୪୦ଦିନ ଧରି ଚାଲିବ କଲରାପତରିଆ ବାଘ ଗଣନା

ଭୁବନେଶ୍ୱର: ଚଳିତବର୍ଷରୁ ରାଜ୍ୟ ସରକାର ନିଜସ୍ବ କଲରାପତରିଆ ବାଘ ଗଣନା ଆରମ୍ଭ କରିଛନ୍ତି। ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଗଣନା କାର୍ୟ୍ୟ ୪୦ଦିନ ଧରି ଚାଲିବ। ସେହିଭଳି ହାତୀ ଗଣନା ଆସନ୍ତା ୨୨ତାରିଖରୁ ଆରମ୍ଭ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟର ୫୧ଟି ଡିଭିଜନରେ କଲରାପତରିଆ ବାଘ ଗଣନା ହେବ। ଗଣନା ପାଇଁ ୩,୩୧୨ଟି ଟ୍ରାପ କ୍ୟାମେରା ବ୍ୟବହାର କରାଯିବ। ପ୍ରତ୍ୟେକ ଡିଭିଜନରେ ପ୍ରତି ୨୫ ବର୍ଗ କିଲୋମିଟରରେ ୫ଟି ଟ୍ରାପ କ୍ୟାମେରା ଲଗାଯିବ। ପୂର୍ବବର୍ଷ ବାଘ ଗଣନା ସମୟରେ ଟ୍ରାପ କ୍ୟାମେରାରୁ ମିଳିଥିବା କଲରାପତରିଆ ବାଘର ଚିତ୍ରକୁ ଚିହ୍ନଟ ପାଇଁ ବ୍ୟବହାର କରାଯିବ। ତେବେ ସମସ୍ତ କଲରାପତରିଆ ବାଘ ଉପରେ କଡ଼ାକଡ଼ି ଭାବରେ ମନିଟରିଂ କରାଯିବ।
ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍ଟିସିଏ) ଏବଂ ଓ୍ବାଇଲ୍ଡ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଦେଶରେ ହୋଇଥିବା କଲରାପତରିଆ ଗଣନା ରିପୋର୍ଟ-୨୦୨୨ ଗତ ଫେବୃଆରୀ ୨୯ରେ ପ୍ରକାଶ ପାଇଥିଲା। ଏଥିରେ ଦେଶରେ ଗତ ୪ବର୍ଷରେ କଲାରାପତରିଆ ବାଘଙ୍କ ସଂଖ୍ୟା ବଢ଼ିଥିବାବେଳେ ଓଡ଼ିଶାରେ ହ୍ରାସ ପାଇଥିବା ଦର୍ଶାଯାଇଥିଲା। ୨୦୧୮ ମସିହା ଗଣନାରେ ରାଜ୍ୟରେ ୭୬୦ଟି କଲରାପତରିଆ ବାଘ ଥିବାବେଳେ ୨୦୨୨ ରିପୋର୍ଟରେ ଏହି ସଂଖ୍ୟା ୫୬୮କୁ ଖସି ଆସିଥିଲା। ଓଡ଼ିଶାରେ ବାଘ ସଂଖ୍ୟା କମିଥିବା ନେଇ କେନ୍ଦ୍ରୀୟ ତଥ୍ୟ ପ୍ରକାଶ ପରେ ରାଜ୍ୟ ବନ ବିଭାଗ ନିଜସ୍ବ ଗଣନା କରିବା ପାଇଁ ନିଷ୍ପତ୍ତି ନେଇଥିଲା।