ବାରବାଟୀ ମ୍ୟାଚ୍ ଖେଳିବେ ନା ନାହିଁ କୋହଲି ?

ଆଣ୍ଠୁରେ ଆଘାତ ଯୋଗୁଁ ଇଂଲଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳି ନଥିଲେ ବିରାଟ କୋହଲି । ତାଙ୍କ ଅନୁପସ୍ଥିତିରେ ମଧ୍ୟ ଟିମ୍ ଇଣ୍ଡିଆ ୪ ୱିକେଟ୍ରେ ବିଜୟୀ ହୋଇଛି । ମ୍ୟାଚ୍ରେ, ଗିଲ୍ ୮୭ ରନ୍ର ଏକ ବିଜୟୀ ଇନିଂସ ଖେଳିଥିଲେ । ଏଥିପାଇଁ ସେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବି ବିବେଚିତ ହୋଇଛନ୍ତି । ପ୍ରଥମ ଦିନିକିଆ ପରେ କଟକ ବାରବାଟୀରେ ହେବାକୁ ଥିବା ଦ୍ୱିତୀୟ ଦିନିକିଆ ଖେଳିବେ କି ନାହିଁ ତାହାକୁ ନେଇ ଟେନ୍ସନ୍ରେ କ୍ରିକେଟ ପ୍ରେମୀ । କିନ୍ତୁ କଟକ ବାରବାଟୀ ମ୍ୟାଚ୍ ପୂର୍ବରୁ ଏବେ ବିରାଟ କୋହଲିଙ୍କ ଫିଟ୍ନେସ୍କୁ ଆସିଛି ବଡ଼ ଅପଡେଟ୍ ।
ବାରବାଟୀରେ ବିରାଟ କୋହଲିଙ୍କ ଝଲକ ପାଇବାକୁ ଚାତକ ଭଳି ଚାହିଁ ରହିଛନ୍ତି ପ୍ରଶଂସକ । ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଝଲକ ପାଇବାକୁ ବାରବାଟୀ ଷ୍ଟାଡିୟମ ଟିକେଟ୍ କାଉଣ୍ଟରରେ ଜବରଦସ୍ତ ଭିଡ଼ ଜମାଇଥିଲେ ପ୍ରଶଂସକ । ଖାଲି ସେତେକି ନୁହେଁ ବାରବାଟୀ ମ୍ୟାଚ୍ ପାଇଁ ଅନ୍ଲାଇନ୍ ଟିକେଟ ମାତ୍ର ଅଧଘଣ୍ଟାରେ ଶେଷ ହୋଇଯାଇଥିଲା । ଏଣୁ ବାରବାଟୀରେ ଯଦି ବିରାଟ କୋହଲି ନଖେଳନ୍ତି ଏହା ପ୍ରଶଂସକଙ୍କ ପାଇଁ ବଡ଼ ଝଟକା ହେବ । ତେବେ ଡ୍ରେସିଂରୁମ୍ରୁ ବିରାଟ କୋହଲିଙ୍କୁ ନେଇ ଭଲ ଖବର ଆସୁଛି । ତେବେ ଏହାକୁ ନେଇ ବିସିସିଆଇ କିମ୍ବା ଟିମ୍ ମ୍ୟାନେଜମ୍ୟାଣ୍ଟ୍ କୌଣସି ଅପଡେଟ୍ ଦେଇ ନାହାନ୍ତି । କିନ୍ତୁ ପ୍ରଥମ ଦିନିକିଆ ପରେ ଶୁଭମନ ଗିଲ୍ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି ତାହା ଫ୍ୟାନ୍ସଙ୍କ ପାଇଁ ନିଶ୍ଚିତ ଭାବରେ ଆଶ୍ୱସ୍ତିକର ଖବର ।
ମ୍ୟାଚ ପୂର୍ବରୁ କୋହଲିଙ୍କ ଆହତ ସମସ୍ୟା ନେଇ କ୍ୟାପଟେନ୍ ରୋହିତ ଶର୍ମା ଅପଡେଟ୍ ଦେଇଥିଲେ । ତାଙ୍କ ଆଣ୍ଠୁ ଫୁଲି ଯାଇଥିବାରୁ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ଖେଳି ପାରିନଥିଲେ । ମ୍ୟାଚ୍ ପରେ ଶୁଭମନ ଗିଲ କୋହଲିଙ୍କ ଫିଟ୍ନେସ୍କୁ ନେଇ ସୂଚନା ଦେଇଥିଲେ । ଗିଲ୍ କହିଥିଲେ ମ୍ୟାଚ୍ ପୂର୍ବଦିନ ସେ ସମ୍ପୂର୍ଣ୍ଣ ଫିଟ୍ ଥିଲେ, ସକାଳୁ ଆମେ ଜାଣିବାକୁ ପାଇଲୁ ଯେ ତାଙ୍କ ଆଣ୍ଠୁରେ ସମସ୍ୟା ଥିଲା । ପରବର୍ତ୍ତୀ ମ୍ୟାଚ୍ ସୁଦ୍ଧା ସେ ଫିଟ୍ ହୋଇଯିବେ । ଆଣ୍ଠୁ ସମସ୍ୟା ଯୋଗୁଁ ଖୁବ୍ କମ୍ ଥର ଚୂଡ଼ନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି ବିରାଟ କୋହଲି । ତେବେ ବାରବାଟୀ ପୂର୍ବରୁ କୋହଲି ଫିଟ୍ ହେଉଛନ୍ତି କି ନାହିଁ ତାହାରି ଉପରେ ରହିଛି ସଭିଙ୍କ ନଜର । ସେପଟେ କୋହଲିଙ୍କ ଅନୁପସ୍ଥିତିରେ ଭାରତୀୟ ବ୍ୟାଟର ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ୨୪୯ ରନ୍ ଟାର୍ଗେଟ୍ ଦେଇଥିଲା ଇଂଲିଶ ଟିମ୍ । ବିଜୟ ଲକ୍ଷ୍ୟକୁ ମାତ୍ର ୩୮. ୪ ଓଭରରେ ହାସଲ କରିଛି ଟିମ୍ ଇଣ୍ଡିଆ । ୫ଟି ଟିକିଆ ଦିନିକିଆ ସିରିଜ୍ରେ ଏବ ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ ।