କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇଏଏସ ଦମ୍ପତି

ଭୁବନେଶ୍ୱର : ଓଡିଶା କ୍ୟାଡରର ଆଉ ଦୁଇଜଣ ଆଇଏଏସ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯିବେ । ସେମାନଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି । ୨୦୧୧ ବ୍ୟାଚ ଆଇଏଏସ୍‌ ସମର୍ଥ ବର୍ମା ଓ ତାଙ୍କ ଆଇଏଏସ୍‌ ପତ୍ନୀ ୨୦୧୪ ବ୍ୟାଚର ସ୍ୱାଧା ଦେବ ସିଂ କେନ୍ଦ୍ରୀୟ ଡେପୁଟେସନରେ ଯିବେ  । ସେମାନଙ୍କୁ ୩ ସପ୍ତାହ ସୁଦ୍ଧା ରିଲିଭ୍‌ କରିବା ନିମନ୍ତେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କୁ ଚିଠି ଲେଖି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଅବଗତ କରାଇଛନ୍ତି । ଆଇଏଏସ୍‌ ସମର୍ଥ ବର୍ମା ଏବେ ଓଡିଶା ସରକାରରେ ମାଇନର ମିନେରାଲ୍ସ ନିର୍ଦ୍ଦେଶକ ଓ ଅତିରିକ୍ତ ଭାବେ ଓଡିଶା ବନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଛନ୍ତି । ସମର୍ଥଙ୍କୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ସେ ଦାୟିତ୍ୱ ନେବା ଦିନଠୁ ୫ ବର୍ଷ ପର୍ଯ୍ୟନ୍ତ ଅବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ । ସେହିପରି ଆଇଏଏସ୍‌ ସ୍ୱାଧାଦେବ ସିଂ ଏବେ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଓ ରାଜ୍ୟ ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ଗତ ୨୬ରେ ନୂଆଦିଲ୍ଲୀସ୍ଥିତ ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟରେ ଜନଗଣନା ଦ୍ଭନିର୍ଦ୍ଦେଶକ/ନାଗରିକ ପଞ୍ଜିକରଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ସେ ଏହି ପଦବୀରେ ୨୦୨୫ ଡିସେମ୍ବର ୩୧ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ।