ସରକାରୀ ଜମି ଉପରେ ବେଆଇନ ରାସ୍ତା
କେନ୍ଦୁଝର : କେନ୍ଦୁଝର ସଦର ତହସିଲ ମଣ୍ଡୁଆ ମୌଜାରେ ସରକାରୀ ଜମି ଏବଂ ଆଦିବାସୀ ଉପରେ ବେଆଇନ ରାସ୍ତା ନିର୍ମାଣ ଚାଲିଛି । ଉକ୍ତ ମୌଜାରେ ଖାତା ନମ୍ବର ୬୦/୧୯୬ ପ୍ଳଟ ନମ୍ବର ୧୮୦ ଥିବା ସାରଦ ଜଳ-୨ ଜମିକୁ ପ୍ଲଟିଂ କରାଯାଇ ବିକ୍ରୀ ହେଉଛି । ଉକ୍ତ ଜମିକୁ ରାସ୍ତା ନଥିବାରୁ ଡ୍ରେନ ସ୍ଲାବ ଉପରେ ମାଟି ଓ ପଥର ଗୁଣ୍ଡ ପକାଇ ଆମ୍ବ ତୋଟା ପାଶ୍ୱର୍ ପୋଖରୀ ହୁଡା ଉପରେ ରାସ୍ତା ନିର୍ମାଣ ଚାଲିଛି । ଡ୍ରେନ ସ୍ଲାବ ଏବଂ ପାଶ୍ୱର୍ରେ ମାଟି ଓ ପଥର ଗୁଣ୍ଡ ପଡିବା ଯୋଗୁଁ ଜଳ ନିଷ୍କାସନରେ ସମସ୍ୟା ଦେଖାଦେଇଛି । ଚାଷ ପାଇଁ ଉଦ୍ଦିଷ୍ଟ ଜମିକୁ ପ୍ଳଟିଂ କରି ବିକ୍ରୀ କରିବା ପାଇଁ ମସୁଧା ଚାଲିଛି । ଉକ୍ତ ଚାଷ ଜମିକୁ ରାସ୍ତା ନଥିବାବେଳେ ଯୋର ଜବରଦସ୍ତ ରାସ୍ତା ନିର୍ମାଣ ହେଉଥିବାରୁ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରି ଜିଲ୍ଲାପାଳ ଏବଂ ତହସିଲଦାରଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ମଣ୍ଡୁଆ ଗ୍ରାମର ଆମ୍ବ ତୋଟା ମଝିରେ ଏହି ରାସ୍ତା ନିର୍ମାଣ କରଯାଉଥିବାରୁ ସ୍ଥାନୀୟ ଲୋକ ମଧ୍ୟ ପ୍ରତିବାଦ କରୁଛନ୍ତି । କେନ୍ଦୁଝର ସଦର ତହସିଲ ଏବଂ ମଣ୍ଡୁଆ ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୧ କିମି ଦୂର ରାସ୍ତା ପାଶ୍ୱର୍ରେ ବେଆଇନ ଭାବେ ରାସ୍ତା ନିର୍ମାଣ ହେଉଥିଲେ ହେଁ ବିଭାଗର ଦୃଷ୍ଟି ପଡୁନାହିଁ । ପ୍ରଶାସନର ଛତ୍ରଛାୟା ତଳେ ଚାଲିଥିବା ଏଭଳି ବେଆଇନ କାମ ତୁରନ୍ତ ବନ୍ଦ କରିବାକୁ ଦାବୀ କରିଛନ୍ତି ବରିଷ୍ଠ ଆଇନଜୀବୀ ଅଶୋକ ଦାସ । ସୂଚନାଯୋଗ୍ୟ, କେନ୍ଦୁଝର ମାଷ୍ଟରପ୍ଲାନ ଅଂଚଳରେ କିସମ ପରିବର୍ତ୍ତନ ନ କରି ଚାଷ ଜମିକୁ ପ୍ଲଟିଂ କରି ବିକ୍ରୀ ଚାଲିଛି । ବେଆଇନ ଭାବେ ଚାଷ ଜମିରେ ରାସ୍ତା ନିର୍ମାଣ କରି ଉକ୍ତ ରାସ୍ତାକୁ ଦେଖାଇ କ୍ରେତା ମାନଙ୍କୁ ପ୍ରଲୋଭିତ କରୁଛନ୍ତି । ପରବର୍ତ୍ତୀ ସମୟରେ ଜମି କିଣିଥିବା ଲୋକମାନେ ଠକାମିର ଶୀକାର ହେଉଛନ୍ତି । ଗ୍ରାନ ଜୋନ ଏବଂ ରେଡ ଜୋନକୁ ପ୍ଲଟିଂ କରି ରାସ୍ତା,ଡ୍ରେନେଜ ବ୍ୟବସ୍ଥା ଓ ପରିବେଶ ସୁରକ୍ଷା ପ୍ରତି ଦୃଷ୍ଟି ନ ଦିଆଯାଇ ବିକ୍ରୀ କରାଯାଉଛି । ଜାଗା କିଣିଥିବା ଲୋକମାନଙ୍କର ଘରବାଡି କିସମ ପରିବର୍ତ୍ତନ ହୋଇ ପାରୁନାହିଁ । ଘରବାଡି କିସମ ନଥିଲେ ଗୃହ ନିର୍ମାଣ ଋଣ ମିଳୁନାହିଁ । ଅନେକ ଲୋକ କିସମ ନ ବଦଳାଇ ଘର କରୁଥିବାରୁ ପରବର୍ତ୍ତୀ ସମୟରେ ସମସ୍ୟାରେ ପଡୁଛନ୍ତି । ଚାଷ ଜମିକୁ ପ୍ଲଟିଂ କରି ବିକ୍ରୀ କରାଯାଉଥିବାରୁ ବର୍ଷା ଦିନରେ ଜଳ ନିଷ୍କାସନରେ ସମସ୍ୟା କାରଣରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । କେନ୍ଦୁଝର ସଦର ତହସିଲର ମାଷ୍ଟରପ୍ଲାନ ଅଂଚଳରେ ଏହି ନିୟମକୁ ନ ମାନି ଜମି କିଣାବିକା ଚାଲିଛି ।