ଶ୍ରୀମୟୀ କାହା ଇସାରାରେ ବିଜେଡିକୁ ଟାର୍ଗେଟ କରୁଛନ୍ତି ?

ଶ୍ରୀମୟୀ କାହା ଇସାରାରେ ବିଜେଡିକୁ  ଟାର୍ଗେଟ କରୁଛନ୍ତି ?

ଭୁବନେଶ୍ୱର:  ଓଡ଼ିଶା ରାଜନୀତିରେ ବଡ଼ ହଲଚଲ। ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ରାଜନୀତି ସରଗରମ । କେତେବେଳେ ଅନ୍ଧ ଧୃତରାଷ୍ଟ୍ର ତ କେତେବେଳେ ଭଣ୍ଡ ସନ୍ୟାସୀ; ଏମିତି କହି ତେରେଚ୍ଛା ବାଣ ମାରୁଛନ୍ତି ଶ୍ରୀମୟୀ। ନାଁ ନ ନେଇ କେବଳ ଗୋଟିଏ ପରେ ଗୋଟିଏ ତୀରରେ ବିଜେଡିକୁ ଘାଇଲା କରୁଛନ୍ତି ବିଜେଡି ନେତ୍ରୀ। ଯାହାକୁ ନେଇ ବିଜେଡିରେ ଭୂକମ୍ପ।  ବିଜେଡି ଶ୍ରୀମୟୀଙ୍କୁ ଦେଇଛି ଚେତାବନୀ। ଆଗକୁ ଏମିତି କହିଲେ ନିଆଯିବ କଡ଼ା ଆକ୍ସନ। ଧମାକାଇବା ବନ୍ଦ କରନ୍ତୁ, ନ ହେଲେ ଜବାବ ଦିଆଯିବ । ବିଜେଡିର ଏହି ଚେତାବନୀ ପରେ କୁହାଯାଉଛି, କ’ଣ ପ୍ରଫୁଲ୍ଲ ମଲ୍ଲିକଙ୍କ ପରି ଶ୍ରୀମୟୀଙ୍କ ଉପରେ ହେବ କି ଆକ୍ସନ? ସେପଟେ ତାରାପ୍ରସାଦ କହିଲେ, ଶ୍ରୀମୟୀ କଂଗ୍ରେସକୁ ଆସିଲେ ସ୍ବାଗତ କରାଯିବ । ଶ୍ରୀମୟୀ ମିଶ୍ର, ଯିଏ ବିଜୁ ମହିଳା ଜାନତା ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷା ଅଛନ୍ତି ସେ କିଛିଦିନ ତଳେ ସୋସିଆଲ ମିଡିଆରେ ‘ଭଣ୍ଡ ସନ୍ନ୍ୟାସୀ’ ନାମକ ଉପାଖ୍ୟାନ ଲେଖିଛନ୍ତି। କୁହାଯାଉଛି ଯେ ସେ ଭିକେ.କେ. ପାଣ୍ଡିଆନଙ୍କୁ ଲକ୍ଷ୍ୟ କରି ଟାର୍ଗେଟ କରୁଛନ୍ତି।

 ଏହା ଶ୍ରୀମୟୀଙ୍କ ପ୍ରଥମ ଏଭଳି ପୋଷ୍ଟ ନୁହେଁ। କିଛି ଦିନ ପୂର୍ବେ ସେ ମହାଭାରତର ‘ଧୃତରାଷ୍ଟ୍ର’ର ଉଦାହରଣ ଦେଇ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରୁଥିବା କୁହାଯାଉଥିଲା। ଏହି ’ଧୃତରାଷ୍ଟ୍ର’ର ପୋଷ୍ଟ ପରେ ବିଜୁ ମହିଳା ଜନତା ଦଳର ଅଧ୍ୟକ୍ଷା ସ୍ନେହାଙ୍ଗିନୀ ଛୁରୀଆ କହିଥିଲେ ଯେ, ଶ୍ରୀମୟୀଙ୍କ ପୋଷ୍ଟ ବ୍ୟକ୍ତିଗତ ମତାମତ ମାତ୍ର, ପାର୍ଟିର ଆନୁଷ୍ଠାନିକ ସ୍ଥିତି ନୁହେଁ। ତେବେ ଶ୍ରୀମୟୀଙ୍କ ଏହି ପୋଷ୍ଟ ପରେ ବିଜେଡି ନେତ୍ରୀ ଅଂଶୁ ତ୍ରୀପାଠୀ ତାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଶ୍ରୀମୟୀ ବୋଧେ କୁରୁସଭାକୁ ଯାଉଛନ୍ତି। ସେଠାରେ ସେ ବହୁ ଭଣ୍ଡ ବାବାଙ୍କ ସଂସ୍ପର୍ଶରେ ଆସୁଛନ୍ତି। ସେହିପରି ମଙ୍ଗଳବାର ଶଙ୍ଖ ଭବନରେ ବସିଥିବା ଶୃଙ୍ଖଳା କମିଟି ବୈଠକରେ ଶ୍ରୀମୟଙ୍କ ସୋସିଆଲ ମିଡିଆ ପୋଷ୍ଟ ନେଇ ଆଲୋଚନା ହୋଇଛି। ଗଣମାଧ୍ୟମରେ ଦଳ ବିରୋଧୀ ବୟାନ ଦେଇଥିବା ନେତାଙ୍କ ବି ତାଲିକା ହୋଇଛି। କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତିଙ୍କ ପାଖକୁ ତାଲିକା ଯାଇଛି ବୋଲି ସୂଚନା ମିଳିଛି।