ଜୀବନ ମାତ୍ରକେ ଜଟିଳ

ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ସଂସାରରେ ସମସ୍ତଙ୍କ ଜୀବନ ମାତ୍ରକେ କେମିତି ଜଟିଳ, ସେନେଇ କିଛିକଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା । 
ଜୀବନଟା କେବେ ହେଲେ କାଗଜ ଉପରେ ଟଣା ଯାଇଥିବା ଏକ ସରଳରେଖା ଭଳି ଚାଲେ ନାହିଁ । ପାହାଡ଼, ପର୍ବତ ତଳେ ଯେଭଳି କଣ୍ଟାବୁଦା, ଘାସ, ଝରଣା, ପଥର, ଖାଲ ସବୁ ଥାଏ ଜୀବନଟା ଠିକ୍ ସେହିପରି । କେତେବେଳେ ଦୁଃଖ, କେତେବେଳେ ସୁଖ, କେତେବେଳେ ରୋଗ, କେତେବେଳେ ସଂଘର୍ଷ । ଏମିତି ଭାବରେ ଜୀବନ ଚାଲେ । ତାରି ଭିତରେ ଜୀବନର ସଂଘର୍ଷର ସଫଳତା ଓ ବିଫଳତା ସବୁ କିଛି ଅଛି । ସମୁଦ୍ରର ଜୁଆର ଭଳି କେତେବେଳେ ବଡ଼ ଢ଼େଉ ଆସେ ତ ଆଉ କେତେବେଳେ ଭଟ୍ଟା ପଡ଼ିଯାଏ । ଗୋଟିଏ ପୂର୍ଣ୍ଣ ବର୍ଷ ବିଭିନ୍ନ ଋତୁ ଦେଇ ସମ୍ପୂର୍ଣ୍ଣ ହୁଏ । ଗ୍ରୀଷ୍ମ ଆସେ, ହେମନ୍ତ ଆସେ, ବସନ୍ତ ଆସେ, ଶୀତ ଆସେ । ପ୍ରକୃତି ମଧ୍ୟ ସ୍ଥିର ନୁହେଁ । ତେଣୁ ମଣିଷର ଜୀବନ କେବେ ହେଲେ ସ୍ଥିର ହୋଇପାରିବ ନାହିଁ । 
ମଣିଷ ଶିଶୁ ହୋଇ ଜନ୍ମ ହୁଏ, ବାଲ୍ୟାବସ୍ଥା ଆସେ । କୈଶୋର, ବାର୍ଦ୍ଧକ୍ୟ ଏସବୁ ଗୋଟିଏ ଗୋଟିଏ ଅବସ୍ଥା । ଗୋଟିଏ ଫୁଲମାଳରେ ଅନେକ ଫୁଲ ରହିବା ପରି ଜୀବନକାଳ ମଧ୍ୟରେ ଅନେକ ଘଟଣା ଗୁନ୍ଥା ହୋଇ ରହିଥାଏ । ସେସବୁକୁ ସମ୍ମୁଖୀନ ହେବା ପାଇଁ ଧୈର୍ଯ୍ୟ ରଖିବା ଆବଶ୍ୟକ । ମଣିଷ ମାନସିକ ଓ ଶାରୀରିକ ଭାବରେ ସୁଦୃଢ଼ ହେଲେ ସବୁ ପ୍ରକାରର ପରିସ୍ଥିତିକୁ ସମ୍ମୁଖୀନ ହୋଇ ଜୀବନ ଯୁଦ୍ଧରେ ଆଗେଇ ଚାଲେ । ପ୍ରତ୍ୟେକ କଥାରେ ହତୋତ୍ସାହ ହେଲେ, ଡ଼ରିଗଲେ ମଣିଷ ବଞ୍ଚିପାରିବ ନାହିଁ । ସାଧାରଣ ରୋଗରୁ ଆରମ୍ଭ କରି ବଡ଼ ବଡ଼ ରୋଗ ପର୍ଯ୍ୟନ୍ତ ମନୁଷ୍ୟକୁ ଭୋଗିବାକୁ ପଡ଼େ । ଏଭଳି ପରିସ୍ଥିତିରେ ଧୈର୍ଯ୍ୟ ହରାଇଲେ କିମ୍ବା ଭୟଭୀତ ହୋଇଗଲେ ମଣିଷ ତ ବଞ୍ଚିପାରିବ ନାହିଁ । ଧୈର୍ଯ୍ୟ ଏବଂ ସାହସ ହେଉଛି ମଣିଷ ଜୀବନର ଦୁଇ ବନ୍ଧୁ । ଧୈର୍ଯ୍ୟହରା ମଣିଷ ଜୀବନରେ କିଛି ପାଏ ନାହିଁ ଏବଂ ସାହସୀ ବ୍ୟକ୍ତି ଜୀବନରେ କେବେ ହାରେ ନାହିଁ । ଜୀବନ ହେଉଛି ଏକ ଯୁଦ୍ଧ । ଏ ଯୁଦ୍ଧରେ ବିଜୟ ହେଉଥିବା ପର୍ଯ୍ୟନ୍ତ ମଣିଷ ବଞ୍ଚିଥାଏ । ଜୀବନ ଯୁଦ୍ଧରେ ହାରିଯିବା ଅର୍ଥ ମୃତୁ୍ୟ । ତେଣୁ ଅଙ୍କାବଙ୍କା ନଈ ଭଳି ଜୀବନର ଗତିପଥ ମଧ୍ୟ ଅଙ୍କାବଙ୍କା ହେବ ବୋଲି ମନରେ ଧୈର୍ଯ୍ୟ ଧରିବା ଉଚିତ୍ । 
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।