ଶ୍ରୀକୃଷ୍ଣଙ୍କ ସ୍ୱରୂପରୁ ଜୀବନ ଶିକ୍ଷା

ଶ୍ରୀକୃଷ୍ଣଙ୍କ ସ୍ୱରୂପ କେବଳ ମନ ମୋହି ନ ଥାଏ, ବରଂ ପ୍ରେରଣା ତଥା ଜୀବନଶିକ୍ଷା ମିଳିଥାଏ । ଅବଶ୍ୟ ଏକଥା ଜାଣିବା ପାଇଁ ତାଙ୍କ ସ୍ୱରୂପକୁ ଗଭୀର ଭାବେ ବୁଝିବା ଦରକାର ।
ମୟୂର ପୁଚ୍ଛ: ମାତା ଯଶୋଦା ସବୁବେଳେ କୃଷ୍ଣଙ୍କ ମୁକୁଟରେ ମୟୂରପୁଚ୍ଛ ଲଗାଉ ଥିଲେ । ଜୀବନରେ ମୟୂର ପୁଚ୍ଛ ଭଳି ଅନେକ ରଙ୍ଗ ଥିବା ତାଙ୍କ ମୟୂର ମୁକୁଟ ବାର୍ତ୍ତା ଦିଏ । ସୁଖ, ଦୁଃଖ, ସଫଳତା, ଅସଫଳତା ଭଳି ଜୀବନର ଅନେକ ରଙ୍ଗ ଅଛି । ଏଣୁ ଜୀବନ ରଙ୍ଗରୁ ଯାହା ବି କିଛି ପ୍ରାପ୍ତ ହୁଏ, ତାହାକୁ ମଥାପାତି ସ୍ୱୀକାର କରିବା ନେବା ଉଚିତ ।
ବଂଶୀ: ଭଗବାନ ଶ୍ରୀକୃଷ୍ଣଙ୍କ ହାତରେ ସର୍ବଦା ବଂଶୀ ଥାଏ । କୁହାଯାଏ, ଶ୍ରୀକୃଷ୍ଣ ଖୁବ୍ ସୁନ୍ଦର ଭାବେ ବଂଶୀ ବଜାଉ ଥିଲେ । ତାଙ୍କ ବଂଶୀ ଏହି ବାର୍ତ୍ତା ଦିଏ ଯେ, ଜୀବନରେ ଯେକୌଣସି ସମୟ ଆସୁ ନା କାହିଁ, ବିଚଳିତ ହେବା ଉଚିତ ନୁହେଁ । କାରଣ ମନ ଶାନ୍ତ ଥିଲେ, ଜୀବନ ସଫଳ ହୋଇଥାଏ ।
ବୈଜୟନ୍ତୀ ମାଳା: ଭଗବାନ କୃଷ୍ଣ ଗଳାରେ ବୈଜୟନ୍ତୀ ମାଳା ଧାରଣ କରୁଥିଲେ । ଏହି ମାଳା ପଦ୍ମ ମଞ୍ଜିରୁ ତିଆରି । ଉକ୍ତ ମାଳାର ଦୁଇଟି ଅର୍ଥ ରହିଛି । ପ୍ରଥମତଃ ଏହା ପଦ୍ମ ମଞ୍ଜି ଭଳି କଠିନ ହୋଇଥିବାରୁ ସହଜରେ ଭାଙ୍ଗି ନ ଥାଏ, ଚିକ୍ଚିକ୍ କରେ । ଏଣୁ ଜୀବନରେ ଶକ୍ତ ହେବାର ବାର୍ତ୍ତା ଏହି ମାଳା ଦେଇଥାଏ । ଦ୍ୱିତୀୟ ଅର୍ଥ ହେଉଛି, ମଞ୍ଜିର ସ୍ଥାନ ଭୂମି ହୋଇଥାଏ । ତେଣୁ ମାଟି ସହ ଯୋଡ଼ି ହୋଇ ରହିବାର ଏହି ମାଳା ଶିକ୍ଷା ଦିଏ ।
ପୀତାମ୍ବର: ଭଗବାନ ଶ୍ରୀକୃଷ୍ଣ ପୀତ ତଥା ହଳଦୀ ରଙ୍ଗର ବସ୍ତ୍ର ଧାରଣ କରୁଥିଲେ । ତେଣୁ ତାଙ୍କର ଅନ୍ୟ ନାମ ପୀତାମ୍ବର । ହଳଦିଆ ରଙ୍ଗ ସମ୍ପନ୍ନତାର ପ୍ରତୀକ । ପୁରୁଷାର୍ଥ ଏମିତି ହେବା ଉଚିତ ଯେ, ସମ୍ପନ୍ନତା ଆପେ ଆପେ ପାଖକୁ ଆସିବ ବୋଲି ତାଙ୍କ ପୀତାମ୍ବର ଶିକ୍ଷା ଦିଏ ।
ମାତା ଯଶୋଦା ଏବଂ ରାଧା: ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟାବସ୍ଥା ଛବିରେ ମାତା ଯଶୋଦାଙ୍କୁ ଦେଖିବାକୁ ମିଳେ । ସେହିପରି ଅନ୍ୟ ଛବିରେ କୃଷ୍ଣଙ୍କ ସହ ରାଧା ବି ନଜର ଆସିଥାନ୍ତି ଓ କୃଷ୍ଣଙ୍କ ଛବିରେ ମାତା ଯଶୋଦା ଏବଂ ରାଧା ଏକତ୍ର ରହିବାର ଅର୍ଥ ହେଉଛି, ଜୀବନରେ ନାରୀର ମହତ୍ତ୍ୱ ଅଛି । ଯାହା ବିନା ପ୍ରତ୍ୟେକ ପୁରୁଷ ଅଧୁରା । ସେଥିପାଇଁ ନାରୀଙ୍କୁ ପୂର୍ଣ୍ଣ ସମ୍ମାନ ଦେବା ଉଚିତ ।
ସୁଦର୍ଶନ ଚକ୍ର: ସୁଦର୍ଶନ ଚକ୍ର ବେଶ୍ ପ୍ରଭାବଶାଳୀ । ଏହାର ତୁଳନା ଅସ୍ତିତ୍ୱ ସହିତ କରାଯାଏ । ଏହାର ଅର୍ଥ ମଣିଷର ଅସ୍ତିତ୍ୱ ହିଁ ତା’ପାଇଁ ସୁଦର୍ଶନ । ଲୋକମାନେ ବ୍ୟକ୍ତିତ୍ୱକୁ ଦେଖି ବ୍ୟବହାର ପ୍ରଦର୍ଶନ କରିଥାନ୍ତି । ଗାଈ: ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ସବୁବେଳେ ଗାଈଙ୍କୁ ଦେଖିବାକୁ ମିଳେ । ଶ୍ରୀକୃଷ୍ଣଙ୍କ ପ୍ରିୟ ଗାଈ- ବାଛୁରୀ ଥିଲେ । ସେ ଗାଈବାଛୁରୀଙ୍କ ସହ ଖେଳୁଥିଲେ । କୃଷ୍ଣ କହନ୍ତି, ଗାଈଙ୍କ ଭିତରେ କାମଧେନୁ ଅଛନ୍ତି, ଯିଏକି ବାସ୍ତବିକ ଭାବେ ସମସ୍ତ ଇଚ୍ଛା ପୂରଣ କରିଥାନ୍ତି ।