ରୁଷିଆରେ ୟୁକ୍ରେନର ବଡ଼ଧରଣର ଆକ୍ରମଣ: ୧୦ରୁ ଅଧିକ ଗୁରୁତର
ମସ୍କୋ: ରୁଷିଆର କଜାନ ସହର ଉପରେ ୟୁକ୍ରେନ ଏକ ବଡ଼ଧରଣର ଡ୍ରୋନ୍ ଆକ୍ରମଣ କରିଛି। ଏହି ଆକ୍ରମଣ ଆମେରିକାର ୯/୧୧ ଷ୍ଟାଇଲ୍ରେ ହୋଇଛି। ଫଳରେ ଶିଶୁଙ୍କ ସମେତ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ଗୁରୁତର ରହିଛନ୍ତି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି।
ଏହି ଡ୍ରୋନ୍ ଆକ୍ରମଣ ମସ୍କୋର ପ୍ରାୟ ୮୦୦ କିଲୋମିଟର ପୂର୍ବରେ ଅବସ୍ଥିତ କଜାନ ସହରର ଅନେକ ଆବାସିକ ଅଞ୍ଚଳକୁ ଟାର୍ଗେଟ କରିଛି। ସୋସିଆଲ ମିଡିଆରେ ଭିଡିଓଗୁଡ଼ିକ ଭାଇରାଲ ହେଉଛି।
ଏଥିରେ ଏକ ଡ୍ରୋନ୍ ବଡ଼ ବିଲ୍ଡିଂରେ ମାଡ଼ ହେଉଥିବାର ଦେଖିବାକୁ ମିଳିଛି। ପରେ ଏକ ବଡ଼ଧରଣର ବିସ୍ଫୋରଣ ହୋଇଥିଲା। ଏହି ଆକ୍ରମଣ ପରେ କଜାନ ବିମାନ ବନ୍ଦରକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି। ଏହି ଆକ୍ରମଣ ସମୟରେ କମ୍ଲିଭ ଆଭିଏନ୍ସ, କ୍ଲାରା ଜେଟକିନ, ୟୁକୋଜିନସ୍କାୟା, ହାଡି ଟାକ୍ଟାସ, କ୍ରାସନାୟା ପୋଜିଟିଆ ଏବଂ ଓରେନବର୍ଗସ୍କି ଟ୍ରାକ୍ଟ ରାସ୍ତାରେ ଥିବା ବିଲ୍ଡିଂଗୁଡ଼ିକୁ ଟାର୍ଗେଟ କରାଯାଇଥିଲା ବୋଲି ଏପିଏ ସୂଚନା ଦେଇଛି।
ଆଗାମୀ ଦୁଇ ଦିନ ପାଇଁ କଜାନ ସହରରେ ସମସ୍ତ ପ୍ରମୁଖ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏପରି କରାଯାଇଛି। ରୁଷିଆର ଏହି ସହର ସବୁଠାରୁ ସୁରକ୍ଷିତ ସହର ଭାବରେ ପରିଗଣିତ ହୁଏ। ଏଠାରେ ନିକଟରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଥିଲା, ୟୁକ୍ରେନ ଫିକ୍ସଡ୍ ଓ୍ବିଙ୍ଗ ବ୍ୟବହାର କରି ରୁଷିଆରେ ଆତଙ୍କବାଦୀ ଆକ୍ରମଣକୁ ଖଣ୍ଡନ କରିଛି। ରୁଷିଆ କହିଛି, ବାୟୁସେନା ୧୯ଟି ୟୁକ୍ରେନ ଡ୍ରୋନ୍କୁ ଧ୍ୱଂସ କରିଦେଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ଏହି ବିବୃତ୍ତି ପରେ କଜାନ ସହର ଉପରେ ଆକ୍ରମଣ କରାଯାଇଛି।