ଭାରତରେ ଟେକ୍ ନିଯୁକ୍ତି ବନ୍ଦ କରିବାକୁ ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁଗଲ ଓ ମାଇକ୍ରୋସଫ୍ଟ ଭଳି ବଡ଼ ଟେକ୍ କମ୍ପାନୀମାନଙ୍କୁ ଭାରତ ସମେତ ବିଦେଶରେ ନିଯୁକ୍ତି ବନ୍ଦ କରି ଆମେରିକାରେ ଚାକିରି ସୃଷ୍ଟି ଉପରେ ଧ୍ୟାନ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ୱାଶିଂଟନରେ ଆୟୋଜିତ ଏକ ଏଆଇ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି, ଆମେରିକୀୟ କମ୍ପାନୀମାନେ ଚୀନରେ କାରଖାନା ନିର୍ମାଣ କରିବା କିମ୍ବା ଭାରତୀୟ ଟେକ୍ କର୍ମୀମାନଙ୍କୁ ଚାକିରି ଦେବା ବଦଳରେ ନିଜ ଦେଶରେ ଚାକିରି ସୁଯୋଗ ସୃଷ୍ଟି କରିବା ଉଚିତ।

ଏହି ସମ୍ମିଳନୀରେ ଟ୍ରମ୍ପ ଟେକ୍ ଇଣ୍ଡଷ୍ଟ୍ରିର “ବିଶ୍ଵବାଦୀ ମାନସିକତା”କୁ ସମାଲୋଚନା କରି କହିଛନ୍ତି ଯେ, ଏହି ଦୃଷ୍ଟିକୋଣ ଅନେକ ଆମେରିକୀୟଙ୍କୁ ଅଣଦେଖା କରିଛି। ସେ ଅଭିଯୋଗ କରିଛନ୍ତି ଯେ, କେତେକ ଶୀର୍ଷ ଟେକ୍ କମ୍ପାନୀ ଆମେରିକୀୟ ସ୍ଵାଧୀନତାର ସୁଯୋଗ ନେଇ ଲାଭ ଅର୍ଜନ କରିଛନ୍ତି, କିନ୍ତୁ ବିଦେଶରେ ବିପୁଳ ପରିମାଣରେ ନିବେଶ କରିଛନ୍ତି। ଟ୍ରମ୍ପ କହିଛନ୍ତି, “ରାଷ୍ଟ୍ରପତି ଟ୍ରମ୍ପଙ୍କ ଅଧୀନରେ ଏହି ଦିନଗୁଡ଼ିକ ଶେଷ ହୋଇଛି।”

ସେ ଆହୁରି କହିଛନ୍ତି, “ଅନେକ ବଡ଼ ଟେକ୍ କମ୍ପାନୀ ଆମେରିକୀୟ ସ୍ଵାଧୀନତାର ସୁଫଳ ଉଠାଇଛନ୍ତି, କିନ୍ତୁ ଚୀନରେ କାରଖାନା ନିର୍ମାଣ କରିଛନ୍ତି, ଭାରତରେ କର୍ମୀ ନିଯୁକ୍ତ କରିଛନ୍ତି ଏବଂ ଆୟର୍ଲ୍ୟାଣ୍ଡରେ ଲାଭ ଜମା କରିଛନ୍ତି। ଏହା ସହ ସେମାନେ ଆମେରିକାରେ ନିଜ ନାଗରିକଙ୍କୁ ଅଣଦେଖା କରିଛନ୍ତି ଏବଂ ଏପରିକି ସେମାନଙ୍କୁ ସେନସର ମଧ୍ୟ କରିଛନ୍ତି।” ଟ୍ରମ୍ପ ଜୋର ଦେଇ କହିଛନ୍ତି, “ଏଆଇ ପ୍ରତିଯୋଗିତାରେ ଜିତିବା ପାଇଁ ସିଲିକନ ଭ୍ୟାଲିରେ ଦେଶପ୍ରେମ ଓ ଜାତୀୟ ନିଷ୍ଠାର ନୂଆ ଚେତନା ଆବଶ୍ୟକ। ଆମେ ଚାହୁଁଛୁ ଆମେରିକୀୟ ଟେକ୍ କମ୍ପାନୀମାନେ ଆମେରିକାକୁ ପ୍ରାଥମିକତା ଦିଅନ୍ତୁ।” ଏହି ସମ୍ମିଳନୀରେ ଟ୍ରମ୍ପ କୃତ୍ରିମ ବୁଦ୍ଧିମତା (ଏଆଇ) ସମ୍ପର୍କିତ ତିନୋଟି ନୂଆ କାର୍ଯ୍ୟକାରୀ ଆଦେଶରେ ହସ୍ତାକ୍ଷର କରିଛନ୍ତି। ପ୍ରଥମ ଆଦେଶ “ଉଇନିଂ ଦି ରେସ” ନାମରେ ଏକ ଜାତୀୟ ରଣନୀତି ପ୍ରସ୍ତୁତ କରିଛି, ଯାହା ଆମେରିକାକୁ ଏଆଇରେ ବିଶ୍ଵ ନେତା କରିବା ପାଇଁ ଡାଟାସେଣ୍ଟର ନିର୍ମାଣ ତ୍ଵରାନ୍ଵିତ କରିବ ଏବଂ ଏଆଇ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣରେ କମ୍ପାନୀମାନଙ୍କୁ ସହଜତା ପ୍ରଦାନ କରିବ।

