ଜଳବାୟୁ ପରିବର୍ତ୍ତନର ସଂକଟ

ସୌଭାଗ୍ୟ ରଂଜନ ମହାନ୍ତି : ନିକଟରେ ବିଶ୍ୱ ଅର୍ଥନୈତିକ ଫୋରମର ରିସ୍କ ରିପୋର୍ଟରେ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଏବଂ ଏହାର ଭୟଙ୍କର ପ୍ରଭାବ ନେଇ ଯେଉଁ ତଥ୍ୟ ପ୍ରକାଶ ପାଇଛି, ତାହା ଅତ୍ୟନ୍ତ ଚିନ୍ତାଜନକ । ରିପୋର୍ଟରେ କୁହାଯାଇଛି ଯେ, ସଶସ୍ତ୍ର ଲଢେଇ ଏବଂ ଯୁଦ୍ଧ ପରେ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ ମୃତ୍ୟୁ କେବଳ ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ହୋଇଛି । ଗଲା ତିନି ଦଶନ୍ଧି ମଧ୍ୟରେ ଅର୍ଥାତ ୧୯୯୩ ରୁ ୨୦୨୨ ଭିତରେ ବିଶ୍ୱରେ ୯,୪୦୦୦ଟି ଜଳବାୟୁ ପରିବର୍ତ୍ତନ ଜନିତ ଭୟଙ୍କର ଘଟଣାରେ ଘଟିଥିବାବେଳେ ୭ଲକ୍ଷ ୬୫ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ବିଶ୍ୱ ଜଳବାୟୁ ପରିବର୍ତନ ପ୍ରଭାବରେ ବିଶ୍ୱରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ, ଅଂଶୁଘାତ, ଅତ୍ୟଧିକ ବର୍ଷା, ଜଳ ପ୍ରଳୟ, ବନ୍ୟା, ସାମୁଦ୍ରିକ ବାତ୍ୟା, ମରୁଡି  ଆଦି ମାନବ ସମାଜ ପାଇଁ ସବୁଠାରୁ ବଡ କ୍ଷତିକାରକ ଭାବେ ଉଭା ହୋଇଛି । ଏହି ଅବଧି ମଧ୍ୟରେ ଚାରି ଟ୍ରିଲିଅନ ଡଲାରର କ୍ଷୟକ୍ଷତି ଘଟିଥିବା କୁହଯାଏ। ସେହିପରି  ଜର୍ମାନୱାଚ ଗ୍ଲୋବାଲ କ୍ଲାଇମେଟ ରିସ୍କ ଇଣ୍ଡେକ୍ସର ରିପୋର୍ଟରେ ତଥ୍ୟ ଅନୁଯାୟୀ ଏହି ସମୟ ଅର୍ଥାତ ୧୯୯୩ରୁ ୨୦୨୨ ମଧ୍ୟରେ ଭାରତ ୬ଟି ବଡ ଧରଣର ଜଳବାୟୁ ପରିବର୍ତ୍ତନ ଜନିତ ପ୍ରାକୃତିକ ବିପର୍ଯ୍ୟାୟର ସମ୍ମୁଖୀନ ହୋଇଥିଲ । ଯାହାର ପ୍ରଭାବରେ ଭାରତରେ ୮୦ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୧୮୦ବିଲିଅନ ଡଲାରର ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା କୁହାଯାଇଛି । ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ବିଶ୍ୱର ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ରଙ୍କ ତାଲିକାରେ ଭାରତ ଷଷ୍ଠ ସ୍ଥାନରେ ରହିଛି । କେବଳ ଏତିକି ନୁହେଁ, ଏହି ଅବଧି ମଧ୍ୟରେ ଭାରତରେ ମୋଟ ମୃତ୍ୟୁ ସଂଖ୍ୟାର ପ୍ରତି ୧୦ଜଣରେ ଜଣେ ପ୍ରାକୃତିକ ବିପର୍ଯ୍ୟୟରେ ଜୀବନ ହରାଇଥିବା କୁହାଯାଏ । ଭାରତରେ ଦ୍ରୁତ ସହରାଚଂଳ ବିକାଶ, ଶିଳ୍ପ ବିକାଶ ପରିପ୍ରେକ୍ଷୀରେ ଦ୍ରୁତ ଜଳବାୟ ପରିବର୍ତନର ପ୍ରଭାବ ଏବେ ଭାରତୀୟ ଲୋକଙ୍କର ସ୍ୱାସ୍ଥ୍ୟ ଉପରେ ପଡିଛି । ବନ୍ୟା, ବାତ୍ୟା, ଗ୍ରୀଷ୍ମପ୍ରବାହ, ଅତ୍ୟଧିକ ଥଣ୍ଡା ପ୍ରବାହ ଜନିତ ମୃତ୍ୟୁ ବ୍ୟତୀତ ଦେଶରେ ଶ୍ୱାସକ୍ରିୟାରେ ଏବଂ ହୃଦରୋଗ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ଏବେ ଉଦ୍‌ବେଗର କାରଣ ହୋଇଛି। ସେହିପରି ମାନସିକ ବିକୃତ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଥିବା ଲାନସେଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି । ଲାନ୍‌ସେଟ୍‌ରେ ଆହୁରି କୁହାଯାଇଛି ଯେ, ମନ ଓ ଶରୀର ପୃଥକ ନୁହେଁ । ଗୋଟିଏ ପ୍ରଭାବିତ ହେଲେ ଅନ୍ୟଟି ପ୍ରଭାବିତ ହେବା ନିଶ୍ଚିତ। ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ପ୍ରଭାବିତ କରୁଥିବାବେଳେ ଏହାର ପ୍ରଭାବ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ପ୍ରଭାବିତ କରୁଥିବାବେଳେ ଏହାର ପ୍ରଭାବ ସିଧାସଳଖ ମାନସିକ ସ୍ୱାସ୍ଥ୍ୟ ଉପରେ ପଡୁଛି । ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ସରକାରୀ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଶେଷ ଗୁରୁତ୍ୱ ପାଇନଥିବାବେଳେ ଏଥିଲାଗି ବଜେଟ ବ୍ୟୟ ଅଟକଳ ମାତ୍ର ୧ ପ୍ରତିଶତ ରହିଛି । ଯାହାକି ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି ।

 ଦ୍ରୁତ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯେପରି ମଣିଷର ମାନସିକ ସ୍ୱାସ୍ଥ୍ୟ ଉପରେ ବୃଦ୍ଧି ପାଇଛି, ଏହାର ପ୍ରତିକାର କରାନଗଲେ, ଭବିଷ୍ୟତ ପିଢିଙ୍କୁ ଏହା ନଷ୍ଟ ଭ୍ରଷ୍ଟ କରିଦେବାର ଆଶଙ୍କା ରହିଛି । ସେହିପରି ବିଶ୍ୱବ୍ୟାଙ୍କ ଏବଂ କେନ୍ଦ୍ର ସହର ବିକାଶ ଓ ଗୃହ ନିର୍ମାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ମିଳିତ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ ଭାରତୀୟ ସହରଗୁଡିକ ଉପରେ ସିଧାସଳଖ ପଡିଛି । ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଦେଶର ୧୦ଟି ବଡ ବଡ ସହର ଅସହ୍ୟ ଗ୍ରୀଷ୍ମ ପ୍ରବାହ ଏବଂ ଅତିଶୟ ବର୍ଷାରେ ପ୍ରଭାବିତ ହୋଇଥିବା କୁହାଯାଏ । ୧୯୮୩ ରୁ ୧୯୯୦ ଏବଂ ୨୦୧୦ ରୁ ୨୦୧୬ ମଧ୍ୟରେ ଗଲା ୨୫ବର୍ଷ  ମଧ୍ୟରେ ଏହି ସହରଗୁଡିକରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ବର୍ଷା ୭୧ ପ୍ରତିଶତରୁ ଶତ ପ୍ରତିଶତକୁ ବୃଦ୍ଧି ପାଇଛି । ଏହି ସହରଗୁଡିକ ଅଂଶୁଘାତ ଓ ଗ୍ରୀଷ୍ମ ପ୍ରବାହ ଜନିତ ମୃତ୍ୟୁ ସଂଖ୍ୟା ଦ୍ୱିଗୁଣିତ ବୃଦ୍ଧି ପାଇଛି । ଜାତୀୟ ରାଜଧାନୀ ଦିଲ୍ଲୀ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ । ଭାରତ ସମେତ ସମଗ୍ର ବିଶ୍ୱ ଏବେ ଏକ ଅଭୂତପୂର୍ବ ପର୍ଯ୍ୟାୟ ଜଳବାୟୁ ପରିବର୍ତନରେ ପ୍ରବେଶ କରିଥିବା ନେଇ ସ୍ପଷ୍ଟ ସଂକେତ ମିଳେ । ଗତ ଜାନୁୟାରୀ ମାସ ଆନ୍ତର୍ଜାତିକ ସ୍ତରରେ ସବୁଠାରୁ ଉଷ୍ମ ମାସ ଥିବା ରେକର୍ଡ କରାଯାଇଛି । ଭୂଭାଗର ହାରାହାରି ତାପମାତ୍ରା ୧୩.୨୩ ଡିଗ୍ରୀ ସେଲସିୟସ ଥିଲା, ଯାହା ପ୍ରି-ଇଣ୍ଡଷ୍ଟ୍ରିଆଲ ତାପମାତ୍ରା ଠାରୁ ୧.୭୫ ଡିଗ୍ରୀ ସେଲସିୟସ ଥିଲା । ଭାରତ ଓ ପାକିସ୍ଥାନରେ ସର୍ବାଧିକ ହିଟୱେଭ୍‌ ପ୍ରବଣ ଦେଶଗୁଡିକ ମଧ୍ୟରେ ନବମ ସ୍ଥାନରେ ରହିଥିବାବେଳେ ଏହାର ମୁକାବିଲା ପାଇଁ ବେଳହୁଁ ସଜାଗ, ସତର୍କ ନହେଲେ ଦକ୍ଷିଣ ଏସୀଆର ଦୁଇ ପଡୋଶୀ ରାଷ୍ଟ୍ରରେ ହିଟୱେଭ୍‌ ୩୦ଗୁଣ ବୃଦ୍ଧି ପାଇବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।
ମୋ : ୭୯୭୮୬୬୬୪୦୩