ସେପ୍ଟେମ୍ବରରେ ବିଜେପିର ନୂଆ ସଭାପତି


ାା ନୂଆଦିଲ୍ଲୀରୁ ବିକାଶ ସ୍ୱାଇଁ ।ା
କିଏ ହେବେ ବିଜେପିର ଜାତୀୟ ସଭାପତି ? ଗତ କିଛି ମାସ ଧରି ଏହାକୁ ନେଇ ଜାତୀୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଛି  । ସେହିପରି ସଭାପତି ଦୌଡ଼ରେ ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରହିଥିବାରୁ ସ୍ୱାଭାବିକ ଭାବେ ଓଡ଼ିଶାରେ ବି ଉତ୍ସୁକତା ପରିଲକ୍ଷିତ ହେଉଛି  । 
ଦିଲ୍ଲୀ ରାଜନୀତିକ ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଆସନ୍ତା ସେପ୍ଟେମ୍ବରରେ ବିଜେପି ଜାତୀୟ ସଭାପତି ଚୟନ କରିବା ନିଶ୍ଚିତ  । ଏବେ ସମସ୍ତଙ୍କର ନଜର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଉପରେ ରହିଛି  । ନିକଟ ଅତୀତରେ ହୋଇଥିବା ବିଭିନ୍ନ ରାଜ୍ୟ ସଭାପତି ଚୟନରେ ଆରଏସଏସର ମତାମତକୁ ଗୁରୁତ୍ୱ ଦିଆଯାଇଥିଲା  । ଅଧିକାଂଶ ରାଜ୍ୟରେ ସଂଘ ସହ ଜଡ଼ିତ ନେତାଙ୍କୁ ହିଁ ରାଜ୍ୟ ବିଜେପି ମଙ୍ଗ ଧରାଇ ଦିଆଯାଇଛି  । ରାଜସ୍ଥାନର ଯୋଧପୁରରେ ଆରଏସଏସର ତିନିଦିନିଆ ସମନ୍ୱୟ ବୈଠକ ପାଇଁ ଦିନ ଧାର୍ଯ୍ୟ ହୋଇଛି  । ସେପ୍ଟେମ୍ବର ୫ରୁ ୭ ପର୍ଯ୍ୟନ୍ତ ଏହି ବୈଠକ ହେବାର ଥିବାବେଳେ ସମ୍ଭବତଃ ସେହି ସମୟରେ ହିଁ ନୂଆ ସଭାପତି ସମ୍ପର୍କରେ ଚୂଡ଼ାନ୍ତ ନିଷ୍କର୍ସ ବାହାରିପାରିବ ବୋଲି କୁହାଯାଉଛି  ।
ଆରଏସଏସର ଏହି ଉଚ୍ଚସ୍ତରୀୟ ବୈଠକରେ ସରସଂଘଚାଳକ ମୋହନ ଭାଗବତ, ମହାସଚିବ ଦତ୍ତାତ୍ରେୟ ହୋସବଲେ, ସହ ସରକାର୍ଯ୍ୟବାହ ଓ ଜାତୀୟ କାର୍ଯ୍ୟକାରୀ କମିଟିର ସଭ୍ୟମାନେ ଉପସ୍ଥିତ ରହିବେ  । ଏହାଛଡ଼ା ବିଜେପି, ଏବିଭିପି, ଭାରତୀୟ ମଜଦୁର ମହାସଂଘ, ଭାରତୀୟ କିସାନ ସଂଘ, ସ୍ୱଦେଶୀ ଜାଗରଣ ମଞ୍ଚ, ବନବାସୀ କଲ୍ୟାଣ ଓ ସେବା ସମିତି ଭଳି ୩୨ଟି ସଂଗଠନର ପ୍ରମୁଖ ପ୍ରତିନିଧିମାନେ ସମନ୍ୱୟ କମିଟି ବୈଠକରେ ଉପସ୍ଥିତ ରହିବେ  । ବିଜେପି ମୁଖ୍ୟ ଜେପି ନଡ୍ଡା, ଜାତୀୟ ସଂଗଠନ ସମ୍ପାଦକ ବିଏଲ ସନ୍ତୋଷ, ସୁନୀଲ ବଂଶଲ, ଶିବପ୍ରକାଶ, ସୌଦାନ ସିଂ ଓ ଭି ସତୀଶ ପ୍ରମୁଖ ଉପସ୍ଥିତ ରହିବାର ସମ୍ଭାବନା ରହିଛନ୍ତି  ।