୨୭ ସକାଳେ ବାତ୍ୟା ‘ମୋନ୍ଥା’

୨୭ ସକାଳେ ବାତ୍ୟା ‘ମୋନ୍ଥା’
  • ୨୮ ଓ ୨୯ ପାଇଁ ଅରେଞ୍ଜ ୱାର୍ଣ୍ଣିଂ
  • କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକରେ ହେବ ଅତି ପ୍ରବଳ ବର୍ଷା
  • ୨୬ରୁ ଆରମ୍ଭ ହୋଇଯିବ ଝଡ଼ ତୋଫାନ
  • ବେଶୀ ପ୍ରଭାବିତ ହେବ ତାମିଲନାଡୁ ଓ ଆନ୍ଧ୍ର

    ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତାକାଲି ଅବପାତରେ ପରିଣତ ହେବ । ୨୭ ସକାଳ ବେଳକୁ ଏହା ବାତ୍ୟାର ରୂପ ନେବ । ସେହି ବାତ୍ୟାର ନାଁ ରହିବ ‘ମୋନ୍ଥା’ । ତେବେ ଓଡ଼ିଶା ଉପରେ ତାହାର ବିଶେଷ ପ୍ରଭାବ ପରିଲକ୍ଷିତ ହେବନାହିଁ । ଏହାଦ୍ୱାରା ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ପ୍ରଭାବିତ ହେବବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହା ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଥିବାରୁ ୨୮ ଓ ୨୯ରେ ସେହିସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

    ଆଇଏମଡ଼ି ପକ୍ଷରୁ ଜାରି ବୁଲେଟିନ୍‌ ଅନୁଯାୟୀ, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ କ୍ଷେତ୍ର ଗତ ୩ ଘଣ୍ଟା ମଧ୍ୟରେ ଧିରେଧିରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୫ ସୁଦ୍ଧା ଦକ୍ଷିଣ-ପୂର୍ବ ଏବଂ ତତସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ୨୬ ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ଥିବାବେଳେ ୨୭ ସକାଳ ସୁଦ୍ଧା ଦକ୍ଷିଣ-ପଶ୍ଚିମ ଏବଂ ତତସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହି ଅବପାତ ବାତ୍ୟାର ରୂପ ନେଲେ ତାହାର ନାମ ରହିବ ‘ମୋନ୍ଥା’ । ଥାଇଲାଣ୍ଡ ଏହାର ନାମକରଣ କରିଛି । ଯାହାର ଅର୍ଥ ହେଉଛି ସୁବାସିତ ଫୁଲ ଅବା ସୁନ୍ଦର ଫୁଲ । ଏହାର ବେଶୀ ପ୍ରଭାବ ଓଡ଼ିଶା ଉପରେ ନଥିଲେ ମଧ୍ୟ ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବାତ୍ୟାକୁ ନେଇ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଅପରପକ୍ଷରେ ଲଘୁଚାପ ଓ ବାତ୍ୟାର ପ୍ରଭାବରେ ଆସନ୍ତା ୩୦ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ବିଶେଷକରି ୨୮ ଓ ୨୯ରେ ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୮ରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ଝଟକା ପବନ ବହିବ ।

     ଏହାଛଡ଼ା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ବଜ୍ରପାତର ସମ୍ଭାବନା ରହିଛି । ଅପରପକ୍ଷରେ କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ନୟଗଡ଼, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ଝଟକା ପବନର ବେଗ ୩୦ରୁ ୪୦ କିମି ରହିବ । ଏହାଛଡ଼ା ପ୍ରବଳ ବର୍ଷା ଓ ବଜ୍ରପାତ ହେବ । ଅପରପକ୍ଷରେ ଭଦ୍ରକ, ଯାଜପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ ନବରଙ୍ଗପୁରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ଝଟକା ପବନର ବେଗ ୩୦ରୁ ୪୦ କିମି ରହିବା ସହ ବଜ୍ରପାତର ସମ୍ଭାବନା ରହିଛି । ସେହିପରି ଆସନ୍ତା ୨୯ରେ ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ଝଟକା ପବନର ବେଗ ୩୦ରୁ ୪୦ କିମି ରହିବ । ଏହି ତିନି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଯେତେବେଳେକି ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ଝଟକା ପବନର ବେଗ ୩୦ରୁ ୪୦ କିମି ରହିବ । ସେହିପରି ପ୍ରବଳ ବର୍ଷା ଓ ବଜ୍ରପାତର ବି ସମ୍ଭାବନା ରହିଛି ।