ୬.୫୦ ମିଟର ଥିବାବେଳେ ଏଠାରେ ଜଳସ୍ତର ୬.୬୫ ମିଟର ଉପରେ ପ୍ରବାହିତ ହେଉଥିବା ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅପରପକ୍ଷେ ଏସବୁ ନଦୀରେ ଜଳସ୍ତର ଯେପରି ବୃଦ୍ଧି ପାଇବାରେ ଲାଗିଛି ତାହାକୁ ନେଇ ବଡ଼ ବନ୍ୟା ଆଶଙ୍କା କରିଛନ୍ତି ବିଭାଗୀୟ ଅଧିକାରୀ। ସୁବର୍ଣ୍ଣରେଖାରେ ରବିବାର ରାତିରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେବାର ଆଶଙ୍କା ରହିଥିବାବେଳେ ବୁଢାବଳଙ୍ଗ ନଦୀରେ ସୋମବାର ସକାଳ ୯ଟା ସୁଦ୍ଧା ୮.୨୦ ମିଟର ବନ୍ୟାଜଳ ପ୍ରବାହିତ ହେବାର ଅନୁମାନ କରାଯାଉଛି। ତେଣୁ ସ୍ଥିତିର ମୁକାବିଲା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ରବିବାରଠାରୁ କ୍ଷେତ୍ର ପରିଦର୍ଶନ ସହ ବନ୍ୟା ସ୍ଥିତି ତଦାରଖ କରାଯାଉଛି। ଏଥିସହ ବିଭାଗର ସେଚ ସଦନଠାରେ ଥିବା ବନ୍ୟା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟିଆ କାର୍ଯ୍ୟ କରୁଛି। ସେହିପରି ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ଏବଂ ଆବଶ୍ୟକ ରିଲିଫ୍‌ କାର୍ଯ୍ୟ ପରିଚାଳନା ପାଇଁ ବାଲେଶ୍ୱର ଜିଲାପାଳଙ୍କୁ ସତର୍କ କରାଯାଇଛି। କ୍ଷେତ୍ରସ୍ତରରେ ସ୍ଥିତି ଅନୁଧ୍ୟାନ ଓ ତଦାରଖ କରିବା ତଥା ସମ୍ଭାବ୍ୟ ବନ୍ୟା ସ୍ଥିତି ପରିଚାଳନାରେ ସହାୟତା ପାଇଁ ଜଳସମ୍ପଦ ବିଭାଗର ଜଣେ ସର୍ବୋଚ୍ଚ ଯନ୍ତ୍ରୀ ଏବଂ ଅନ୍ୟଜଣେ ମୁଖ୍ୟଯନ୍ତ୍ରୀ ବାଲେଶ୍ୱର ଗସ୍ତ କରିଥିବା ସୂଚନା ଦିଆଯାଇଛି। ସେପଟେ ଜିଲାର ତଳିଆ ଅଞ୍ଚଳରେ ବନ୍ୟାପାଣି ମାଡିଯିବାରୁ ଓଡ୍ରାଫ୍‌ ଟିମ୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି।