ସୁଭଦ୍ରା ପାଇଁ ୯୫ ଲକ୍ଷ ଆବେଦନ

ାା ପ୍ରଭାନୁ୍ୟଜାା ଭୁବନେଶ୍ୱର : ସୁଭଦ୍ରା ପାଇଁ ଏଯାଏଁ ୯୫ ଲକ୍ଷ ମହିଳା ଆବେଦନ କରିଛନ୍ତି  । ସେମାନଙ୍କ ମଧ୍ୟରୁ ୨୫ ଲକ୍ଷ ୨୯ ହଜାର ୭୨୦ ଜଣଙ୍କୁ ସହାୟତା ପ୍ରଦାନ କରାଯାଇଛି  । ସର୍ବାଧିକ ଫର୍ମ ପଞ୍ଜୀକରଣ କରିଥିବା ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରକୁ ଜିଲ୍ଲାସ୍ତରରେ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ । "ସୁଭଦ୍ରା’ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମସ୍ତ ଜିଲ୍ଲାପାଳକୁ ଧନ୍ୟବାଦ ଜଣାଇଛନ୍ତି  । ଏଯାଏଁ ୧ କୋଟି ୮୯ ଲକ୍ଷ ୩୪ ହଜାର ୧୭୬ ସୁଭଦ୍ରା ଆବେଦନ ଫର୍ମ ମଧ୍ୟରୁ ୧ କୋଟି ୫୭ ଲକ୍ଷ ୧ ହଜାର ୫୫  ଫର୍ମ ବଣ୍ଟନ କରାଯାଇଛି  । ଆଜି  ତାରିଖ ପର୍ଯ୍ୟନ୍ତ ୯୫ ଲକ୍ଷରୁ  ଅଧିକ  ଆବେଦନ ପଞ୍ଜିକୃତ ହୋଇସାରିଛି  । ସମୁଦାୟ ୨୫ ଲକ୍ଷ ୨୯ ହଜାର ୭୨୦ "ସୁଭଦ୍ରା" ହିତାଧିକାରୀଙ୍କୁ  ଅର୍ଥରାଶି ପ୍ରଦାନ କରାଯାଇଛି  । ଏଥି ମଧ୍ୟରୁ ୨୫ ଲକ୍ଷ ୧୭ ହଜାର ୫୪୫ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଏବଂ  ୧୨ ହଜାର ୧୭୫ ଜଣଙ୍କୁ ସିବିଡିସି  ଜରିଆରେ  ଅର୍ଥରାଶି  ପଠାଯାଇଛି  । ସମସ୍ତ ଅନୁମୋଦନ ଓ ଖାରଜ ଫର୍ମର ତାଲିକାକରଣ ସହ ସୁଭଦ୍ରା ୱେବ୍ ପୋର୍ଟାଲରେ ଦର୍ଶାଯିବ  । ଏସଏମସ ଦ୍ୱାରା ମଧ୍ୟ ସମସ୍ତଙ୍କୁ ଜଣାଇ ଦିଆଯିବ  । ଖୁବ୍ ଶୀଘ୍ର ସୁଭଦ୍ରା ଯୋଜନାରେ ଓଡିଶାର ଏକ କୋଟି ମହିଳାଙ୍କ ପଞ୍ଜିକରଣ ହୋଇଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି  । ଏକ ସରକାରୀ ଯୋଜନାରେ ଏକ କୋଟି ହିତାଧିକାରୀଙ୍କୁ ଯୋଡିବା ଆମ ପାଇଁ ଏକ ବଡ ଉପଲବ୍ଧି ହେବ ବୋଲି ସେ କହିଛନ୍ତି  । ପ୍ରଯୁକ୍ତି ବିଦ୍ୟାର ସଫଳ ଉପଯୋଗରେ ଏହି ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରାଯାଇଥିବାରୁ ସ୍ୱାସ୍ଥ୍ୟ ଓ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ସମସ୍ତ ଅଧିକାରୀଙ୍କୁ ପ୍ରଶଂସା କରିବା ସହିତ  ଜିଲ୍ଲାସ୍ତରରେ ସର୍ବାଧିକ ସୁଭଦ୍ରା ଫର୍ମ ପଞ୍ଜିକୃତ କରିଥିବା ‘ମୋ ସେବା କେନ୍ଦ୍ର’ ଓ ‘ଜନ ସେବା କେନ୍ଦ୍ର’କୁ ପୁରସ୍କୃତ କରିବା ପାଇଁ  ଜିଲ୍ଲାପାଳମାନଙ୍କୁ ପ୍ରସ୍ତାବ ଦେଇଥିଲେ  । ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ପଞ୍ଜୀକରଣ ଓ ଯାଞ୍ଚ ପ୍ରକ୍ରିୟା ବ୍ୟବସ୍ଥା ସଂପର୍କରେ  ବିସ୍ତୃତ ଭାବରେ ଆଲୋଚନା କରିଥିଲେ  । ସୂଚନାଯୋଗ୍ୟ କି, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଯଥାଶୀଘ୍ର ପ୍ରଦାନ କରାଯିବ  । ୨୦୨୫  ମାର୍ଚ୍ଚ ୮ ପୂର୍ବରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ  ପ୍ରଥମ କିସ୍ତି ମିଳିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି  ।