ବିଜେପିର ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ : ଏକମାତ୍ର ପ୍ରାର୍ଥୀ ମନମୋହନ

 ଭୁବନେଶ୍ୱର : ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡ. କେ ଲକ୍ଷ୍ମଣଙ୍କ ନିଦେ୍ର୍ଦଶାନୁଯାୟୀ ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ଲାଗି ଆଜି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି । ରାଜ୍ୟ ସଭାପତି ପଦରେ ଏକମାତ୍ର ପ୍ରାର୍ଥୀଭାବେ ମନମୋହନ ସାମଲ ଓ ସମସ୍ତ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆସନ୍ତାକାଲି ଦିନ ୧୧ଟାବେଳେ ବିଧିବଦ୍ଧ ଭାବେ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟଙ୍କ ନାମ ଘୋଷଣା କରାଯିବ ବୋଲି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ବିହାର ସାଂସଦ ସଞ୍ଜୟ ଜୟସ୍ୱାଲ କହିଛନ୍ତି । ଏହି ନିର୍ବାଚନ ଲାଗି  ଜୁଲାଇ ୪ ତାରିଖରେ ବିଜ୍ଞପ୍ତି ଜାରି ହୋଇଥିବାବେଳେ ୬ରେ ଚୂଡାନ୍ତ ମତଦାତାଙ୍କ ତାଲିକା ପ୍ରକାଶ ପାଇଥିଲା । ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପାଇଁ ମଧ୍ୟାହ୍ନ ୧୨.୩୦ରୁ ନାମାଙ୍କନ ଦାଖଲ କରାଯାଇଥିଲା । ଅପରାହ୍ଣ ୩.୩୦ରେ ରାଜ୍ୟ ସଭାପତିଙ୍କ ପଦ ପାଇଁ ନାମାଙ୍କନ ପ୍ରକ୍ରିୟା କରାଯାଇଛି । ଆସନ୍ତାକାଲି ପୂର୍ବାହ୍ନ ୧୦ଟା ବେଳେ ନାମାଙ୍କନ ସମ୍ପର୍କିତ ଆପତି ଅଭିଯୋଗର ଯାଞ୍ଚ କରାଯାଇ ୧୧ଟା ବେଳେ ଚୂଡାନ୍ତ ଫଳାଫଳ ଘୋଷଣା କରାଯିବ । 
ନାମାଙ୍କନ ଦାଖଲବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି, ସାଂସଦ ସମ୍ବିତ ପାତ୍ରଙ୍କ ସମେତ ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକ ଓ ସହ ନିର୍ବାଚନ ଅଧିକାରୀ ସୁଶ୍ରୀ ସୁକେଶୀ ଓରାମ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ବିଜେପିର ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ପ୍ରତି ୩ ବର୍ଷରେ ଥରେ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୁଏ ।