ପ୍ରଥମାଷ୍ଟମୀର ବୈଶିଷ୍ଟ୍ୟ
ଡ.ଅରୁନ୍ଧତୀ ଦେବୀ : ପ୍ରଥମାଷ୍ଟମୀ ଏକ ସାମାଜିକ ଏବଂ ପରମ୍ପରା ପ୍ରଚଳିତ ପାରିବାରିକ ପର୍ବ । ପରିବାର ଶ୍ରଦ୍ଧା, ସ୍ନେହ ଓ ସଂହତି ରକ୍ଷା ନିମନ୍ତେ ଏହା ଏକ ଚମକ୍ରାର ପରିକଳ୍ପନା । ଓଡ଼ିଆ ପାଞ୍ଜି ଅନୁସାରେ ମାର୍ଗଶୀର ମାସ କୃଷ୍ଣପକ୍ଷର ଅଷ୍ଟମୀତିଥି । ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘ ଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ସାଧାରଣତଃ ଜ୍ୟେଷ୍ଠପୁତ୍ର ବା କନ୍ୟା ସ୍ନାନାନ୍ତେ ନବବସ୍ତ୍ର ପରିଧାନ କରନ୍ତି ଏବଂ ମା'ମାନେ ତାଙ୍କୁ ବନ୍ଦାପନା କରନ୍ତି । ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ । ଏହିଦିନ ଏପରି ଏକ ପିଠା ହୁଏ, ଯାହାକି ଅନ୍ୟ ଦିନମାନଙ୍କରେ ବା ଅନ୍ୟ ପର୍ବରେ କେବେ ହୁଏ ନାହିଁ । ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ ।
ରାଜ୍ୟରେ ଯେଭଳି ପୋଡ଼ପିଠା, ଅନନ୍ତବ୍ରତ ଦିନ ଲଡୁ କାକରା, ବଡ଼ଓଷାରେ ମଣ୍ଡାପିଠା, ଚିତାଲାଗି ଅମାବାସ୍ୟାରେ ଚିତଉପିଠା, ମକର ସଂକ୍ରାନ୍ତିରେ ମକରଚାଉଳ, ଧନୁ ସଂକ୍ରାନ୍ତିରେ ଧନୁ ମୁଅାଁ, ବିଷୁବ ସଂକ୍ରାନ୍ତିରେ ଛେନାପଣା, ଶାମ୍ବଦାମୀରେ ବୁଢ଼ା ଚକୁଳି ଇତ୍ୟାଦି ଓଡ଼ିଆ ଘରର ବିଶେଷତ୍ୱ, ସେହିଭଳି ପ୍ରଥମାଷ୍ଟମୀର ବିଶେଷତ୍ୱ ହେଉଚି, ଏଣ୍ଡୁରୀପିଠା, ଛେନା, ଗୁଡ଼ ଓ ନଡ଼ିଆପୁର ଏବଂ ଉଆପକ୍ଷିଆ ଚାଉଳ ଓ ବିରିରେ ଏହା ପ୍ରସ୍ତୁତ ହୋଇଥାଏ । ଏହି ପିଠା ପାଇଁ ହଳଦୀ ପତ୍ରର ବ୍ୟବହାର ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହାର ହୁଏନାହିଁ। କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରୀପିଠାରେ ହଳଦୀପତ୍ରର ବ୍ୟବହାର ପ୍ରସିଦ୍ଧ । ତେଣୁ ଏହି ପିଠା ଅତ୍ୟନ୍ତ ସୁସ୍ୱାଦୁ, ରୁଚିକର ଓ ସୁବାସ ହୋଇଥାଏ । ଗୋଟିଏ ହାଣ୍ଡିର ମୁହଁରେ କନା ବାନ୍ଧି ସେହି ହାଣ୍ଡିକୁ ଚୁଲି ଉପରେ ରଖାଯାଏ । ଏହାକୁ ଅଥାର ହାଣ୍ଡି କହନ୍ତି । ଏହି ଅଥାରହାଣ୍ଡି ଉପରେ ହଳଦୀପତ୍ରରେ ପୁରମିଶା ଆଣ ଲଦି ହାଣ୍ଡି ଉପରେ ପଲମ ବା ଘୋଡ଼ଣି ଢ଼ାଙ୍କି ଦିଆଯାଏ । କିଛି ସମୟ ପରେ ପିଠା ସିଝିଗଲେ, ତାକୁ କାଢ଼ି ଅଣାଯାଏ ଏବଂ ଏହା ଏହିଁ ଏଣ୍ଡୁରୀପିଠା । ମାର୍ଗଶୀର ମାସରେ ଏହି ପ୍ରଥମାଷ୍ଟମୀ ପର୍ବ ପଡେ଼ । ଏହି ମାର୍ଗଶୀର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇଥାଏ ।
ଅତୀତରେ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଅଛି । ପରିବାରର ଜ୍ୟେଷ୍ଠପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ପଢ଼ୁଅାଁ ହେବା କହିଥାନ୍ତି । ପଡ଼ୁଅାଁ ଶବ୍ଦଟି ପ୍ରଥମର ଅପଭ୍ରଂଶ । ସାଧାରଣତଃ ପଢ଼ୁଆଁ କରିବା ଦାୟିତ୍ୱ ମାମୁଙ୍କର । ଏହି ଦିନ ମାମୁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢ଼ୁଆଁ କରନ୍ତି । ସେଥିପାଇଁ ମାମୁଙ୍କୁ ଶ୍ରଦ୍ଧା ଓ ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଇଥାଏ । ଏହି ବିଧିରେ ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧ ଅତିମାତ୍ରାରେ ନିହିତ ରହିଛି । ଜ୍ୟେଷ୍ଠ ପୁତ୍ର, ପରିବାରରେ ପିତା ସମାନ । ପିତାଙ୍କ ଅନ୍ତେ ଘର ଚଳାଇବା ଓ ଅନ୍ୟ ସନ୍ତାନମାନଙ୍କୁ ପ୍ରତିପୋଷଣ କରିବା ଦାୟିତ୍ୱ ଜ୍ୟେଷ୍ଠ ପୁତ୍ର ଉପରେ ପଡ଼ିଥାଏ । ତେଣୁ ତାକୁ ସମସ୍ତେ ସମ୍ମାନ ଜଣାଇବା ପାଇଁ ପ୍ରଥମାଷ୍ଟମୀ ଓ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରଥମ ସନ୍ତାନକୁ ପୂଜା ବନ୍ଦାପନା କରିବାର ବିଧି ଆମ ସମାଜରେ ପ୍ରଚଳିତ । ଏହା ସମ୍ପୂର୍ଣ୍ଣ ଭାବେ ଏକ ଓଡ଼ିଆ ପର୍ବ । ଓଡ଼ିଶାର ପ୍ରଥମାଷ୍ଟମୀ ପର୍ବଭଳି ଅନ୍ୟ କେଉଁଠି ଅନୁରୂପ ପର୍ବ ନାହିଁ ।
ମୋ : ୯୯୩୭୧୭୨୮୧୦