ସ୍କୁଲ ପରିସର ପାଲଟିଛି ସରୀସୃପଙ୍କ ଆଶ୍ରୟସ୍ଥଳ  

 ଖଣ୍ଡପଡ଼ା :  ଖଣ୍ଡପଡ଼ା ସହରର ମଧ୍ୟଭାଗରେ ଅବସ୍ଥିତ ଟାଉନ ମଡେଲ ପ୍ରାଥମିକ ବିଦ୍ୟାଳୟଟି ୧୯୧୨ମସିହାରେ ଗଢ଼ି ଉଠିଥିଲା । ଇତିମଧ୍ୟରେ ୧୧୩ ବର୍ଷ ଅତିକ୍ରମ କରିଥିବା ଏହି ପୁରାତନ ଶିକ୍ଷାନୁଷ୍ଠାନଟି ବିଭିନ୍ନ ସମସ୍ୟା ମଧ୍ୟଦେଇ ଗତି କରୁଥିବା ଜଣାପଡିଛି । ପ୍ରଥମରୁ ୫ମଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଶିକ୍ଷାଦାନ କରି ଆସୁଥିବା ଏହି ଶିକ୍ଷାନୁଷ୍ଠାନରେ ଏବେ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି  । ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ ଅଭାବରୁ ବିଭିନ୍ନ ସମୟରେ ପିଲାମାନେ ପାଠ ପଢ଼ିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭଙ୍ଗା ଦଦରା ଆଜବେଷ୍ଟସ ଛପର ଘରେ ପିଲାମାନେ ପାଠ ପଢୁଥିବାରୁ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ସମୟାନୁକ୍ରମେ ରକ୍ଷଣାବେକ୍ଷଣ ଅଭାବରୁ ଶ୍ରେଣୀଗୃହର କାନ୍ଥରେ ଫାଟ ସୃଷ୍ଟି ହୋଇଛି ଓ ବର୍ଷାଦିନେ ଆଜବେଷ୍ଟସ ଛପର ଘରୁ ପାଣି ଗଳୁଥିବାବେଳେ ଗୋଟିଏ ଶ୍ରେଣୀଗୃହକୁ ବିପଦଶଙ୍କୁଳ ଦର୍ଶାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଉକ୍ତ ଶ୍ରେଣୀଗୃହରେ ତାଲା ଝୁଲାଇ ଦେଇଛନ୍ତି । ଖଣ୍ଡପଡ଼ା ଏନଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଦ୍ୟାଳୟ ପରିସରରେ ୨ଟି ନୂତନ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଅନୁଦାନ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ୨ବର୍ଷ ପରେ ବି ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇନାହିଁ । ଶ୍ରେଣୀ ଗୃହ ନିର୍ମାଣ ନିମନ୍ତେ ପ୍ରସ୍ତାବିତ ସ୍ଥାନ ଅନାବନା ଗଛଲତାରେ ଭର୍ତ୍ତି ହୋଇ ବିଷଧର ସରୀସୃପଙ୍କ ଆଶ୍ରୟସ୍ଥଳ ପାଲଟିଛି । ଏଥିପ୍ରତି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ବ୍ଲକ ପ୍ରଶାସନ, ଖଣ୍ଡପଡ଼ା ବ୍ଲକ ଶିକ୍ଷାଧିକାରୀ ଦୃଷ୍ଟି ଦେଇ ତ୍ୱରିତ  ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।