ଉପ-ନିର୍ବାଚନ ଫଳାଫଳ, ୱାୟନାଡ଼ରେ ପ୍ରିୟଙ୍କାଙ୍କ ରେକର୍ଡ ବିଜୟ
ନୂଆଦିଲ୍ଲୀ,: ଆଜି ମହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭା ଫଳାଫଳ ସହ ବିଭିନ୍ନ ରାଜ୍ୟରେ ହୋଇଥିବା ଉପ-ନିର୍ବାଚନର ଫଳାଫଳ ମଧ୍ୟ ପ୍ରକାଶ ପାଇଛି । ଡେବୁ୍ୟରେ କମାଲ କରିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା । ସେ ପ୍ରଥମଥର ପାଇଁ କୌଣସି ନିର୍ବାଚନ ଲଢି ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସ୍ଥିତି ଏପରି ହୋଇଛି ଯେ ପ୍ରିୟଙ୍କା ଭାଇ ରାହୁଲ ଗାନ୍ଧିଙ୍କ ୨୦୧୯ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । କେରଳର ୱାୟନାଡ ଲୋକସଭା ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ପ୍ରିୟଙ୍କା ଏକତରଫା ବିଜୟ ହାସଲ କରିଛନ୍ତି । ପ୍ରିୟଙ୍କା ବିଜୟ ହୋଇଥିବାରୁ ଏବେ ସଂସଦରେ ଗାନ୍ଧି ପରିବାରର ୩ ସଦସ୍ୟଙ୍କୁ ଦେଖିବାକୁ ମିଳିବ । ପ୍ରଥମଥର ପାଇଁ ରାହୁଲ ଓ ପ୍ରିୟଙ୍କା ଲୋକସଭାରେ ରହିବ । ସେହିପରି ମା’ ସୋନିଆ ଗାନ୍ଧି ରାଜ୍ୟସଭାର ସଦସ୍ୟ ରହିଛନ୍ତି । ପ୍ରିୟଙ୍କା ୱାୟନାଡରେ ୪,୧୦,୯୩୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ୬,୨୨,୩୩୮ ଖଣ୍ଡ ଭୋଟ ମିଳିଥିବା ବେଳେ ଏଲଡିଏଫର ସତ୍ୟୟାନ ମୋକଇରି ୨,୧୧,୪୦୭ ଖଣ୍ଡ ଭୋଟ ପାଇଛନ୍ତି । ବିଜେପିର ନବ୍ୟା ହରିଦାସ ମାତ୍ର ୧,୦୯,୯୩୯ ଖଣ୍ଡ ଭୋଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ।
ଆଜି ୨ଟି ଲୋକସଭା ଆସନ କେରଳର ୱାୟନାଡ ଓ ମହାରାଷ୍ଟ୍ରର ନାନେ୍ଦଡ଼ ଏବଂ ୪୬ଟି ବିଧାନସଭା ଆସନ ପାଇଁ ଫଳାଫଳ ପ୍ରକାଶ ପାଇଛି । ଉତ୍ତରପ୍ରଦେଶ, ପଞ୍ଜାବ, କେରଳ, ଉତ୍ତରାଖଣ୍ଡ, ରାଜସ୍ଥାନ, ପଶ୍ଚିମବଙ୍ଗ, ଆସାମ, ବିହାର, ମେଘାଳୟ, ଛତିଶଗଡ଼, ଗୁଜରାଟ, ରାଜସ୍ଥାନ, ସିକିମ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକର ୪୮ଟି ବିଧାନସଭା ଆସନ ପାଇଁ ନଭେମ୍ବର ୧୩ ଓ ୨୦ ତାରିଖରେ ଉପନିର୍ବାଚନ ହୋଇଥିଲା । ତେବେ ସିକିମରେ ଦୁଇଟି ବିଧାନସଭା ପାଇଁ ନିର୍ବାଚନରେ ଜଣେ ଲେଖାଁଏ ପ୍ରାର୍ଥୀ ଛିଡା ହୋଇଥିବାରୁ ସେମାନେ ଆଗୁଆ ବିଜୟୀ ଘୋଷଣା ହୋଇଛନ୍ତି । ୱାୟନାଡକୁ କଂଗ୍ରେସ ଓ ନାନେ୍ଦଡକୁ ବିଜେପି ହାତେଇନେଇଛି । ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର ଓ ଆସାମରେ ବିଜେପି ବାଜିମାତ କରିଥିବା ବେଳେ ପଞ୍ଜାବରେ ଆପ, ପଶ୍ଚିମବଙ୍ଗରେ ଟିଏମସି, କର୍ଣ୍ଣାଟକରେ କଂଗ୍ରେସ ବାଜିମାତ କରିଛି । ଆସାମର ୫ଟି ଆସନରୁ ବିଜେପି ୨ଟି, କଂଗ୍ରେସ ଗୋଟିଏ ଓ ଅନ୍ୟାନ୍ୟ ୨ଟି ଆସନ ଜିତିଛନ୍ତି । ସେହିପରି ବିହାରରେ ୪ରୁ ଆସନରୁ ବିଜେପି-୨, ଜେଡିୟୁ-୧ ଓ ଅନ୍ୟ ଦଳ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି । ସେହିପରି ରାଜସ୍ଥାନର ୭ଟି ଆସନରୁ ବିଜେପି-୫, ବିଏପି-୨ଟି ଆସନରେ ଜିତିଛନ୍ତି । ଉତ୍ତରପ୍ରଦେଶର ୯ଟି ଆସନରୁ ବିଜେପି-୬, ସମାଜବାଦୀ ପାର୍ଟି-୨ ଓ ଏଆରଏଲଡି ଗୋଟିଏ ଆସନରେ ବିଜୟୀ ହୋଇଛି । ପଞ୍ଜାବର ୪ ଆସନରୁ ଆପ-୩ ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି । କର୍ଣ୍ଣାଟକର ୩ ଆସନରୁ ୩ଟିଯାକ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । କେରଳର ୨ଟି ଆସନରୁ ଗୋଟିଏ କଂଗ୍ରେସ ଓ ଅନ୍ୟଟି ସିପିଆଇଏମ ହାତେଇଛି । ଛତିଶଗଡର ଗୋଟିଏ ଆସନରେ ବିଜେପି ଜିତିଛି । ମଧ୍ୟପ୍ରଦେଶର ୨ଟି ଆସନରୁ ଗୋଟିଏ ବିଜେପି ଓ ଗୋଟିଏ କଂଗ୍ରେସ ହାତେଇଛି । ମେଘାଳୟର ଗୋଟିଏ ଆସନକୁ ଏନପିପି ଜିତିଛି । ସିକ୍କିମର ୨ଟି ଆସନ ଏସକେଏମ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ଜିତିଛନ୍ତି । ସେହିପରି ଉତ୍ତରାଖଣ୍ଡର ଗୋଟିଏ ଆସନ ବିଜେପି ଓ ଗୁଜରାଟର ଗୋଟିଏ ଆସନ କଂଗ୍ରେସ ଜିତିଛି । ସେହିପରି ପଶ୍ଚିମବଙ୍ଗରେ ମମତା ଦିଦି ବାଜିମାତ କରିଛନ୍ତି । ଏଠାରେ ୬ଟି ଆସନରୁ ଖବର ଲେଖା ହେବା ପର୍ଯ୍ୟନ୍ତ ୩ଟି ଟିଏମସି ଜିତିଥିବା ବେଳେ ଅନ୍ୟ ୩ଟି ଆସନରେ ଆଗୁଆ ଥିଲା ।