ମାଦଳା ପାଞ୍ଜି


ଆମ ଓଡ଼ିଆ ସାମାଜିକ ଚଳଣିରେ ପାଞ୍ଜି ପ୍ରଚଳନ ଅଛି । ମହାବିଷୁବ ସଂକ୍ରାନ୍ତିରେ ଆନୁଷ୍ଠାନିକ ଭାବେ ପାଞ୍ଜି ଉନ୍ମୋଚିତ ହୋଇଥାଏ । ଏଥିରେ ବର୍ଷକ ବାରମାସ ସମସ୍ତ ଦିନର ସୂର୍ଯ୍ୟଦୋୟ ଠାରୁ ସୂର୍ଯ୍ୟାସ୍ତ, ଶୁଭ ଅଶୁଭ କାଳ ଠାରୁ ପର୍ବପର୍ବାଣି ଯାନିଯାତ୍ରା, ତିଥି ନକ୍ଷତ୍ର ସବୁକିଛି ଉଲ୍ଲେଖ ରହିଥାଏ । ନାକ୍ଷ୍ୟତ୍ରିକ ସମ୍ଭାବ୍ୟ ଘଟଣାବଳୀ ଅନେକ କିଛି ରହିଥାଏ । ଠିକ ସେହିପରି ମାଦଳା ପାଞ୍ଜିଟି ମହାନ ଶ୍ରୀଜଗନ୍ନାଥ ଧର୍ମ, ଶ୍ରୀମନ୍ଦିର, ରାଜବଂଶାବଳୀ, ଶ୍ରୀମନ୍ଦିରର ସମସ୍ତ ନୀତିକାନ୍ତି, ଦଇତା ଓ ସେବାୟତଙ୍କ ଦାୟିତ୍ୱ ଅଧିକାର ଓ ପାଉଣା, ଶ୍ରୀମନ୍ଦିରର ପ୍ରଶାସନିକ ନିଦେ୍ର୍ଦଶାବଳୀ ଆଦି ଉଲ୍ଲେଖ ରହିଥାଏ ।  ଶ୍ରୀଜଗନ୍ନାଥଙ୍କ ଧାରାବାହିକ ଇତିହାସ ଲେଖିବା ସମ୍ଭବ ନୁହେଁ । ଗଙ୍ଗବଂଶ ରାଜତ୍ୱ ପୂର୍ବର ଘଟଣାବଳୀର ବିବରଣୀ ପ୍ରମାଣିତ ଭାଗବରେ ଜଣାଯାଉ ନାହିଁ । ପୌରାଣିକ ଉପାଖ୍ୟାନ ବ୍ୟତୀତ ଐତିହାସିକ ଯୁଗର ଘଟଣା ବହୁ ସ୍ଥାନରେ ନିର୍ଦ୍ଦିଷ୍ଟ ଭାବରେ ମିଳୁ ନାହିଁ । "ମାଦଳାପାଞ୍ଜି'ରେ ଯେଉଁ ସବୁ ବିବରଣୀ ମିଳୁଛି, ତାହା ମଧ୍ୟ କେତେକ ସ୍ଥଳରେ ସମସାମୟିକ ଐତିହାସିକ ପ୍ରମାଣ ସହିତ ମେଳ ହେଉନାହିଁ । ଏହା ସତ୍ତ୍ୱେ ମାଦଳାପାଞ୍ଜିରୁ ବହୁତ ବିଷୟ ମିଳୁଛି । ପାରମ୍ପରିକ ପ୍ରଥା, କିମ୍ବଦନ୍ତୀ ଓ ଐତିହାସିକ ଘଟଣାର ସମାବେଶ ଏଥିରେ ଥିବାରୁ ଜଗନ୍ନାଥଙ୍କ ଇତିହାସ ଓ ଓଡ଼ିଆ ଇତିହାସ ଲେଖାରେ ପାଞ୍ଜିଟି ଅପରିହାର୍ଯ୍ୟ ଉପାଦାନ ରୂପେ ବ୍ୟବହୃତ ହେଉଛି । 
ଲୋକେ କଥାରେ କହନ୍ତି, "ଯାହା ନାହିଁ ଭାରତେ, ତାହା ନାହିଁ ଭାରତେ ।' ଅର୍ଥାତ୍ ଯାହା ମହାଭାରତ ଗ୍ରନ୍ଥରେ ନାହିଁ, ତାହା ଭାରତ ବର୍ଷରେ ନାହିଁ । ଏହି ଅନୁରୂପ ଆଉ ଗୋଟିଏ କଥା ଆମ ଓଡ଼ିଶାରେ ପ୍ରଚଳିତ ଅଛି । ତାହା ହେଉଛି, "ମାଦଳାରେ ସବୁ ଅଛି ।' ଏହି ମାଦଳା ହିଁ ମାଦଳାପାଞ୍ଜି କ୍ଷେତ୍ରର ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରର ଇତିବୃତ୍ତ, ରୀତିନୀତି ପ୍ରଭୃତି ବିଷୟରେ କଥା ପଡ଼ିଲେ ଲୋକେ କହିଥାଆନ୍ତି, "ମାଦଳାପାଞ୍ଜିରେ କ'ଣ ଅଛି, ଦେଖ ।' ଏହି ଦିଗରୁ ଦେଖିଲେ ଓଡ଼ିଶାର ପ୍ରାଚୀନ ରାଜନୈତିକ ଜୀବନ, ସାମାଜିକ ରୀତିନୀତି ଓ ପରମ୍ପରା ସମ୍ବନ୍ଧରେ ମାଦଳା ପାଞ୍ଜିର ପ୍ରଭାବ ଅସ୍ୱୀକାର କରି ହୁଏ ନାହିଁ । ତେବେ ଏହି ମାଦଳା ପାଞ୍ଜିଟି କ'ଣ ଏବଂ କାହାକୁ କୁହାଯାଉଛି ।
ଶ୍ରୀଜଗନ୍ନାଥଙ୍କ ମନ୍ଦିରର ରୀତିନୀତି ଓ ରାଜାମାନଙ୍କର ରାଜତ୍ୱ ସମ୍ପର୍କିତ ସଂକ୍ଷିପ୍ତ ଇତିହାସ ଧାରାବାହିକ ଭାବେ ମାଦଳା ପାଞ୍ଜିରେ ଉଲ୍ଲେଖ ହୋଇଥାଏ । ପ୍ରଥମେ ଏହା ତାଳପତ୍ରରେ ଲେଖା ହେଉଥିଲା । ତେବେ ମାଦଳା ଶବ୍ଦଟି ଉପରେ ଆମେ ଯାହା ତଥ୍ୟ ସଂଗ୍ରହ କରିଥିଲୁ ବାସ୍ତବରେ ଯେଉଁ ତାଳପତ୍ର ଉପରେ ଶ୍ରୀଜଗନ୍ନାଥ ମନ୍ଦିରର ନିତିଦିନିଆ ପାଞ୍ଜି ଭଳି ସମସ୍ତ ବିବରଣୀ ଓ ଘଟଣା ଲିପିବଦ୍ଧ ହୁଏ ସେ ସବୁ ଏକତ୍ର କରି ବିଡ଼ା ବନ୍ଧା ହୋଇ ମାଦଳା ବା ମର୍ଦ୍ଧଳ ଆକାରରେ ରଖା ହେଉଥିବାରୁ ଏହି ତାଳପତ୍ର ପୋଥିକୁ ମାଦଳା ପାଞ୍ଜି ବୋଲି କୁହାଯାଏ । ତେବେ ଜନଶ୍ରୁତି, ସ୍ମୃତିଶକ୍ତି ଓ ବିକ୍ଷିପ୍ତ ଉପାଦାନ ଉପରେ ନିର୍ଭରକରି ଏହା ଲେଖା ହୋଇଥିବ ବୋଲି କେତେକ ଉଲ୍ଲେଖ କରନ୍ତି । ତେବେ ଐତିହାସିକ ତଥ୍ୟ ଅନୁଯାୟୀ ଗଙ୍ଗବଂଶୀ ରାଜାମାନଙ୍କ ରାଜତ୍ୱ ଆରମ୍ଭ ସମୟରେ ଲେଖା ହୋଇଛି ବୋଲି ଉଲ୍ଲେଖ ରହିଥିବାବେଳେ ଯଜାତି, ଜନ୍ମେଜୟ, ଚୋଡ଼ଗଙ୍ଗ ଦେବ ଏହି ତିନିରାଜାଙ୍କ ଭିତରୁ କେହି ଜଣଙ୍କ ରାଜତ୍ୱରେ ମାଦଳା ପାଞ୍ଜି ଲେଖା ଆରମ୍ଭ ହୋଇଥିବା ବୋଲି ବିଶ୍ୱାସ ରହିଛି । ଶ୍ରୀଜଗନ୍ନାଥ ଓ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଏଯାବତ ଯେତେ ଲେଖା ସବୁ ପ୍ରକାଶିତ ହୋଇଛି ସେ ସବୁ ଭିତରୁ ଅନେକ ଏହି ତଥ୍ୟଭିତ୍ତିକ "ମାଦଳାପାଞ୍ଜିର' ସହାୟତା ନିଆଯିବା ସହ ତଥ୍ୟ ଗୁଡ଼ିକ ମଧ୍ୟ ଉଲ୍ଲେଖ କରାଯାଇଛି । ଗବେଷକ ସୂର୍ଯ୍ୟନାରାୟଣ ଦାସଙ୍କ ତଥ୍ୟ ଅନୁଯାୟୀ ମାଦଳା ପାଞ୍ଜିର ଅନେକ ଐତିହାସିକ ମୂଲ୍ୟ ରହିଛି । ପ୍ରଥମରେ ପ୍ରାଚୀନ ଓଡ଼ିଶାର ବହୁତ ପ୍ରଧାନ ଐତିହାସିକ ଘଟଣା ଏଥିରେ ଲିପିବଦ୍ଧ ହୋଇଛି । ଦ୍ୱିତୀୟରେ ମହାପ୍ରଭୁଙ୍କ ମନ୍ଦିରର ରୀତିନୀତି, ପର୍ବପର୍ବାଣି ବିବରଣୀ ପାଇଁ ମାଦଳା ପାଞ୍ଜି ପ୍ରମୁଖ ସହାୟ । 
ସୌର ଚନ୍ଦ୍ର ମହାପାତ୍ର,ମୋ : ୯୪୩୭୦୦୪୪୬୬