ବିଧାୟକ ଦଳ ନେତା ହେବାକୁ ମୋର ଅଧିକାର ଥିଲା: ତାରା
ଭୁବନେଶ୍ୱର: କଂଗ୍ରେସ ବିଧାୟକ ଦଳ ନେତା ହେବାକୁ ମୋର ଅଧିକାର ଥିଲା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଦିଲ୍ଲୀରୁ ଫେରିବା ପରେ ତାରା ଏଭଳି କହିଛନ୍ତି ।
ସେ କହିଛନ୍ତି ଯେ ପିସିସି ସଭାପତି ହେବାକୁ ମୋର କେବେ ଇଚ୍ଛା ନଥିଲା । ହାଇକମାଣ୍ଡ ଯାହାକୁ ସଭାପତି କରିବେ ମୁଁ ରାଜି । କଂଗ୍ରେସ ବିଧାୟକ ଦଳ ନେତା ହେବା ମୋର ଅଧିକାର ଥିଲା, ହେଲେ ହେଲିନି । ପିସିସି ସଭାପତି ଦୌଡ଼ରେ ମୁଁ ନାହିଁ । କାହାକୁ ଅନୁରୋଧ କରି ପିସିସି ସଭାପତି ହେବାର ନାହିଁ । ବୋଲି ତାରା କହିଛନ୍ତି ।
ଅନ୍ୟପକ୍ଷରେ ରାମ କାଡ଼ାମ କହିଛନ୍ତି ଯେ ପିିସିସି ସଭାପତି ପଦ ପାଇଁ ଚର୍ଚ୍ଚାରେ କିଛି ନେତା ଅଛନ୍ତି । ଏନେଇ ହାଇକମାଣ୍ଡ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଖୁବଶୀଘ୍ର ନାମ ଘୋଷଣା ହେବ ବୋଲି ସେ କହିଛନ୍ତି ।
ପ୍ରକାଶ ଯେ 15 ଦିନ ହୋଇଗଲା । ବିନା ମୁଖିଆରେ ଚାଲିଛି ରାଜ୍ୟ କଂଗ୍ରେସ । ଦିଲ୍ଲୀରେ ଦୁଇ ଗୋଷ୍ଠୀ ଲବି କରି ଫେରିଆସିଲେଣି । କିନ୍ତୁ ଚୂଡାନ୍ତ ହୋଇପାରୁନି ପିସିସି ସଭାପତିଙ୍କ ନାଁ । କୁହାଯାଉଛି, ରାଜ୍ୟ କଂଗ୍ରେସ ଦୁଇ ଗୋଷ୍ଠୀ ହୋଇ ପିସିସି ସଭାପତି ପାଇଁ ଲବି ଚଳାଇଛନ୍ତି । ଦଳରେ ବିଜୁ କଂଗ୍ରେସ ବନାମ କଂଗ୍ରେସ ଗୋଷ୍ଠୀ ପିସିସି ସଭାପତି ପାଇଁ ଜୋରଦାର ଲବି ଚଳାଇଛନ୍ତି । ଶ୍ରୀକାନ୍ତ ଜେନାଙ୍କ ନେତୃତ୍ବରେ ଗୋଟିଏ ଗୋଷ୍ଠୀ ଥିବାବେଳେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଗୋଟିଏ ଗୋଷ୍ଠୀ କାମ କରୁଛନ୍ତି । କୁହାଯାଉଛି ପିସିସି ମୁଖିଆ ପାଇଁ କଂଗ୍ରେସ ନେତା ମେଳି କରୁଛନ୍ତି । ରୁଦ୍ଧଦ୍ୱାର ବୈଠକ ବି ଚାଲୁଠି । ନିଜ ସପକ୍ଷରେ ଦିଲ୍ଲୀରେ ଲବି ବି କରୁଛନ୍ତି । କିନ୍ତୁ ନାଁ ଚୂଡାନ୍ତ ହୋଇପାରୁନାହିଁ ।
ନେତା ବାଛିବା ପୂର୍ବରୁ ରାଜ୍ୟ କଂଗ୍ରେସ ଦୁଇଫାଳ ହେବା ଏଆଇସିସି ନେତୃତ୍ବଙ୍କୁ ଚିନ୍ତାରେ ପକାଇଛି । ଦୋଛକିରେ ପଡିଛନ୍ତି ହାଇକମାଣ୍ଡ । ତେଣୁ ପିସିସି ସଭାପତି ନେତା ଚୂଡାନ୍ତ କରିବାକୁ ଖୁବଶୀଘ୍ର ଏଆଇସିସି ଟିମ୍ ଭୁବନେଶ୍ବର ଆସିପାରନ୍ତି । ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟରେ ରାଜନୈତିକ ଦୃଶ୍ୟପଟ୍ଟ ଭିନ୍ନ ରହିଛି । ଏହି ସମୟରେ ଉଦବେଗ ପ୍ରକାଶ କରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଶୀଘ୍ର ପିସିସି ସଭାପତି ଚୟନ ପାଇଁ ଏଆଇସିସିକୁ ଚିଠି ବି ଲେଖିସାରିଛନ୍ତି ।