ଦ୍ଵିତୀୟ ଆଦେଶ ସରକାରୀ ଅର୍ଥ ପାଉଥିବା ଏଆଇ ବିକାଶକାରୀ କମ୍ପାନୀମାନଙ୍କୁ ରାଜନୈତିକ ଦୃଷ୍ଟିରୁ ନିରପେକ୍ଷ ଏଆଇ ଟୁଲ୍ସ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛି। ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ସରକାର “ଓ୍ଵେକ” ଏଆଇ ମଡେଲକୁ ସମର୍ଥନ କରୁନାହିଁ। ସେ ପୂର୍ବତନ ପ୍ରଶାସନକୁ ବିଚାରଧାରା ଦ୍ଵାରା ପ୍ରଭାବିତ ବିବିଧତା ଓ ଅନ୍ତର୍ଭୁକ୍ତି ନୀତି ପ୍ରୋତ୍ସାହନ କରିବା ପାଇଁ ଅଭିଯୋଗ କରି କହିଛନ୍ତି, “ଆମେ ଓ୍ଵେକରୁ ମୁକ୍ତି ପାଉଛୁ। ଏଆଇ ମଡେଲଗୁଡ଼ିକ ସଠିକ ହେବା ଦରକାର ଏବଂ ରାଜନୈତିକ ବିଚାରଧାରାରେ ପ୍ରଭାବିତ ହେବା ଉଚିତ ନୁହେଁ।” ଏହି ନିୟମ ସରକାରୀ ସଂସ୍ଥାଗୁଡ଼ିକ ଦ୍ଵାରା ବ୍ୟବହୃତ ଏଆଇ ସିଷ୍ଟମ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ତୃତୀୟ ଆଦେଶ ଆମେରିକୀୟ ଏଆଇ ଟୁଲସକୁ ବିଶ୍ଵ ବଜାରରେ ପ୍ରତିଯୋଗିତା କରିବାରେ ସହାୟତା କରିବା ଏବଂ ଆମେରିକା ଭିତରେ ଏଆଇର ପୂର୍ଣ୍ଣ ବିକାଶକୁ ସମର୍ଥନ କରିବା ଉପରେ କେନ୍ଦ୍ରୀଭୂତ।ଟ୍ରମ୍ପ ଏଆଇ ଶବ୍ଦଟିକୁ ନାପସନ୍ଦ କରି କହିଛନ୍ତି, “ଏହା କୃତ୍ରିମ ନୁହେଁ, ଏହା ଜିନିଅସ।” ଏହି ନୀତିଗୁଡ଼ିକର ତୁରନ୍ତ ପ୍ରଭାବ ନପଡ଼ିପାରେ, କିନ୍ତୁ ଭାରତୀୟ ଆଇଟି ପେସାଦାର ଓ ଆଉଟସୋର୍ସିଂ କମ୍ପାନୀମାନେ ଭବିଷ୍ୟତରେ ଅଧିକ ଚ୍ୟାଲେଞ୍ଜର ସାମ୍ନା କରିପାରନ୍ତି ବୋଲି ଆଶଙ୍କା କରାଯାଉଛି।