ମିଳୁନି ଆବାସ : ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

ଗରିବଲୋକଙ୍କ ପେଟ ପାଟଣାକୁ ଅଣ୍ଟୁ ନ ଥିବାବେଳେ ଭଙ୍ଗା ଦଦରା ମାଟି କାନ୍ଥ ଘର ଦାଉ ସାଜିଛି । ଅନେକ ବର୍ଷ ହେଲା ଗୋଟିଏ ଛୋଟ ଭଙ୍ଗା କୁଡ଼ିଆରେ ଗୋଟିଏ ପଟେ ପୁଅବହୂ ଅନ୍ୟ ପଟେ ମା’ ଆଉ ଦୁଇ ଭାଇ ଭଉଣୀ ରହୁଛନ୍ତି । ଏଭଳି ଦୟନୀୟ ଅବସ୍ଥାରେ ବାସ କରୁଛନ୍ତି ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମାଝୀଗୁଡା ପଂଚାୟତର ଡମୁଗୁଡା ଗ୍ରାମର ପଦ୍ମା ମୁଦୁଲି(୫୦) । ସ୍ୱାମୀ ଗିରିଧର ମୁଦୁଲିଙ୍କ ମୃତୁ୍ୟ ପରେ ଚାରି ପୁଅଝିଅକୁ ନେଇ କୁଲିମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ । ବଡ ପୁଅ ଓ ଝିଅକୁ ବାହା ଦେଇଥିବା ବେଳେ ସାନ ଦୁଇ ପୁଅଝିଅ ଅଛନ୍ତି । ସରକାରୀ ସହାୟତା କହିଲେ ବିଧବା ଭତ୍ତା୧୦୦୦ ଟଙ୍କା ଓ ୨୦ କେଜି ଚାଉଳ ମିଳୁଛି  । ଆବାସ ଯୋଜନାରେ ସାମିଲ କରିବାକୁ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ନିକଟରେ ବାରମ୍ବାର ଗୁହାରୀ  କଲେ  ମଧ୍ୟ କିଛି ସୁଫଳ ମିଳି ପାରି ନାହିଁ । ଫଳରେ ପଦ୍ମା ନିଜ ପୁଅଝିଅ ଓ ପୁଅବହୂକୁ ନେଇ ପଲିଥିନ ଦେଇ ଭଙ୍ଗା ମାଟିକାନ୍ଥ ଘରେ ଜୀବନ ବିତାଉଛନ୍ତି । ବର୍ଷା ଋତୁରେ ଘରେ ପାଣି ଆସୁଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହୋଉଥିବା କହିଛନ୍ତି ପଦ୍ମା ମୁଦୁଲି । ଘରର ଦୁଇଟି ବଖରା ରହିଛି, ହେଲେ ଗୋଟିଏରେ ପଦ୍ମା ଓ ତାଙ୍କର ସାନ ଦୁଇ ପୁଅଝିଅ ଓ ଅନ୍ୟଟିରେ ପୁଅବହୂ ରହୁଛନ୍ତି । ପ୍ରଶାସନ ଆବାସ ଯୋଜନାରେ ସାମିଲ କରିବାକୁ ଅନେକ ଯୋଜନା କରିଥିଲେ ମଧ୍ୟ ଏହି ପଦ୍ମାଙ୍କ ପରିବାରକୁ ଆବାସ ଘର ନ ମିଳିବା ଦୁଃଖଦ ଘଟଣା ଅଟେ  । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦ୍ମାଙ୍କୁ ଖଣ୍ଡେ ଆବାସ ଯୋଜନା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।