ବିଧାନସଭାରେ ଗର୍ଜିଲେ ତାରା ଓ ପବିତ୍ର : କୋଡ଼ିଙ୍ଗାମାଲିରୁ ବାହାରକୁ ନ ଯାଉ ବକ୍ସାଇଟ୍
ଭୁବନେଶ୍ୱର: “କୋରାପୁଟ ଜିଲ୍ଲାର କୋଡ଼ିଙ୍ଗମାଲି ଖଣି ବ୍ଲକ୍ର ବକ୍ସାଇଟ୍ ଧାତୁକୁ ବାହାରକୁ ଦିଆ ନ ଯାଉ । ଓଡ଼ିଶା ଖଣି ନିଗମ (ଓଏମସି) ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶକୁ ବକ୍ସାଇଟ୍ ଯୋଗାଇବା ପାଇଁ ଚୁକ୍ତି କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ଚୁକ୍ତିକୁ ତୁରନ୍ତ ବାତିଲ ପାଇଁ ନିଦେ୍ର୍ଦଶ ଦିଅନ୍ତୁ ଏବଂ ସ୍ଥାନୀୟ ଶିଳ୍ପକୁ ଖଣିଜ ପଦାର୍ଥ ଯୋଗାଇ ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି । ଓଡ଼ିଶାର ଯଦି କୌଣସି ଉଦ୍ୟୋଗକୁ ଏହା ଦିଆଯିବ ତାହେଲେ ଆମେ ଏହାକୁ ବିରୋଧ କରିବୁ ନାହିଁ । କିନ୍ତୁ ଆନ୍ଧ୍ରପ୍ରଦେଶ ଏହି କଞ୍ଚାମାଲ୍କୁ ନେଇ ବିଦେଶକୁ ରପ୍ତାନୀ କରିବ ଏବଂ ଏହାର ମୂଲ୍ୟ ବୃଦ୍ଧି ପରେ ଉତ୍ପାଦ ଓଡ଼ିଶାକୁ ଆମଦାନୀ କରାଯିବ । ଫଳରେ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ରାଜସ୍ୱ ହରାଇବେ ।” ଆଜି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ଗର୍ଜିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନିପତି । ଏହାସହ ସେ ଗୃହ ବାହାରେ ମଧ୍ୟ ସାମ୍ବାଦିକଙ୍କୁ ଏହି ସୂଚନା ଦେଇଛନ୍ତି ।
ତାରା କହିଥିଲେ ଯେ, ସ୍ଥାନୀୟ ଆଲୁମିନିୟମ ଶିଳ୍ପକୁ କଞ୍ଚାମାଲ ଯୋଗାଇବା ପାଇଁ ଓଡ଼ିଶା ଖଣି ନିଗମ (ଓଏମସି) ର କୋଡିଙ୍ଗମାଲି ବ୍ଲକରୁ ବକ୍ସାଇଟ୍ ଯୋଗାଇ ଦିଆଯାଇଛି । ତେବେ, ଓଏମ୍ସି ଏବେ ଏହି ଧାତୁକୁ ଆନ୍ଧ୍ର ପ୍ରଦେଶର ଏକ ଘରୋଇ କମ୍ପାନୀକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି । ଆମେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛୁ ଯେ ଆମର ଖଣିଜ ପଦାର୍ଥ ବାହାର ଲୋକଙ୍କୁ ହସ୍ତାନ୍ତର କରାଯିବା ଉଚିତ ନୁହେଁ । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ସ୍ଥାନୀୟ ଆଦିବାସୀମାନେ ଏହାକୁ ବିରୋଧ କରି ଅନେକ ଦିନ ଧରି ଧାରଣାରେ ବସିଛନ୍ତି । କିଛି ଗୁଣ୍ଡା ସେଠାରେ ପହଞ୍ଚି ସେମାନଙ୍କୁ ଧମକ ଦେଇଛନ୍ତି । ସେ କହିଛନ୍ତି, "ଯଦି କୌଣସି ଅପ୍ରୀତିକର ଘଟଣା କିମ୍ବା ଗୁଳି ବିନିମୟ ଘଟେ, ତେବେ କିଏ ଦାୟୀ ରହିବ ବୋଲି ପ୍ରଶ୍ନ କରିଛନ୍ତି ।
ସେହିଭଳି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ମଧ୍ୟ ଗୃହରେ ରାଜ୍ୟ ସରକାରଙ୍କ ଖଣି ଚୁକ୍ତି ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଥିଲେ । ସେ କହିଥିଲେ ଯେ, “ଲକ୍ଷ୍ମୀପୁର ଓଡ଼ିଶାର ଏକ ଖଣିଜ ସମୃଦ୍ଧ ଅଞ୍ଚଳ । ଏହି ଅଞ୍ଚଳରେ ବକ୍ସାଇଟ୍ ଖଣିର ବିପୁଳ ଭଣ୍ଡାର ରହିଛି ଏବଂ କୋଡିଙ୍ଗାମାଲିରେ ଉଚ୍ଚମାନର ବକ୍ସାଇଟ୍ ଧାତବ ରହିଛି । ଯାହା ଗତ ୮ରୁ ୯ ବର୍ଷ ଧରି ଓଡ଼ିଶା ମାଇନିଂ କର୍ପୋରେସନ୍ ଦ୍ୱାରା ଖନନ କରାଯାଇଛି । ଏହା ଦୁର୍ଭାଗ୍ୟଜନକ ଯେ ଓଡ଼ିଶା ସରକାର ବର୍ତ୍ତମାନ ବକ୍ସାଇଟ୍ ଖଣିଗୁଡ଼ିକୁ ଆନ୍ଧ୍ରପ୍ରଦେଶର ଏକ ଘରୋଇ କମ୍ପାନୀକୁ ବିକ୍ରୟ କରିବାକୁ ଯୋଜନା କରୁଛନ୍ତି ।”
ସୂଚନାଯୋଗ୍ୟ ଘରୋଇ କମ୍ପାନୀ ପ୍ରଥମେ ଖଣିଗୁଡ଼ିକୁ ବିଦେଶକୁ ରପ୍ତାନି କରିବ ଏବଂ ଏହାର ମୂଲ୍ୟ ବୃଦ୍ଧି ପରେ ଉତ୍ପାଦ ଓଡ଼ିଶାକୁ ଆମଦାନୀ କରାଯିବ ବୋଲି ସେ ଗୃହ ବାହାରେ ସାମ୍ବାଦିକମାନଙ୍କୁ କହିଛନ୍ତି । ଯଦି ଏହା ସତ ହୁଏ, ତେବେ ଡବଲ ଇଞ୍ଜିନ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ ଏବଂ ମେକ୍ ଇନ୍ ଓଡ଼ିଶା’ ଅଭିଯାନ କେବଳ ସ୍ଲୋଗାନରେ ରହିବ । ଯଦିଓ ଏହି ପ୍ରସଙ୍ଗକୁ ଅନେକ ଥର ଶିଳ୍ପମନ୍ତ୍ରୀଙ୍କ ଦୃଷ୍ଟିକୁ ଅଣାଯାଇଛି, ତଥାପି ଏ ପର୍ଯ୍ୟନ୍ତ କୌଣସି ଫଳାଫଳ ଆସିନାହିଁ । ଡବଲ ଇଞ୍ଜିନ୍ ସରକାର ଓଡ଼ିଶାର ମୂଲ୍ୟବାନ କଞ୍ଚାମାଲ ବିକ୍ରୟରୁ ଦୂରେଇ ରହିବା ଉଚିତ ଏବଂ ରାଜ୍ୟ କୋଷାଗାରକୁ ମଜଭୁତ କରିବା ଉଚିତ । ଆମେ ଆଶା କରୁଛୁ ଯେ ସମ୍ପୃକ୍ତ ଅଂଶୀଦାରମାନଙ୍କ ସହ ବିସ୍ତୃତ ଆଲୋଚନା ପରେ ସେ (ମନ୍ତ୍ରୀ) ଏହି ପ୍ରସଙ୍ଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏବଂ ଓଏମସି ଏବଂ ଆନ୍ଧ୍ରପ୍ରଦେଶ ଫାର୍ମ ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିକୁ ବାତିଲ କରିବେ ବୋଲି ତାରା କହିଛନ୍ତି । ଏହାସହ ସ୍ଥାନୀୟ ଯୁବକମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ପାଇଁ ଲକ୍ଷ୍ମୀପୁର ଅଞ୍ଚଳରେ ଏକ ଆଲୁମିନିୟମ ବିଶୋଧନାଗାର ପ୍ରତିଷ୍ଠା କରିବାକୁ ସରକାରଙ୍କୁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ।