ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଏକତା କାପୁର
ekata kapoor

ଭୁବନେଶ୍ୱର : ସତ୍ୟ ଘଟଣା ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର ‘ଦ ସାବରମତୀ ରିପୋର୍ଟ’କୁ ରାଜ୍ୟ ସରକାର କରମୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ନେଇଛନ୍ତି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷତ୍ତି ପାଇଁ ସିନେମାର ପ୍ରଯୋଜିକା ଏକତା କାପୁର ଧନ୍ୟବାଦ ଜଣାଇଛନ୍ତି ।
ସୂଚନାଯୋଗ୍ୟଯେ, ୨୦୦୨ ଫେବୃଆରୀ ୨୭ର ଗୋଧ୍ରା ରେଳ ପୋଡ଼ି ଘଟଣା ଉପରେ ଏହି ସିନେମାଟି ଆଧାରିତ । ଏହି ମର୍ମନ୍ତୁଦ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ରଟି ଓଡ଼ିଶାରେ ପ୍ରଦର୍ଶିତ ହେଉଛି । ଚଳଚ୍ଚିତ୍ରର ଗୁଣାତ୍ମକ ତଥା ଭାବାତ୍ମକ କାହାଣୀ ଦୃଷ୍ଟିରୁ ଚଳଚ୍ଚିତ୍ରକୁ ଅଧିକ ଲୋକ ଦେଖିବା ଆବଶ୍ୟକ । ଓଡ଼ିଶାର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଚଳଚ୍ଚିତ୍ରକୁ କରମୁକ୍ତ କରିଛନ୍ତି ।
ଏନେଇ ଏକ୍ସ ଯୋଗେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ସାବରମତୀ ରିପୋର୍ଟ'କୁ ଓଡ଼ିଶାରେ କରମୁକ୍ତ କରିବା ପାଇଁ ଲୋକଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି । କିଛି ସ୍ୱାର୍ଥବାଦୀ ବ୍ୟକ୍ତିଙ୍କ ନିଜସ୍ୱ ସ୍ୱାର୍ଥ ପୂରଣ ଏବଂ ଅସ୍ଥିରତା ସୃଷ୍ଟି ପାଇଁ ଗୋଧ୍ରା ଅଗ୍ନିକାଣ୍ଡରେ କିଭଳି ଭାବରେ କରସେବକଙ୍କୁ ଜୀବନ୍ତ ଦଗ୍ଧ କରାଯାଇଥିଲା ତାହା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶାଯାଇଛି । ଏହି ଚଳଚ୍ଚିତ୍ର ଅତୀତର ଏଭଳି ଏକ ଲୋମହର୍ଷଣକାରୀ, ହୃଦୟ ବିଦାରକ ସତ୍ୟ ଘଟଣାକୁ ଲୋକଙ୍କ ନିକଟରେ ପହଞ୍ଚାଇବ ଏବଂ ସାଧାରଣ ଜନତା ଅଧିକ ସଚେତନ ହେବେ ବୋଲି ଉଲ୍ଲେଖ କରିଛନ୍ତି ।