ଟିକଟ ମିଳିଲା ପରେ ପଦ୍ମ ଧରିଲେ ସନ୍ତୋଷ

ଟିକଟ ମିଳିଲା ପରେ ପଦ୍ମ ଧରିଲେ ସନ୍ତୋଷ

ଭୁବନେଶ୍ବର: ବିଜେପିରେ ଔପଚାରିକ ମିଶ୍ରଣ ପୂର୍ବରୁ ମିଳିଲା ଟିକଟ । ଟିକଟ କନ୍ଦଳ ମଧ୍ୟରେ ବିଜେଡି ଛାଡିଥିବା ପୂର୍ବତନ ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କୁ ନୀଳଗିରି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପ୍ରାର୍ଥୀ ହେବା ପରେ ରାଜ୍ୟ କାର୍ୟ୍ୟାଳୟରେ ଆସି ସନ୍ତୋଷ ଖଟୁଆ ବିଧିବଦ୍ଧ ଭାବେ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କ ସହ ଜିଲ୍ଲାର ବିଭିନ୍ନ ପଦ ପଦବୀରେ ଥିବା ନେତା ଓ କର୍ମୀମାନେ ମଧ୍ୟ ବିଜେପିରେ ମିଶିଛନ୍ତି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ସାଂସଦ ପ୍ରତାପ ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର, ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ପ୍ରମୁଖ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ।
ସନ୍ତୋଷ ନିଜ ଟିକଟ ଘୋଷଣାକୁ ନେଇ ଖୁସି ହେବା ସହ ଦଳର ରାଜ୍ୟ ଓ କେନ୍ଦ୍ରର ଶୀର୍ଷ ନେତୃତ୍ୱକୁ ଧନ୍ୟବାଦ ଦେଇଛନ୍ତି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ମିଶ୍ରଣ ପର୍ବରେ ଯୋଗଦେଇ ଦଳୀୟ କାର୍ୟ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ । ଆଉ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶ୍ରେଷ୍ଠ ଭାରତର ସ୍ୱପ୍ନକୁ ପୂରଣ କରିବା ସହ ଡବଲ ଇଞ୍ଜିନ ସରକାରର ନାରାକୁ ସଫଳ କରିବା ପାଇଁ କର୍ମୀଙ୍କୁ ଦୃଢ ଆହ୍ୱାନ ଦେଇଥିଲେ ।