ମହତାବଙ୍କ ଉପରେ ହେବ ବାୟୋପିକ୍ ଲୋକଲୋଚନକୁ ଆସିବ ବରପୁତ୍ରଙ୍କ କୃତି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଉକôଳ କେଶରୀ ଡଃ ହରେକୃଷ୍ଣ ମହତାବ ଥିଲେ ଆଧୁନିକ ଓଡିଶା ନିର୍ମାଣର ବିଶ୍ୱକର୍ମା । ତାଙ୍କ ଜୀବନୀ ଉପରେ ବାୟୋପିକ୍ ନିର୍ମାଣ କରାଯିବ । ସେହିପରି ଇତିହାସରେ ଅନାଲୋଚିତ ବରପୁତ୍ରମାନଙ୍କ କୃତି ଲୋକଲୋଚନକୁ ଆସିବ । ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀ ସ୍ମରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।
ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଡଃ ମହତାବଙ୍କୁ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ, ସାହିତି୍ୟକ, ସାମ୍ବାଦିକ, ଐତିହାସିକ, କୂଟନୀତିଜ୍ଞ ଓ ଲୋକପ୍ରିୟ ରାଜନେତା ଭାବେ ବିବେଚନା କରାଯାଇଥାଏ । ଓଡିଶାର ଗଡଜାତ ଆନ୍ଦୋଳନରେ ମଧ୍ୟ ତାଙ୍କର ମୁଖ୍ୟ ଭୂମିକା ରହିଥିଲା ।
ଦେଶ ସ୍ୱାଧୀନ ହେବା ପୂର୍ବରୁ ୧୯୪୬ ମସିହା ଅପ୍ରେଲ ୨୩ରେ ପ୍ରଧାନମନ୍ତ୍ରୀ ଭାବେ ଓଡିଶାର ଶାସନ ଭାର ଗ୍ରହଣ କରି ଏକ ଅବହେଳିତ ପଛୁଆ ରାଜ୍ୟକୁ ସେ ଉନ୍ନତି ପଥରେ ଆଗେଇ ନେଇଥିଲେ । ଓଡିଶାକୁ ଆଗେଇ ନେବା ପାଇଁ ସେ ତିନୋଟି କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଉଥିଲେ । ପ୍ରଥମଟି ହେଲା ଦେଶୀୟ ରାଜ୍ୟ ମିଶ୍ରଣରେ ବୃହତ୍ତର ଓଡିଶା ଗଠନ, ଦ୍ୱିତୀୟ ଥିଲା ଓଡିଶାକୁ ସମୃଦ୍ଧ କରିବା ପାଇଁ ହୀରାକୁଦରେ ନଦୀବନ୍ଧ ବାନ୍ଧି ମହାନଦୀରେ ବନ୍ୟା ନିୟନ୍ତ୍ରଣ ଓ ବିଦୁ୍ୟତ ଉତ୍ପାଦନ ମାଧ୍ୟମରେ ଶିଳ୍ପ ପ୍ରତିଷ୍ଠା ଏବଂ ତୃତୀୟ ଥିଲା ଭୁବନେଶ୍ୱରରେ ରାଜଧାନୀ ନିର୍ମାଣ । ଡଃ ମହତାବ ଥିଲେ ଓଡିଶାର ଶେଷ ପ୍ରଧାନମନ୍ତ୍ରୀ ଓ ପ୍ରଥମ ମୁଖ୍ୟମନ୍ତ୍ରୀ । ହୀରାକୁଦ ବନ୍ଧ, ରାଜଧାନୀ ପ୍ରତିଷ୍ଠା, ରାଜଭବନ ନିର୍ମାଣ, ଓଡିଶା ସାହିତ୍ୟ ଏକାଡେମୀ, ଓଡିଶା ରାଜ୍ୟ ସଂଗ୍ରହାଳୟ, ରାଜ୍ୟ ଲଳୀତ କଳା ଏକାଡେମୀ, ଭଞ୍ଜ କଳା ମଣ୍ଡପ, ରବୀନ୍ଦ୍ର ମଣ୍ଡପ, କଟକ ରେଡିଓ ଷ୍ଟେସନ, ହାଇକୋର୍ଟ, ନନ୍ଦନ କାନନ, ବିଦ୍ୟାଧରପୁର ଧାନ ଗବେଷଣା କେନ୍ଦ୍ର, ଓଡିଶା ପବ୍ଲିକ ସର୍ଭିସ କମିଶନ ହେଉଛି କେତେକ ପ୍ରମୁଖ ଅବଦାନ ଯାହା ତାଙ୍କୁ ଚିର ସ୍ମରଣୀୟ କରି ରଖିବ ।
ବିଗତ ବହୁବର୍ଷ ଧରି ଓଡିଶା କେବଳ ଗୋଟିଏ ପରିବାରର ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରିଆସୁଥିଲା । ଜଣଙ୍କୁ ମହାନ କରିବା ପାଇଁ ଅନ୍ୟମାନଙ୍କୁ ହତାଦାର କରିବା କେବେ ହେଲେ ଏକ ସୁସ୍ଥ ପରମ୍ପରା ନୁହେଁ । ଏହି କ୍ରମରେ ଆଧୁନିକ ଓଡିଶାର ମଙ୍ଗୁଆଳ ଡଃ ମହତାବଙ୍କ ୧୨୫ ତମ ଜୟନ୍ତୀର ଏକ ବର୍ଷ ବ୍ୟାପୀ ଜାତୀୟ ସ୍ତରର ଉସôବ ପାଳନ ଏକ ଉପଯୁକ୍ତ ପଦକ୍ଷେପ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟରେ ସେ କୃତଜ୍ଞତା ପ୍ରକାଶ କରିଥିଲେ । ମହତାବଙ୍କ ଜୀବନୀ ଉପରେ ବାୟୋପିକ୍ ନିର୍ମାଣ କରାଯିବା ସହ ଜନ୍ମସ୍ଥଳୀ ଭଦ୍ରକ ଜିଲ୍ଲା ଅଗରପଡା ଠାରେ ଏକ ସ୍ମୃତି ସଂଗ୍ରହାଳୟ ପ୍ରତିଷ୍ଠା ସହିତ ପ୍ରତିମୂର୍ତ୍ତି ସ୍ଥାପନା କରାଯିବ ।
ଅନ୍ୟତମ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେଯେ, ମହତାବଙ୍କ ବିଷୟରେ ଜାଣିବାକୁ ହେଲେ ଯୁବପିଢିଙ୍କୁ ତାଙ୍କ ବିଷୟରେ ଅଧ୍ୟୟନ କରିବାର ଆବଶ୍ୟକତା ରହିଛି । ଓଡିଶାର ବରପୁତ୍ରମାନଙ୍କୁ ମନେ ରଖିବା ଓ ମନେ ପକାଇବା ଦାୟିତ୍ୱ ଆମ ସମସ୍ତଙ୍କର । ଓଡିଆ ଭାଷା, ସହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ ଡଃ ମହତାବ ଜଣେ ବିସ୍ମୟ ପୁରୁଷ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ତାଙ୍କର ଏହି ସ୍ମରଣ ଉତ୍ସବ ରାଜ୍ୟସ୍ତରୀୟ ଉସôବରେ ନୁହେଁ ଜାତୀୟସ୍ତରୀୟ ଉସôବରେ ପରିଣତ ହୋଇଛି । ଏହି ଅବସରରେ କଟକ ସାଂସଦ ଭର୍ତ୍ତୃହରି ମହତାବ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମରେ ମହତାବ ସାହିତ୍ୟ କୃତୀ ପାଇଁ ସାହିତି୍ୟକ ଶଙ୍କର ଲାଲ ପୁରୋହିତ, ନିଶାମଣି କର ଓ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ୭ଟି ପୁସ୍ତକ ଯଥା କଫିଟେବୁଲ ବୁକ ମ୍ୟାନ ଅଫ ଡେଷ୍ଟିନି, ମହାନାୟକ ମହତାବ, ଓଡିଆ ସାହିତ୍ୟ ଏକାଡେମୀ ଦ୍ୱାରା ହରେକୃଷ୍ଣ ମହତାବ, ଶିଶୁଲେଖା, ମହତଂ ମହତାବ, ରାଜ୍ୟ ସଂଗ୍ରହାଳୟ ଦ୍ୱାରା ମହତାବ ଓ ଅନ୍ୟାନ୍ୟ କୃତୀ ଏବଂ ହରେକୃଷ୍ଣ ମହତାବ ଫାଉଣ୍ଡେସନ ଦ୍ୱାରା ଗାଁ ମଜଲିସ୍ର ଏକାଦଶ ଖଣ୍ଡ ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ମହତାବଙ୍କ ଉପରେ ଆୟୋଜିତ ଫଟୋଚିତ୍ର ଏବଂ ତୈଳଚିତ୍ର ପ୍ରଦର୍ଶନୀ ମୁଖ୍ୟମନ୍ତ୍ରୀ ବୁଲିଦେଖିଥିଲେ ।
ସୂଚନାଯୋଗ୍ୟଯେ, ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ଜାତୀୟସ୍ତରୀୟ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଯୋଗଦେଇଥିଲେ ।
ଆଜିର କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ନିଦେ୍ର୍ଦଶକ ବିଜୟ କେତନ ଉପାଧ୍ୟାୟ ଧନ୍ୟବାଦ ଦେଇଥିଲେ ।