ପାକିସ୍ତାନରେ ଜଳ ଜରୁରୀସ୍ଥିତି

ପାକିସ୍ତାନରେ ଜଳ ଜରୁରୀସ୍ଥିତି


 ନୂଆଦିଲ୍ଲୀ :  ଜଳଯୁଦ୍ଧ ଏବେ ପାକିସ୍ତାନକୁ ଅକଳରେ ପକାଇଦେଇଛି  । ଗୋଟିଏ ପଟେ ସିନ୍ଧୁ ନଦୀରୁ ପାଣି ନଦେବାକୁ ଭାରତ ସରକାର ଘୋଷଣା କରିଛନ୍ତି  । ସିନ୍ଧୁ ଚୁକ୍ତିକୁ ବାତିଲ୍ କରି ଦିଆଯାଇଛି । ଯାହାଫଳରେ ପାକିସ୍ତାନରେ ଜଳ ସଂକଟ ସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଛି  । ସେପଟେ ଝେଲମ ନଦୀରୁ ପାଣି ଛଡ଼ାଯାଇଥିବାରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ବୋଲି ପାକିସ୍ତାନ କହିଛି  ।  
ରବିବାର ଭାରତୀୟ ସଶସ୍ତ୍ର ବାହିନୀର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ ଅନୀଲ ଚୌହାନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଭେଟିଛନ୍ତି  । ପ୍ରାୟ ୪୦ ମିନିଟ୍ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା  । ବୈଠକରେ ଜେନେରାଲ ଚୌହାନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବିଭିନ୍ନ ଅପରେସନ୍ ବିଷୟରେ ବିସ୍ତୃତ ଭାବରେ ଅବଗତ କରାଇଥିଲେ ଏବଂ ସେମାନଙ୍କର ବହୁମୁଖୀ ରଣନୀତି ସଂକ୍ରାନ୍ତରେ ସବିଶେଷ ଆଲୋଚନା କରିଥିଲେ  । ଅପରପକ୍ଷରେ ତିନି ଆତଙ୍କୀବାଦଙ୍କ ଘରକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି  । ବାନ୍ଦିପୋରା, ପୁଲୱାମା ଓ ସୋଫିଆନ୍ ଜିଲ୍ଲାରେ ତିନି ଆତଙ୍କବାଦୀଙ୍କ ଘରକୁ ଜିଲ୍ଲା ପ୍ରଶାସନ ଭାଙ୍ଗିଦେଇଛି  । ପୁଣି ସ୍ୱାଭାବିକ ହେବାରେ ଲାଗିଛି ପହଲଗାମ୍  । ଧିରେଧିରେ ପର୍ଯ୍ୟଟକଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି  । ଯୁଦ୍ଧ ଘୋଷଣା ନହୋଇଥିଲେବି ପାକକୁ ଜବାବ ଦେବା ପାଇଁ ଭାରତୀୟ ସେନା ବାହିନୀ ପ୍ରସ୍ତୁତ ରହିଛି  । ଆକାଶବାହିନୀ ପକ୍ଷରୁ ଯୁଦ୍ଧ ବିମାନ ଆକାଶରେ ପଇଁତରା ମାରି ପ୍ରସ୍ତୁତି କରୁଥିବାବେଳେ ସମୁଦ୍ରରେ ବି ଭାରତ ଶକ୍ତି ପ୍ରଦର୍ଶନ କରିଛି  । ଯୁଦ୍ଧ ଜାହାଜରୁ ଉପରକୁ ମିଶାଇଲ ଛାଡ଼ି ଭାରତ ପାକକୁ ଏକରକମ ଚେତାବନୀ ଦେଇଛି କହିଲେ ଭୁଲ୍ ହେବନାହିଁ । ଝେଲମ୍ ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବାରୁ ପାକ୍ ପକ୍ଷରୁ ଆଲର୍ଟ ଜାରି କରାଯାଇଛି  । ହାଟିଆନ୍ ବାଳା ଅଞ୍ଚଳରେ ଜଳ ଏମର୍ଜେନ୍ସୀ ଲଗାଯାଇଛି  । ଯାହାକୁ ନେଇ ନଦୀକୂଳିଆ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । କାଶ୍ମୀରର ଅନନ୍ତନାଗ ଅଞ୍ଚଳରୁ ପାକିସ୍ତାନ ଅଧିକୃତ କାଶ୍ମୀରର ଚାକୋଠି ଅଞ୍ଚଳକୁ ଜଳ ପ୍ରବାହିତ ହେଉଛି  ।