ପ୍ରତି ଶନିବାର ଭିତ୍ତିଭୂମି ଉପରେ ସମୀକ୍ଷା ବୈଠକ : ମୁଖ୍ୟ ଶାସନ ସଚିବ 

ପ୍ରତି ଶନିବାର ଭିତ୍ତିଭୂମି ଉପରେ ସମୀକ୍ଷା ବୈଠକ : ମୁଖ୍ୟ ଶାସନ ସଚିବ 

ଭୁବନେଶ୍ୱର : ଆଜି ଖାରବେଳ ଭବନରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବସିଥଲା । ବୈଠକରେ ସମସ୍ତ ବିଭାଗର ସଚିବମାନେ ଉପସ୍ଥିତ ରହିଥିଲେ । ବୈଠକରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି, ବଜେଟ ଖର୍ଚ୍ଚ, ଖାଲି ଥିବା ପଦବୀ ପୂରଣ ନେଇ ଆଲୋଚନା ହୋଇଛି । କେଉଁ ବିଭାଗର କେତେ ପଦବୀ ଖାଲି ରହିଛି ଏବଂ କ'ଣ ପଦକ୍ଷେପ ନିଆଯାଇଛି ସେନେଇ ମଧ୍ୟ ଆଲୋଚନା ହୋଇଛି ।

   ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, 'ପ୍ରତି ଶନିବାର ଭିତ୍ତିଭୂମି ଉପରେ ସମୀକ୍ଷା ବୈଠକ ହେବ । ବର୍ତ୍ତମାନ ସୁଦ୍ଧା ବଜେଟର ୫୦ ପ୍ରତିଶତ ଖର୍ଚ୍ଚ ହୋଇଛି । ଆଉ ଆଢେଇ ମାସ ଭିତରେ ବଳକା ବଜେଟକୁ ଦୃତ ଗତିରେ ଖର୍ଚ୍ଚ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ରାଜସ୍ୱ କିପରି ବିଭିନ୍ନ ଉତ୍ସରୁ ଆସିପାରିବ ବିଭାଗ ସେଥିପ୍ରତି ଦାୟିତ୍ୱବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରାଯିବ । ଜିଲ୍ଲାର ସ୍ଥିତି ସମ୍ପର୍କରେ ବି ମାନସ ମନ୍ଥନ ହେବ । ସମସ୍ତ ବିଭାଗର ସଚିବମାନେ ମଧ୍ୟ ଅନ୍ୟ କୌଣସି ଦିନ ବୈଠକ ନଡାକି ସେହିଦିନ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିପାରିବେ । ମୁଖ୍ୟମନ୍ତ୍ରୀ ଦେଇଥିବା ୧୫ସୂତ୍ରୀ ଉପରେ ବିଭାଗ ଗୁଡିକ କ'ଣ ନିଜେ ନିଜର ପ୍ରସ୍ତୁତି କରିଛନ୍ତି ତା ଉପରେ ବୈଠକରେ ଆଲୋଚନା ହୋଇଛି । ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରିବା ମୁଖ୍ୟ ଲକ୍ଷ୍ୟ ରହିଛି । ସଚିବମାନେ ଫିଲ୍ଡ ଭିଜିଟ ବେଳେ ମେଗା ପାନୀୟ ଜଳ ପ୍ରକଳ୍ପକୁ ଗୁରୁତ୍ୱ ଦେଇ ସମୀକ୍ଷା କରିବେ । ଏହା ସହ ଆସନ୍ତା ପୂର୍ଣ୍ଣାଙ୍ଗ ବଜେଟ ଉପରେ ବିଭାଗ ଗୁଡିକ ଦେଇଥିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଖାରବେଳ ଭବନରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ବସିଥିବା ସଚିବ ସ୍ତରୀୟ ବୈଠକରେ ଏଭଳି ନିଷ୍ପତି ହୋଇଛି ।