ଶ୍ୟାମଳାଇ ଓ କରେଇଶୁଣୀ ପୀଠ ଜନସମୁଦ୍ର 


 ହିିଞ୍ଜିଳିକାଟୁ:  ଚୈତ୍ର ମାସ ତୃତୀୟ ପାଳି ମଙ୍ଗଳବାର ଉପଲକ୍ଷେ ହିିଞ୍ଜିଳିକାଟୁ ବ୍ଳକ ନୂଆଁ ବୁରୁପଡ଼ା ସ୍ଥିତ ଶକ୍ତିପୀଠ ମା ଶ୍ୟାମଳାଇଙ୍କ ପୀଠରେ ଭକ୍ତଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ମଙ୍ଗଳବାର ଭୋରରୁ ମା'ଙ୍କ ମାର୍ଜଣା, ମଙ୍ଗଳଆଳତୀ, ସୂର୍ଯ୍ୟପୂଜା, ମଇଲମ, ବାଳଭୋଗ, ଦେବୀନୀତି  ସହ ସମସ୍ତ ରୀତିନୀତି ସମାପନ ପରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ମନ୍ଦିର ଦ୍ୱାର ଖୋଲା ଯାଇଥିଲା ।  ଦୂରଦୁରାନ୍ତରୁ ଭକ୍ତମାନେ ସେମାବାର ରାତିରୁ ଆସି ମନ୍ଦିର ପରିସରରେ ଭିଡ଼ ଜମାଇବା ସହ ମନ୍ଦିର ପାର୍ଶ୍ୱରେ ମାନସିକ ଧାରୀମାନେ ନିଜ ନିଜ ଶିଶୁଙ୍କୁ ମୁଣ୍ଡନ କରାଉଥିବାର ଦେଖିବାକୁ ମିଳିଥିଲା । ଏପରିକି ମନ୍ଦିର ପରିସରରେ ଭକ୍ତଙ୍କ ଅସମ୍ଭବ ଭିଡ଼ ପରିଲିକ୍ଷିତ ହୋଇଥିଲା । ମା'ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ସକାଶେ ଭକ୍ତମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଲମ୍ବା ଲାଇନରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । ମନ୍ଦିର ଚତୁପାଶ୍ୱର୍ରେ ବିଭିନ୍ନ ରକମର ଖେଳଣା, ବାରମଜା, ଥଣ୍ଡାପାନୀୟ, ବେଲୁନ ଦୋକାନର ଅସ୍ଥାୟୀ ଦୋକାନ ବଜାରମାନ ଗଢି  ଉଠିଥିଲା । ଭକ୍ତମାନେ ନିଜ ନିଜ ପରିବାର ଓ ବନ୍ଧୁବର୍ଗଙ୍କ ସହ ମନ୍ଦିର ନିକଟରେ ଭୋଜିଭାତର ଆୟୋଜନ କରିଥିବାର ଦେଖିବାକୁ ମିଳିଥିଲା । ମନ୍ଦିର ନିକଟରେ ଛାଗବଳି ନିଷେଧ ରହିଥିଲେ ମଧ୍ୟ ଭକ୍ତମାନେ ପରିବାର ଓ ସମ୍ପର୍କୀୟଙ୍କ ସହ ଛାଗବଳି ପକାଉଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ କିଛି ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଓ ସ୍ୱେଚ୍ଛାସେବୀଙ୍କ ପକ୍ଷରୁ ପାନୀୟ ଜଳ ବଣ୍ଟନ ସହ ପାଣି ସିଞ୍ଚନ କରାଯାଉଥିବା ଦେଖିବାକୁ ମିଳିଥିଲା । ମଙ୍ଗଳବାର ଭୋରରୁ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ତତ୍ୱାବଧାନରେ ପୁଲିସ ଟିମ୍‌ ମନ୍ଦିର ପରିସରରେ ମୁତୟନ ରହିବା ସହ  ଶାନ୍ତି ଶୃଙ୍ଖଳା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ । ଶ୍ୟାମଳାଇ ଛକ ତଥା ୫୯ ନମ୍ବର ଜାତୀୟ ରାଜପଥର ଉଭୟ ପ୍ୱାର୍ଶରେ ବହୁ ଯାନବାହନ ରହିଥିଲା । ମନ୍ଦିର ଚର୍ତୁପାଶ୍ୱର୍ରେ ଭକ୍ତମାନେ ଆସ୍ଥାନ ଜମାଇବା ସହ ମନ୍ଦିର ପରିସର ଠାରୁ ପ୍ରାୟ ୨କିଲୋମିଟର ପରିଧି ପର୍ଯ୍ୟନ୍ତ ଭକ୍ତମାନେ ନିଜ ନିଜର ପରିବାର ଓ ବନ୍ଧୁ ପରିଜନମାନଙ୍କ ସହ ଭୋଜିଭାତର ଆୟୋଜନ କରୁଥିବା ଦେଖିବାକୁ ମିଳିଥିଲା । ଭକ୍ତମାନେ ନିଜ ନିଜର କାର୍ଯ୍ୟ ସମାପନ କରି ସନ୍ଧ୍ୟାରେ ନିଜ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଭକ୍ତମାନଙ୍କ ଭିଡ଼କୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଭକ୍ତମାନଙ୍କ ପ୍ରତ୍ୟାବର୍ତ୍ତନ ପରେ ମନ୍ଦିର ଚର୍ତୁପାଶ୍ୱର୍ରେ ଅଇଁଠା ଖଲି, ପ୍ଳେଟ ଓ ପ୍ଳାଷ୍ଟିକ ଗ୍ଳାସ ପଡି ରହିଥିଲା । ଫଳରେ ସ୍ଥାନୀୟ ଅଞ୍ଚଳବାସୀ ଓ ମନ୍ଦିର ପ୍ରଶାସନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଅନୁରୁପ ଭାବେ ସ୍ଥାନୀୟ ବ୍ଳକ୍‌ ଖରିଡ଼ା ଗ୍ରାମରେ ଅଧିଷ୍ଠିତ ମା' କରେଇଶୁଣୀଙ୍କ ପୀଠରେ ମଧ୍ୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବହୁ ମାନସିକ ଧାରୀ ନିଜ ନିଜ ଶିଶୁଙ୍କ ମୁଣ୍ଡନ କରାଇବା ସହ ମନ୍ଦିର ଚର୍ତୁପାଶ୍ୱର୍ରେ ଭୋଜିଭାତର ଆୟୋଜନ କରିଥିବା ଦେଖିବାକୁ ମିଳିଥିଲା ।