ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନର ଷ୍ଟ୍ରାଟେଜି
ପୁରୀ : ପାଖେଇ ଆସୁଛି ସ୍ନାନଯାତ୍ରା ଓ ରଥଯାତ୍ରା । ଶୃଙ୍ଖଳିତ ନୀତି ପାଇଁ ପାଳିଆ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ । ଏ ସଂକ୍ରାନ୍ତରେ ସେବାୟତମାନଙ୍କ ସହ ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ । ହାତରେ ଏକମାସରୁ କମ୍ ସମୟ ରହିଛି । ଇତି ମଧ୍ୟରେ ସମସ୍ତ ପ୍ରସ୍ତୁତି ଶେଷ କରିବା ପାଇଁ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ଗତ ବର୍ଷ ପହଣ୍ଡି ବିଜେ ସମୟରେ ଅଘଟଣ ଘଟିବା ପରେ ଚଳିତ ବର୍ଷ ପହଣ୍ଡିକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ଗୁରୁତ୍ୱ ଦେଉଛି । ଚଳିତ ବର୍ଷ ରଥଯାତ୍ରାରେ ବ୍ୟବସ୍ଥାବଳି ଅନୁଯାୟୀ ନିର୍ଦ୍ଧିଷ୍ଟ ସେବାୟତଙ୍କୁ ନେଇ ପହଣ୍ଡି କରାଯିବ । କେଉଁ ନିଯୋଗରୁ କେତେ ସେବାୟତ ରହିବେ ସେଥିନେଇ ସଂଖ୍ୟା ଧାର୍ଯ୍ୟ କରାଯିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଖସଡ଼ା ପ୍ରସ୍ତୁତ କରୁଛି ।
ମଙ୍ଗଳବାର ଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଶୁଦ୍ଧସୁଆର,ଦର୍ପଣୀଆ, ଦାସମହାପାତ୍ର ସେବାୟତଙ୍କୁ ନେଇ କରାଯାଇଛି ବୈଠକ । ଉଭୟ ସ୍ନାନଯାତ୍ରା ଓ ରଥଯାତ୍ରାର ବ୍ୟବସ୍ଥାବଳି ଅନୁପାଳନ କରିବାକୁ ସମ୍ମତି ଦେଇଛନ୍ତି ବିଭିନ୍ନ ନିଯୋଗ । ଗତବର୍ଷ ବଡ଼ଠାକୁର ରଥ ଚାରମାଳ ଉପରେ ମୁହଁମାଡ଼ି ପଡ଼ିବା ଘଟଣାକୁ ନେଇ ବୈଠକରେ ଉଦ୍ବେଗ ପ୍ରକାଶ କରାଯାଇଥିବା ବେଳେ ଏଥିପାଇଁ ଦଇତାପତି ସେବାୟତମାନେ ନିଜକୁ ଦାୟୀ କରିଛନ୍ତି । ଚଳିତ ବର୍ଷ ଅଭିଜ୍ଞ ମାନଙ୍କ ଠାରୁ ଅଭିଜ୍ଞତା ଗ୍ରହଣ କରି ପହଣ୍ଡି କରିବାକୁ ଯୁବ ସେବକମାନେ ମତଦେଇଛନ୍ତି । ଖୁବ୍ଶୀଘ୍ର ପହଣ୍ଡି ପାଇଁ ସୂଚୀ ପ୍ରସ୍ତୁତ କରାଯିବ । ଆସନ୍ତା ୧୧ ତାରିଖରେ ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁଥିବାରୁ ୯ତାରିଖ ଠାରୁ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଦଇତାପତିମାନେ । ମଙ୍ଗଳାର୍ପଣ, ଯାତ୍ରାଙ୍ଗୀ ମହାସ୍ନାନ ଆଦି ସୁରୁଖୁରୁରେ ହେବା ପାଇଁ ସୁଦୁ ସୁଆରଙ୍କ ସହ ମନ୍ଦିର ପ୍ରଶାସନ ଆଲୋଚନା କରିଛି । ଚଳିତ ବର୍ଷ ପରିମାଣିକ ଦର୍ଶନ ପାଇଁ ୫୦୦୦ଟିକେଟର ବ୍ୟବସ୍ଥା କରାଯିବ । ୧୫୦ଟଙ୍କା ପ୍ରତି ଟିକଟ୍ର ମୂଲ୍ୟ ରଖାଯିବ । ପହଣ୍ଡି ଦର୍ଶନ ପାଇଁ ୩୦୦୦ଟଙ୍କା, ନବଯୌବନ ଦର୍ଶନପାଇଁ ୩୦୦୦ଟଙ୍କା ପ୍ରତି ଟିକେଟ୍ର ମୂଲ୍ୟ ରଖାଯାଇଛି । ଦଇତାପତି ସେବକମାନଙ୍କର ବକେୟା ପ୍ରାପ୍ୟ ପାଉଣାକୁ ନେଇ ବୈଠକରେ ଆଲୋଚନା କରାଯାଇଛି । ଯାତ୍ରୀ ତଥା ଭକ୍ତମାନଙ୍କୁ ରଥ ଉପରକୁ ବାରଣ କରାଯାଇଥିବାରୁ ଦଇତାପତିମାନଙ୍କୁ କ୍ଷତିଭରଣା ବାବଦରେ ୩କୋଟି ୮ଲକ୍ଷ ୭୦ହଜାର ଟଙ୍କା ଦିଆଯିବା ପାଇଁ ବରାଦ କରାଯାଇଛି । ସେବାୟତମାନଙ୍କୁ ଶୃଙ୍ଖଳିତ ନୀତି ପାଇଁ ପାଳିଆ ପୁରସ୍କାର ବାବଦରେ ଚଳିତ ବର୍ଷ ୪କୋଟି ଟଙ୍କା ବ୍ୟୟ କରାଯିବା ପାଇଁ ବରାଦ କରାଯାଇଛି । ସହଳ ନୀତି ଶୃଙ୍ଖଳିତ ପହଣ୍ଡି ପାଇଁ ଚଳିତ ବର୍ଷ ନୂତନ ଷ୍ଟାଟେଜି ମାନ ଆପଣାଇଛି ଶ୍ରୀମନ୍ଦିର ଓ ଜିଲ୍ଳା ପ୍ରଶାସନ ।