ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ: "ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ଉପରେ ଗୁରୁତ୍ୱ ଦେବା ଜରୁରୀ'
ଆସିକା: ଗଞ୍ଜାମ ଜିଲ୍ଲାର ଆସ୍କା ବ୍ଲକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ହରିଶଙ୍କର ପାଣ୍ଡେଙ୍କ ସଭାପତିତ୍ୱରେ ଓଡ଼ିଆ ବିଭାଗ ଅଧ୍ୟାପିକା ରାଜେଶ୍ୱରୀ ରଥ ଅତିଥି ପରିଚୟ ପ୍ରଦାନ କରିବା ସହିତ ମାତୃଭାଷା ଦିବସ ଅବସରରେ ସଂକ୍ଷିପ୍ତ ସୂଚନା ଦେଇ ଓଡ଼ିଆ ଭାଷାର କ୍ରମ ବିକଶିତ ରୂପକୁ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ ।
ବୁଗୁଡ଼ା: ସ୍ଥାନୀୟ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ପକ୍ଷରୁ ସ୍ୱପରିସରରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଶିଶୁ ମନ୍ଦିର ପରିଚାଳନା ସମିତି ସଭାପତି ପ୍ରମୋଦ ଚନ୍ଦ୍ର ସେନାପତିଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିପୁଲ୍ସ କଲେଜର ଓଡ଼ିଆ ଅଧ୍ୟାପକ ସଞ୍ଜୟ କୁମାର ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ପରିଚାଳନା ସମିତି କୋଷାଧ୍ୟକ୍ଷ ତ୍ରିଲୋଚନ ସାହୁ ଓ ସଦସ୍ୟା ସୁଲୋଚନା ଡାକୁଆ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ ।
ବଲାଙ୍ଗୀର: ବଲାଙ୍ଗୀର ସ୍ଥିତ କଦମପଡା ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ୨୫ତମ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ହୋଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ସାହିତ୍ୟ ଅଧ୍ୟାପିକା ମୀରା ଶତପଥି ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ସମବେତ ସଙ୍ଗୀତ ଗାନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସୁବ୍ରତ କୁମାର ବେହେରା ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଶିଶୁବକ୍ତା ରୂପେ ଅର୍ପିତା ପ୍ରିୟଦର୍ଶନୀ ମିଶ୍ର ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାପରେ ବିଦ୍ୟାଳୟର ଗୁରୁମା ରଶ୍ମି ମିଶ୍ର ଆଜି ଦିବସର ମହତ୍ତ୍ୱ ପ୍ରତିପାଦନ କରିଥିଲେ । ବ୍ୟକ୍ତିଗତ ଗୀତ ଛାତ୍ରୀ ଅରୁଣିମା ଗୁରୁ ଗାନ କରିଥିବା ବେଳେ ସଂଯୋଜନା ଛାତ୍ରୀ ଶ୍ରାବଣୀ ବାରିକ କରିଥିଲେ । ମୁଖ୍ୟ ଅତିଥି ନିଜ ଭାଷଣରେ କହିଲେ ଯେ ଯେଉଁ ଜାତିର ମାତୃଭାଷା ଯେତେ ଉନ୍ନତ ସେ ଜାତି ସେତେ ଦମ୍ଭିଲା । ମଞ୍ଚାସୀନ ଅତିଥିଙ୍କ ମଧ୍ୟରେ ସଭାପତି ଭବାନୀ ଶଙ୍କର ପଟେଲ, ସଂପାଦକ ତରଣୀସେନ ପଟେଲ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।