ରନର୍ସ-ଅପ୍ ଚେକ୍ ତଳେ ଫିଙ୍ଗିଦେଲେ ସଲମାନ ଆଗା

ଏସିଆ କପ୍ରେ ଟିମ୍ ଇଣ୍ଡିଆର ବଡ଼ ବିଜୟ ହୋଇଛି । ନବମ ଥର ପାଇଁ ଏସିଆ କପ୍ ବିଜୟ କ୍ରିଡ଼ାପ୍ରେମୀଙ୍କ ପାଇଁ ଆଉ ଏକ ସ୍ମରଣୀୟ ମୂହୁର୍ତ୍ତ ଆଣିଦେଇଛି । କିନ୍ତୁ ଗୋଟିଏପଟେ ଟିମ୍ଇଣ୍ଡିଆ ଏହି ବିଜୟକୁ ନେଇ ସେଲିବ୍ରେସନ୍ କରୁଥିଲା ବେଳେ ପାକିସ୍ତାନ ଖେଳାଳିଙ୍କ ଉପରେ ଏହାର ଜୋରଦାର ପ୍ରଭାବ ଦେଖିବାକୁ ମିଳିଛି । ଆଉ ଏହାର ପ୍ରଭାବ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓରୁ ପ୍ରମାଣିତ ହୋଇଛି । ମାତ୍ର ୧୨ ସେକେଣ୍ଡର ଭିଡିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି ଯେ ମ୍ୟାଚ୍ ପରବର୍ତ୍ତୀ ପ୍ରେଜେଣ୍ଟେସନ୍ ସମାରୋହ ସମୟରେ, ଆଗା ଏସିସି ପ୍ରତିନିଧି ଅମିନୁଲ ଇସଲାମଙ୍କଠାରୁ ରନର୍ସ-ଅପ୍ ଚେକ୍ ନେଉଛନ୍ତି, ଏବଂ ପରେ ପଛକୁ ବୁଲି ଏହାକୁ ତଳେ ଫିଙ୍ଗି ଦେଉଛନ୍ତି ।
ଏଥିରୁ ହିଁ ସ୍ପଷ୍ଟ ଯେ, ସଲମାନ ଆଗା ପରାଜୟକୁ ନେଇ କେତେ ବିଚଳିତ ଅଛନ୍ତି । ତେବେ ଏହି ଘଟଣା ବାବଦରେ ଯେତେବେଳେ ଆଗାଙ୍କୁ ପଚରାଗଲା ସେ କହିଲେ, ଏବେ ଏହାକୁ ଗ୍ରହଣ କରିବା କଷ୍ଟଦାୟକ । କିନ୍ତୁ ମୁଁ ଭାବୁଛି ଆମେ ବ୍ୟାଟରେ ଭଲ ପ୍ରଦର୍ଶନ କରିନଥିଲୁ, ଏବଂ ବୋଲିଂରେ ମୁଁ ଭାବୁଛି ଆମେ ଭଲ ଥିଲୁ । କିନ୍ତୁ ଯାହା ଚାହିଁଥିଲୁ ତାହା କରିପାରିଲୁ ନାହିଁ । ଅନ୍ୟପକ୍ଷରେ ପାକିସ୍ତାନ ଅଧିନାୟକ ସଲମାନ ଆଗା କରିଥିବା ଘୋଷଣାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ଏସିଆ କପ୍ ହାରିବା ପରେ, ପାକିସ୍ତାନୀ ଅଧିନାୟକ ସଲମାନ ଆଗା ତାଙ୍କର ଘୋଷଣା ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ, ସେ ଏବେ ବି ଆତଙ୍କବାଦୀଙ୍କ ସହିତ ଠିଆ ହୋଇଛନ୍ତି । ମ୍ୟାଚ୍ ହାରିବା ପରେ ପାକିସ୍ତାନୀ ଦଳର ଅଧିନାୟକ ଆଗାଙ୍କ କରିଥିବା ଘୋଷଣାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ସେପ୍ଟେମ୍ବର ୨୮ ତାରିଖରେ ଏସିଆ କପ୍ ୨୦୨୫ ଫାଇନାଲରେ ପରାଜୟ ପରେ, ସଲମାନ ଅଲି ଆଗା କହିଥିଲେ, "ଆମେ ଆମର ସମ୍ପୂର୍ଣ୍ଣ ମ୍ୟାଚ୍ ଫି’ ଭାରତୀୟ ଆକ୍ରମଣରେ ପ୍ରାଣ ହରାଇଥିବା ସାଧାରଣ ନାଗରିକ ଏବଂ ପିଲାମାନଙ୍କୁ ଦାନ କରିବାକୁ ଚାହୁଁଛୁ।" ଏଭଳି ଘୋଷଣା ସ୍ପଷ୍ଟ କରିଛି ଆତଙ୍କବାଦୀଙ୍କ ସହିତ ଛିଡ଼ା ହୋଇଛି ପାକିସ୍ତାନୀ କ୍ରିକେଟ୍ ଦଳ ।