ଜଳବାୟୁ ପରିବର୍ତ୍ତନ ଓ ଭୂସ୍ଖଳନ


     ହିମାଳୟ ଅଂଚଳରେ ମାତ୍ର ପନ୍ଦର ଦିନ ମଧ୍ୟରେ ତିନୋଟି ପ୍ରାକୃତିକ ବିପର୍ଯ୍ୟୟ ତଥା ବାଦଲଫଟା ବର୍ଷା କେବଳ ତିନୋଟି ଚରମ ଜଳବାୟୁ ଘଟଣା ନୁହେଁ, ପ୍ରକୃତିର କୋପର ପରିଣତି ବୋଲି କୁହାଯାଇପାରିବ । ବାଦଲଫଟା ବର୍ଷା, ଏବେ ଆଉ ଅସ୍ୱାଭାବିକ ଘଟଣା ନୁହେଁ । ଉତ୍ତରାଖଣ୍ଡର ଧରାଳିରେ ବାଦଲଫଟା ବର୍ଷାର ବିପର୍ଯ୍ୟୟା ୧୦ଦିନ ପରେ କାଶ୍ମୀରର କିସ୍ତୱାର ଓ କାଠୁଆରେ ମାତ୍ର ତିନି ଦିନ  ମଧ୍ୟରେ ଦୁଇଟି ବାଦଲଫଟା ବର୍ଷା, ଆକସ୍ମିକ ବର୍ଷା, ଭୂସ୍ଖଳନ, ଧ୍ୱଂସ ଓ ମୃତୁ୍ୟର ତାଣ୍ଡବ ରଚିଛି । କେବଳ ହିମାଳୟ ଅଂଚଳ ନୁହେଁ, ଦେଶର ବିଭିନ୍ନ ଅଂଚଳରେ ବାଦଲଫଟା ବର୍ଷା, ଅତିବୃଷ୍ଟି ଏବେ ଭୂସ୍ଖଳନର ତାଣ୍ଡବର ରୂପ ନେଇଛି ବୋଲି କହିଲେ ଭୁଲ ହୋଇନପାରେ । ପାର୍ବତ୍ୟ ଅଂଚଳରେ ଅଣଯୋଜନାକୃତ ନିର୍ମାଣ, ଜନବସତି ପ୍ରତିଷ୍ଠା, ଶିଳ୍ପ ପ୍ରତିଷ୍ଠା, ଆଖିବୁଜା ଗଛ କଟା ଏବଂ ଜଳଧାରାର ଗତିପଥ ନିୟନ୍ତ୍ରଣ ଏବଂ ଭୂମିରେ ଅସ୍ଥିରତା ଏବେ ବାଦଲଫଟା ଓ ଭୂସ୍ଖଳନର କାରଣ ହୋଇଛି । ଅତୀତରେ ଉତ୍ତରାଖଣ୍ଡର ଯୋଶୀମଠ, ବଦ୍ରିନାଥ, କେରଳର ୱାୟନାଡ ଅଂଚଳରେ ବାଦଲଫଟା ବର୍ଷା, ଭୂସ୍ଖଳନ ଓ ମୃତୁ୍ୟର ତାଣ୍ଡବ ରଚିଥିବାବେଳେ ପନ୍ଦର ଦିନ ମଧ୍ୟରେ ଧରାଳି, କିସ୍ତିୱାର ଓ କାଠୁଆରେ ବାଦଲଫଟା ବର୍ଷା, ଆକସ୍ମିକ ବନ୍ୟା, ଭୂସ୍ଖଳନ ସମଗ୍ର ମାନବ ସମାଜ ପାଇଁ ସତର୍କ ଘଂଟି ସଦୃଶ ହୋଇଛି । କାରଣ ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରା ବୃଦ୍ଧି ପ୍ରଭାବରେ । ଆସନ୍ତାକାଲି ଆଉ କେଉଁଠି ଚରମ ପ୍ରାକୃତିକ ବିପର୍ଯ୍ୟାୟ ଘଟଣା ସମ୍ଭାବନାକୁ ଅଣଦେଖା କରାଯାଇନପାରେ । ଏହା ସତ୍ୟ ଯେ, ବିଶ୍ୱ ଜଳବାୟୁ ପରବର୍ତ୍ତନ ଓ ବିଶ୍ୱ ତାପମାତ୍ରା ବୃଦ୍ଧି ଏବେ କେବଳ ଭାରତ ତଥା ହିମାଳୟ ଭୂଖଣ୍ଡର ସମସ୍ୟା ନୁହେଁ । ଏହାର ପ୍ରଭାବ ଏବେ ସାରା ବିଶ୍ୱରେ  ପରିଲିଖିତ ହୋଇଛି । ଗଲା ଜୁନ୍ ମାସରେ ପର୍ତ୍ତୁଗାଲର ତାପମାତ୍ରା ୪୬ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଥିଲା । ୟୁରୋପର ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ୨୦୦୦ରୁ ଉଦ୍ଧ୍ୱର୍ ଜଙ୍ଗଲ ଜମି ପୋଡି ପାଉଁଶ ହୋଇଯାଇଥିବାବେଳେ ହଜାର ହଜାର ଲୋକ ସ୍ଥାନାନ୍ତର ହୋଇଥିଲେ । କେବଳ ଆମେରିକା କିମ୍ବା ୟୁରୋପ ନୁହେଁ, ଏସିଆ ମହାଦେଶର ବିଭିନ୍ନ ଅଂଚଳରେ ବିଶ୍ୱ ତାପମାତ୍ରା ପ୍ରଭାବରେ ଅସହ୍ୟ, ଗ୍ରୀଷ୍ମ ପ୍ରବାହ, ବନ୍ୟା, ବାତ୍ୟା ଅନିମୟିତ ମୌସୁମୀ ବର୍ଷା, ହିମଶୃଙ୍ଗ ତରଳିବା, ସମୁଦ୍ର ଜଳ ପତନ ବୃଦ୍ଧି ପାଇବାରେ ଲାଗିଛି । ବନ୍ୟା, ବାତ୍ୟା, ଗ୍ରୀଷ୍ମ ପ୍ରବାହ ମୃତୁ୍ୟର ତାଣ୍ଡବ ରଚୁଛି । ଭାରତରେ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ କ୍ରମଶଃ ବଢିବାରେ ଲାଗିଥିବାବେଳେ ୨୦୧୫ ରୁ ୨୦୨୪ ମଧ୍ୟରେ ୩୨.୩ ମିଲିଅନ ଲୋକ ସ୍ଥାନାନ୍ତର ହୋଇଥିବା ଜେନେଭା ସ୍ଥିତ ଇଂଟର ନ୍ୟାଶନାଲ ବିସ୍ଥାପିତ ମନିଟରିଂ ସେଂଟର(ଆଇଡିଏମସି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି । ସେହିପରି ବୈଶ୍ୱିକ ପରିସଂଖ୍ୟାନ ମଧ୍ୟ ଅତି ଗମ୍ଭୀର । ଏହି ଅବଧି ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟାୟ କାରଣରୁ ୨୬୪.୮ ମିଲିଅନ ବିସ୍ଥାପିତ ହେବାକୁ ବାଧ୍ୟ ହୋଇଥିବା କୁହାଯାଏ । ଭାରତ ବ୍ୟତୀତ ଚୀନ, ଫିଲପାଇନସ୍, ବଙ୍ଗଳାଦେଶ ମଧ୍ୟ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟରେ କୁହାଯାଇଛି । ଆଇଡିଏମସି ରିପୋର୍ଟରେ ବିଶ୍ୱର ସର୍ବାଧିକ ପ୍ରାକୃତିକ ବିପଦସଂକୁଳ ରାଷ୍ଟ୍ର ତାଲିକାରେ ଚୀନ ପ୍ରଥମ ସ୍ଥାନରେ ରହିଥିବାବେଳେ ଫିଲପାଇନସ୍ ଦ୍ୱିତୀୟ ଏବଂ ଭାରତ ତୃତୀୟ ସ୍ଥାନରେ ରହିଛି । ୨୦୨୧ରେ ହାରାହାରି ତାପମାତ୍ରା ୨୫.୫ ଡିଗ୍ରୀ ଥିବାବେଳେ ୨୦୨୪-ରେ ୨୫.୭୪ ଡିଗ୍ରୀ ସେଲସିୟସ୍କୁ ବୃଦ୍ଧି ପାଇଛି । ଉଭୟ ଦିନ ଓ ରାତ୍ରିର ତାପମାତ୍ରା ଏହି ଅବଧି ମଧ୍ୟରେ ୧ଡିଗ୍ରୀ ବୃଦ୍ଧି ପାଇଛି । କେବଳ ଏତିକି ନୁହେଁ, ଗତ ବର୍ଷ ଭାରତରେ ସର୍ବାଧିକ ୨୦ ହିଟୱେଭ୍ ଦିବସ ଥିବା ରେକର୍ଡ କରାଯାଇଛି । ଯାହାକି ଗତ ୧୪ବର୍ଷ ମଧ୍ୟରେ ସର୍ବାଧିକ ।  ପ୍ରକୃତି ଉପରେ କ୍ରଗାମତ ଅତ୍ୟାଚାର ବିଶ୍ୱ ତାପମାତ୍ରା ଓ ଜଳବାୟୁ ପରିବର୍ତ୍ତନ ବଢିଚାଲିଛି । ଏହାର ପ୍ରଭାବରେ ପ୍ରାକୃତିକ ବିପର୍ଯ୍ୟୟ ବଢିଚାଲିଛି । ଏବେ ଧରାଳି, କିସ୍ତୱାର ଓ କାଠୁଆରେ ପ୍ରାକୃତିକ ବିପର୍ଯ୍ୟୟ ଘଟିଛି । ବେଳହୁଁ ସତର୍କ ନ ହେଲେ ହିମାଳୟରେ ଆହୁରି ବିପର୍ଯ୍ୟୟ ଘଟିବା ସମ୍ଭାବନାକୁ ଅଣଦେଖା କରାଯାଇନପାରେ ।
ସୌଭାଗ୍ୟ ରଞ୍ଜନ ମହାନ୍ତି,ମୋ:୭୯୭୮୬୬୬୪୦୩