ପାଞ୍ଚବର୍ଷ ହେଲାଣି, ସରୁନି ପାଣ୍ଡୁଆ ନଦୀ ଉପରେ ନିର୍ମିତ ଉଚ୍ଚସେତୁ ଡଙ୍ଗା ହୋଇଛି ସାହା ଭରସା

 ଯାଜପୁର: ସମୟ ଅବଧି କେବେ ଠାରୁ ସରିଗଲାଣି । ହେଲେ ଠିକାଦାର ନିର୍ମାଣ କାର୍ଯ୍ୟ ଶେଷ କରୁନଥିବା ବେଳେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ବି ହାତ ଟେକି ଦେଇବସିଛି । ବିଭାଗ ଜନସ୍ୱାର୍ଥ ବଦଳରେ ଠିକାଦାରଙ୍କ ସ୍ୱାର୍ଥ ଜଗି ଚାଲିଥିବାରୁ ପାଣ୍ଡୁଆ ନଦୀ ଉପରେ ନିର୍ମିତ ଉଚ୍ଚସେତୁ ପାଞ୍ଚବର୍ଷ ଧରି ନିର୍ମାଣ ଚାଲିଛି । ବିଞ୍ଝାରପୁରରୁ ବରୀ ବ୍ଲକକୁ ସଂଯୋଗ ପାଇଁ ୨୦୧୯ ମସିହା ମାର୍ଚମାସ ପ୍ରଥମ ସପ୍ତାହରେ ସଂପୃକ୍ତ ନଦୀ ଉପରେ ସେତୁ ନିର୍ମାଣ ପାଇଁ ଶୁଭ ପଡ଼ିଥିଲା । ସେସମୟର ବିଧାୟକ ଦେବାଶିଷ ନାୟକ ସେତୁ ପାଇଁ ଶିଳାନ୍ୟାସ କରିବା ସମୟରେ ବର୍ଷକ ଭିତରେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କହିଥିଲେ । ହେଲେ ବର୍ଷ ପରେ ବର୍ଷ ବିତିବାରେ ଲାଗିଛି । ପାଞ୍ଚବର୍ଷ ପରେ ବି ଉକ୍ତ ସେତୁ ସଂପୂର୍ଣ୍ଣ ହୋଇପାରିନି । ସଂପୃକ୍ତ ସେତୁ ବିଞ୍ଝାରପୁର ଥାନା ଏବଂ ବରୀ ବ୍ଲକ ଅନ୍ତର୍ଗତରେ ଥିବା ଅଙ୍ଗାଳୋ ଓ ମଧୁସୂଦନପୁର ପଞ୍ଚାୟତବାସୀଙ୍କ ପାଇଁ ଜରୁରୀ ଅପରିହାର୍ଯ୍ୟ ହୋଇପଡ଼ିଥିଲେ ବିଭାଗର ଖାମଖିଆଲ ମନୋଭାବ ଏବଂ ଠିକାଦାରଙ୍କ ମନମାନିର ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁନି । ବିଞ୍ଝାରପୁରରୁ ବରୀ କଳା ମାଟିଆକୁ ସଂଯୋଗ ପାଇଁ ଏହି ପୋଲର ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବାରୁ ଆଜିବି ଭରାନଦୀରେ ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରୁଛନ୍ତି ବରୀ ଏବଂ ବିଞ୍ଝାରପୁର ବ୍ଲକ୍ର ଲୋକେ । ପ୍ରାକ୍ତନ  ବିଧାୟିକା ତଥା ବର୍ତ୍ତମାନ୍ର ବିଜେପି ନେତ୍ରୀ ସୁନନ୍ଦା ଦାସ୍ଙ୍କ ନିଜ ପଞ୍ଚାୟତକୁ ପାଣ୍ଡୁଆ ସେତୁ ଦୁଇଭାଗ କରି ରଖିଛି । ଏହି ପୋଲ ସଂପୂର୍ଣ୍ଣ ହୋଇ ପାରୁନଥିବା ବେଳେ ନଦୀ ଏପାଖରେ ଥିବା ପଞ୍ଚାୟତର ଲୋକବ୍ଲକ୍ ଯିବା ପାଇଁ ଡ଼ଙ୍ଗା ଆଉ ବର୍ଷା ଋତୁରେ ପାଖାପାଖି ୬୦କିମି ବୁଲି ବ୍ଲକ୍କୁ ଯାଇଥାନ୍ତି । ଅନ୍ୟପଟେ ନିର୍ମାଣଧିନ ପୋଲର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା । ଲୋକଙ୍କ ଅଭିଯୋଗ ପୋଲ୍ ନିର୍ମାଣରେ ବ୍ୟବହାର କରାଯାଉଥିବା ସାମଗ୍ରୀ ନିମ୍ନ ମାନର । ଲୋ-ଗ୍ରେଡ ସିମେଣ୍ଟ ସାଙ୍ଗକୁ ନିମ୍ନମାନର ଗୋଡ଼ି ବ୍ୟବହାର କରାଯାଉଥିବା ଅଭିଯୋଗ ଆସିଛି । କାମ ଚାଲୁଥିବା ସମୟରେ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ତଦାରଖ କରାଯାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯଦି ଏଭଳି ଚାଲେ ପୋଲର ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିବା ନେଇ ସନେ୍ଦହ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ।