ଶ୍ରୀମନ୍ଦିର ଭକ୍ତନିବାସ ଠକେଇ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଚିଠି : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ, : ଶ୍ରୀମନ୍ଦିର ପ୍ରଶାସନର ଭକ୍ତନିବାସଗୁଡ଼ିକ ନାମରେ ନକଲି ଓ୍ବେବସାଇଟ୍ ଖୋଲି ଖଳପ୍ରକୃତିର ଲୋକେ ଅନ୍ଲାଇନ ମାଧ୍ୟମରେ ଭକ୍ତ ଓ ପର୍ଯ୍ୟଟକଙ୍କୁ ଠକୁଥିଲେ। ଅନେକ ଭକ୍ତ ଓ ପର୍ଯ୍ୟଟକ ଭକ୍ତନିବାସ ପାଇଁ ପଞ୍ଜୀକରଣ କରି ପୁରୀ ଆସିବା ପରେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଉଥିଲେ। ଫଳରେ ସେମାନେ ସମସ୍ୟା ଭୋଗୁଥିଲେ। ଏହି ଘଟଣା ଶ୍ରୀମନ୍ଦିର ପ୍ରଶାସନ ନିମନ୍ତେ ଚିନ୍ତାର କାରଣ ପାଲଟିଥିଲା। ତେଣୁ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଛି। ସମ୍ପୃକ୍ତ ଠକମାନଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କ୍ରାଇମ୍ବ୍ରାଞ୍ଚକୁ ଚିଠି ଲେଖାଯାଇଛି।
ଏନେଇ ରବିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନର ଭକ୍ତନିବାସଗୁଡ଼ିକ ନାମରେ ନକଲି ୱେବସାଇଟ୍ ଖୋଲି ଠକେଇ ଘଟଣା ନଜରକୁ ଆସିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଅନୁରୋଧ କରାଯାଇଛି। ଶ୍ରୀମନ୍ଦିରର ନିଜସ୍ବ ୱେବସାଇଟ୍ www.srijagannath.in ଏବଂ www.satyapurijagannath.in ମାଧ୍ୟମରେ ଭକ୍ତନିବାସଗୁଡିକର ବୁକିଂ ହୋଇଆସୁଛି। କିନ୍ତୁ ଅନେକ ଖଳବ୍ୟକ୍ତି ନକଲି ୱେବସାଇଟ୍ ତିଆରିକରି ଭକ୍ତନିବାସ ନାମରେ ଲୋକଙ୍କୁ ଠକେଇ କରିଥିବାର ପ୍ରମାଣ ପାଇଛି ଶ୍ରୀମନ୍ଦିର ପ୍ରଶାସନ। ଏପରିକି ଏକ ନକଲି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇ ଏହି ଠକେଇ ପାଇଁ ଦେଣନେଣ ହୋଇଛି। ତେଣୁ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଚିଠିରେ କ୍ରାଇମବ୍ରାଞ୍ଚକୁ ଅନୁରୋଧ କରାଯାଇଛି। ଏହାସହିତ ପୂର୍ବରୁ ବିଭିନ୍ନ ଥାନାରେ ଦାଖଲ ହୋଇଥିବା ଏଫ୍ଆଇଆର୍ଗୁଡ଼ିକର ତଥ୍ୟ ସଂଲଗ୍ନ କରାଯାଇଛି ବୋଲି ଡ. ପାଢୀ ସୂଚନା ଦେଇଛନ୍ତି।