ମାହାରୀ ସମ୍ମାନ ପାଇଁ ଜାହ୍ନବୀ ମନୋନୀତ
ଭୁବନେଶ୍ୱର : ଗୁରୁ ପଙ୍କଜ ଚରଣ ଓଡିଶୀ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ମାହାରୀ’ ସମ୍ମାନ ଲାଗି ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ଜାହ୍ନବୀ ବେହେରା ମନୋନୀତ ହୋଇଛନ୍ତି । ଏହି ସମ୍ମାନ ଓଡିଶାର ଶାସ୍ତ୍ରୀୟ ନୃତ୍ୟ କ୍ଷେତ୍ରରେ ଏକମାତ୍ର ଓ ସର୍ବ ପୁରାତନ ସମ୍ମାନ, ଯାହାକି ଆଦିଗୁରୁ ପଙ୍କଜ ଚରଣ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଏହି ସମ୍ମାନ ବାବଦକୁ ନଗଦ ଏକ ଲକ୍ଷ ଟଙ୍କା ସହିତ ମାନପତ୍ର, ଅଙ୍ଗବସ୍ତ୍ର ଓ ଫଳକ ପ୍ରଦାନ କରାଯିବ । ସମ୍ମାନ ଲାଗି ମନୋନୀତ ଜାହ୍ନବୀ ବେହେରା ଓଡିଶୀ ଡ୍ୟାନ୍ସ ଏକାଡେମୀରେ ଶିକ୍ଷା ଲାଭ କରିଛନ୍ତି । ଭାରତର ବିଭିନ୍ନ ମଞ୍ଚରେ ନୃତ୍ୟ ପରିବେଷଣ କରି ଓଡିଶୀ ନୃତ୍ୟର ଗାରିମାକୁ ସୁଦୂର ପ୍ରସାରୀ କରିବାରେ ତାଙ୍କର ବିଶେଷ ଯୋଗଦାନ ରହିଛି । ବହୁବାର ବିଦେଶ ଗସ୍ତ କରି ଓଡିଶୀ ନୃତ୍ୟ ପରିବେଷଣ କରି ଓଡିଶା ଓ ଓଡିଶୀ ଲାଗି ଗୌରବ ଆଣିଛନ୍ତି । ଓଡିଶୀ ନୃତ୍ୟରେ ବିଶେଷ ଅବଦାନ ଲାଗି ସେ ସମ୍ମାନଜନକ ଉସ୍ତାଦ୍ ବିଶ୍ମିଲ୍ଲା ଖାନ୍ ଯୁବ ପୁରସ୍କାର ମଧ୍ୟ ପାଇଛନ୍ତି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଦ୍ୱାରା ପ୍ରଯୋଜିତ ଏହି ସମ୍ମାନ ଶାସ୍ତ୍ରୀୟ ନୃତ୍ୟ କ୍ଷେତ୍ରରେ ଜଣେ ପେଷାଦାର ନୃତ୍ୟଶିଳ୍ପୀ ଭାବରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ଲାଭ କରିଥିବା ନୃତ୍ୟଶିଳ୍ପୀଙ୍କୁ ପ୍ରଦାନ କରାଯାଏ, ଯାହାକି ଓଡିଶୀ ନୃତ୍ୟର ମୂଳଉସô ଶ୍ରୀଜଗନ୍ନାଥ ମନ୍ଦିରର ଦେବଦାସୀ (ମାହାରୀ)ମାନଙ୍କ ଉତ୍ସର୍ଗୀକୃତ ସେବା, ବଳିଦାନ, ତ୍ୟାଗ ଓ ନିଷ୍ଠାପର ସାଧନା ତଥା ସ୍ମୃତି ପ୍ରତି ନିବେଦିତ । ମାର୍ଚ୍ଚ ୧୯ ତାରିଖରେ ଏହି ସମ୍ମାନ ପ୍ରଦାନ କରାଯିବ ।