ଡିଜେ ନେଲା ଜୀବନ ! : ଆରପାରିରେ ଯାତ୍ରା ଅଭିନେତା ଦେବୀ
ଭୁବନେଶ୍ୱର : ଆରପାରିରେ ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା-ନିର୍ଦ୍ଦେଶକ ଦେବୀ ରଥ । ପାଞ୍ଚ ଦଶନ୍ଧି ଧରି ଯାତ୍ରା ମଞ୍ଚରେ ନିଜ ଅଭିନୟର ଯାଦୁକରୀରେ ଦର୍ଶକଙ୍କୁ ବାନ୍ଧି ରଖିôଥିବା ଦେବୀଙ୍କର ଆଜି ପରଲୋକ ହୋଇଯାଇଛି । ଏହାକୁ ନେଇ କଳାପ୍ରେମୀ ଓ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି । ଏସବୁ ଭିତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ଉଚ୍ଚଶବ୍ଦରେ ଡିଜେ ବାଜିବାରୁ ଦେବୀ ରଥଙ୍କର ପରଲୋକ ହୋଇଯାଇଛି ବୋଲି ତାଙ୍କ ପୁଅ ଅଭିଯୋଗ କରିଛନ୍ତି । ପାରାଦୀପ ଗଡ଼ରେ ଚାଲିଥିବା କାର୍ତ୍ତିକ ଭସାଣୀରେ ବହୁତ ଜୋରରେ ବାଜା ଓ ଡିଜେ ବାଜିଥିଲା । ପରିବାର ଲୋକଙ୍କ ବାରଣ ସତ୍ତେ୍ୱ କେହିବି କର୍ଣ୍ଣପାତ କରିନଥିଲେ ।
ଅନେକ ଅପେରାରେ ସେ ଅଭିନୟ କରିଥିବାବେଳେ ‘ତ୍ରିନାଥ ମେଳା' ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ । ଉଚ୍ଚକୋଟୀର ଅଭିନେତା ସହ ଭଲ ନିର୍ଦ୍ଦେଶକ ଭାବେ ବି ତାଙ୍କର ସୁନାମ ରହିଥିଲା । ହିରୋ, ଭିଲିଆନ ସହ ବାପା ଭୂମିକାରେ ତାଙ୍କ ଅଭିନୟ ସମସ୍ତଙ୍କୁ ଯାତ୍ରା ପେଣ୍ଡାଲକୁ ଟାଣିନେଉଥିଲା । ‘ବାଟ ଛାଡ ଷଣ୍ଢ ଆସୁଛି’, ‘ଜେଲ୍ ଟାଇଗର’, ‘ଡିମିରି ଫୁଲ’ ଭଳି ସୁପରହିଟ୍ ଯାତ୍ରାରେ ଦେବୀ ରଥଙ୍କର ନିଖୁଣ ଅଭିନୟ ସ୍ପଷ୍ଟ ବାରି ହୋଇପଡ଼ିଥିଲା । ପ୍ରଖ୍ୟାତ ନାଟ୍ୟକାର ଅନନ୍ତ ଓଝାଙ୍କର ପ୍ରାୟ ନାଟକରେ ଦେବୀ ରଥ ନିର୍ଦ୍ଦେଶନା ଦେଇଥିବାବେଳେ ତାଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି । ଉଲ୍ଲେଖଥାଉକି, ଇଷ୍ଟର୍ଣ୍ଣ ବ୍ଳୁରେ ସେ ଦୀର୍ଘ ବର୍ଷ ଧରି ଅଭିନୟ କରିଥିଲେ । ‘ଛତା ଚିହ୍ନ ଜିନ୍ଦାବାଦ’ ତାଙ୍କର ବେଶ ଚର୍ଚ୍ଚିତ ନାଟକ ମଧ୍ୟରୁ ଗୋଟିଏ ଥିଲା ।
ଯାତ୍ରା ସୁପରଷ୍ଟାର ସୁବାସ ବେହେରାଙ୍କ କହିବା କଥାଯେ, ଯାତ୍ରା ଜଗତ ପାଇଁ ସେ ଜଣେ ଇତିହାସ ଥିଲେ । ଜଣେ ରାଜ ପରିବାରର ପୁଅ ଦେବୀ ରଥ ପ୍ରଥମେ ତାଙ୍କ ଭଉଣୀ ମନୋରମା ଦାଶ ତିଆରି କରିଥିବା ତାରାପୁର କଳାକୁଞ୍ଜ ଅପେରାରେ ପ୍ରଥମେ ଅଭିନୟ କରିଥିଲେ । ସେଥିରେ ଦେବୀ ରଥ ଏଭଳି ଅଭିନୟ କରିଥିଲେଯେ, ସମସ୍ତଙ୍କୁ ପ୍ରଭାବିତ କରିପାରିଥିଲେ । ଖୁବ କମ୍ ଦିନରେ ସେ ନାୟକ ଭୂମିକାରେ ଅଭିନୟ କରିଥିଲେ । ଦେବୀଙ୍କ ବିୟୋଗରେ ଯାତ୍ରା ପ୍ରେମୀ ବିଜୟ ଖୁଣ୍ଟିଆ କହନ୍ତିଯେ, ‘ସେ ଛୁଆଟିଏ ବେଳୁ ଦେବୀ ରଥଙ୍କ ଅଭିନୟ ଦେଖି ଆସୁଥିଲେ । ତାରପୁର ଅପେରାରେ ତାଙ୍କର ‘ଜେଲ୍ ଟାଇଗର’, ‘ବାପ ଥାଇ ପୁଅ ଜାରଜ’, ‘ଡିମିରି ଫୁଲ’ ଆଦି ନାଟକରେ ତାଙ୍କର ଅଭିନୟ ଚମତ୍କାର ଥିଲା । ତା’ପରେ ସେ ତୁଳସୀ ଗଣନାଟ୍ୟରେ ‘ମାଂସ କଣ୍ଢେଇ’, ‘ପୁରୀ ବଡ଼ଦାଣ୍ଡ’, ‘ଆଖିକୁ ପଚାର ଲୁହର କଥା’ ଆଦି ନାଟକରେ ଦମଦାର ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ସେତେବେଳେ ସେ ଥିଲେ ସବୁଠାରୁ ଦମ୍ଦାର ଆର୍ଟିଷ୍ଟ । ତାଙ୍କ ନାଁରେ ହିଁ ଯାତ୍ରା ଚାଲୁଥିଲା । ଲୋକେ ଦେବୀ ରଥଙ୍କ ଅଭିନୟ ଦେଖିôବା ପାଇଁ ହିଁ ଟିକେଟ୍ କରୁଥିଲେ ବୋଲି ଶ୍ରୀଖୁଣ୍ଟିଆ କହିଛନ୍ତି ।