ପିପିଲିରେ ବଢ଼ିଚାଲିଛି ଦୁଷ୍କର୍ମ ସଂଖ୍ୟା

ପିପିଲିରେ ବଢ଼ିଚାଲିଛି ଦୁଷ୍କର୍ମ ସଂଖ୍ୟା

ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଆଇନ ଶୃଙ୍ଖଳା ପରିସ୍ଥିତି । ବିଶେଷ କରି ନାବାଳିକାଙ୍କୁ ଦୁଷ୍କର୍ମ ଓ ମହିଳାଙ୍କୁ ନିର୍ଯାତନା ଘଟଣା ବଢିଚାଲିଛି । ଏଇ ୨ ମାସ ଭିତରେ ୫ ଜଣ ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗ ଆସିଛି । ସବୁ ଘଟଣା ପିପିଲି ଥାନା ଅଞ୍ଚଳରେ ଘଟିଛି । କେତେବେଳେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେଉଛନ୍ତି ତ ଆଉ କେତେବେଳେ ସପ୍ତମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଆଉ କେବେ ନାବାଳକକୁ ଅପ୍ରାକୃତିକ ଯୌନ ଶୋଷଣ ଅଭିଯୋଗ । ଦିନକ ତଳେ ରବିବାର ଦିନ ପିପିଲିରେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଦୁଷ୍କର୍ମ ସହ ହତ୍ୟା ଉଦ୍ୟମ ହୋଇଥିଲା । ସେହିଦିନ ତେଇଶିପୁର ପଞ୍ଚାୟତର ଜଣେ ମହିଳା ଆର.ଆଇଙ୍କୁ ପିପିଲି ଅତିରିକ୍ତ ତହସିଲଦାର ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ପରେ ଅତିରିକ୍ତ ତହସିଲଦାରଙ୍କୁ ବଦଳି କରାଯାଇଛି । ଏ ସମସ୍ତ ଘଟଣାରେ ପୁଲିସ କେବଳ ଅଭିଯୁକ୍ତଙ୍କୁ ଗିରଫ କରି ଚୁପ୍ ବସିଯାଉଛି । କିନ୍ତୁ ଏହାକୁ ନେଇ ପିପିଲି ଅଞ୍ଚଳର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକମାନେ ନିନ୍ଦା କରୁଛନ୍ତି । ଏବେ ପିପିଲି ଅଞ୍ଚଳରେ ଆଇନଶୃଙ୍ଖଳା ସ୍ଥିତି ଏମିତି ବିଗିଡ଼ି ଗଲାଣି ଯେ, ପିଲାଙ୍କୁ ଟ୍ୟୁସନ୍ ଓ ସ୍କୁଲ ପଠାଇବାକୁ ଅଭିଭାବକମାନେ ଡରିଲେଣି । ରାଜ୍ୟ ବିଜେଡିର ବରିଷ୍ଠ ନେତାମାନେ ଆଜି ଏ ପ୍ରସଙ୍ଗରେ ପୋଲିସ ଡିଜି ୱାଇ.ବି. ଖୁରାନିଆ ଏବଂ ପୁରୀ ଏସପିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।