ସତ୍ୟବାଦୀ ଚେତନା ଓ ଓଡ଼ିଆ ସାହିତ୍ୟ
ଅମୂଲ୍ୟ କୁମାର ପଣ୍ଡା : ସତ୍ୟବାଦୀ-ଚେତନା ଓଡ଼ିଆ ସାହିତ୍ୟରେ ଜାତୀୟତାବାଦୀ ଭାବଧାରା ସୃଷ୍ଟି କରିବାରେ ଥିଲା ପ୍ରମୁଖ ପ୍ରେରଣା । ମାନବ ବନ୍ଦନା ଥିଲା ଏହାର ଅନ୍ୟତମ ଆଦର୍ଶ । ୧୯୨୧ ମସିହାରୁ ଭାରତବର୍ଷରେ ମହାମ୍ବା ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହେଲା ମୁକ୍ତି ସଂଗ୍ରାମ । ଓଡ଼ିଶାରେ ମଧ୍ୟ ତାହା ପ୍ରଭାବ ବିସ୍ତାର କଲା । ଉତ୍କଳମଣି ଗୋପବନ୍ଧୁ ଦାସ ନେଲେ ତାହାର ନେତୃତ୍ୱ । ଏହି ସମୟରେ ଜାତୀୟ କବି ବୀରକିଶୋର ଦାସ ଓ ବାଞ୍ଛାନିଧି ମହାନ୍ତି ରଚନା କଲେ ଜାତୀୟ ଉଦ୍ବୋଧନମୂଳକ ଗୀତିକା । ସତ୍ୟବାଦୀ ପର୍ବର ଅବସାନ ନ ଘଟୁଣୁ ଓଡ଼ିଆ ସାହିତ୍ୟରେ ଆରମ୍ଭ ହେଲା ସବୁଜ ଚେତନାର ନୂତନ ପର୍ବ । ଏହି ପର୍ବର ପାଞ୍ଚ ଜଣ ତରୁଣ ଲେଖକ ହେଲେ ଅନ୍ନଦାଶଙ୍କର ରାୟ, କାଳିନ୍ଦୀଚରଣ ପାଣିଗ୍ରାହୀ, ବୈକୁଣ୍ଠନାଥ ପଟ୍ଟନାୟକ, ଶରତଚନ୍ଦ୍ର ମୁଖାର୍ଜୀ ଓ ହରିହର ମହାପାତ୍ର । ଏମାନଙ୍କ ଲେଖାରେ ପ୍ରକାଶ ପାଇଲା ସ୍ୱପ୍ନ,କଳ୍ପନା, ପ୍ରେମ, ଯୌବନ, ପ୍ରକୃତି ଓ ସୌନ୍ଦର୍ଯ୍ୟବୋଧର ନାନା ଭାବ ଓ ଭାବନା । ଏମାନେ ସମକାଳୀନ ସ୍ୱାଧୀନତା ସଂଗ୍ରାମ ତଥା ସତ୍ୟବାଦୀ ଚେତନା ପ୍ରତି ଅନାସକ୍ତ ରହିଲେ । କାଳିନ୍ଦୀଚରଣ ଗଳ୍ପ, କବିତା, ଉପନ୍ୟାସ, ପ୍ରବନ୍ଧ, ସମାଲୋଚନା ଆଦି ରଚନା କଲେ । ୧୯୩୦ ମସିହା ପରବର୍ତ୍ତୀ ସମୟରୁ ତାଙ୍କର ସ୍ରଷ୍ଟା ମାନସ କ୍ରମଶଃ ପ୍ରଗତିବାଦୀ ଭାବଧାରା ପ୍ରତି ଆକୃଷ୍ଟ ହୋଇଛି । ‘ମାଟିର ମଣିଷ’, ‘ଲୁହାର ମଣିଷ’, ‘ଆଜିର ମଣିଷ', 'ମୁକ୍ତାଗଡ଼ର କ୍ଷୁଧା' ଏବଂ ‘ଅମର ଚିତା' ତାଙ୍କର ପ୍ରସିଦ୍ଧ ଉପନ୍ୟାସ । ସେ ମଧ୍ୟ ବହୁ ଗଛର ସ୍ରଷ୍ଟା । ମାନବବାଦୀ ଭାବଧାରା ଓ ଗାନ୍ଧିବାଦ ତାଙ୍କ ଗଳ୍ପ ଓ ଉପନ୍ୟାସର ପ୍ରାଣସତ୍ତା । ତାଙ୍କର କବିତା କ୍ରମଶଃ ସ୍ୱପ୍ନ ଓ କଳ୍ପନାରୁ ପ୍ରଗତିବାଦୀ ଭାବଧାରାକୁ ଗତି କରିଯାଇଛି । ବୈକୁଣ୍ଠନାଥ ଆଜୀବନ କବିତା ଲେଖିଥିଲେ । ‘କାବ୍ୟ ସଞ୍ଚୟନ', ‘ଉତ୍ତରାୟଣ’ ଆଦି ତାଙ୍କର କବିତା ଗ୍ରନ୍ଥ । ଶରତ ଚନ୍ଦ୍ର ଓ ହରିହର ମଧ୍ୟ କେତେକ କବିତା ରଚନା କରିଥିଲେ । ସତ୍ୟବାଦୀ ଆଦର୍ଶରେ ଅନୁପ୍ରାଣିତ ରତ୍ନାକର ପତି ଥିଲେ ଜଣେ ବିଶିଷ୍ଟ ପ୍ରାବନ୍ଧିକ । ତାଙ୍କ ବ୍ୟତୀତ ମୋହିନୀ ମୋହନ ସେନାପତି, ବିପିନ ବିହାରୀ ରାୟ, ବ୍ରଜ ବିହାରୀ ମହାନ୍ତି, କପିଳେଶ୍ୱର ଦାଶ ପ୍ରମୁଖ ପ୍ରବନ୍ଧ ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିଲେ । ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଜଗନ୍ନାଥ ପାଣି ଗୀତାଭିନୟ ଜଗତରେ ଯେଉଁ ଧାରା ସୃଷ୍ଟି କଲେ ସେଥିରେ ପରିବର୍ତ୍ତନ ଆଣି ବୈଷ୍ଣବ ପାଣି, ଗୋପାଳ ଦାଶ, ବାଳକୃଷ୍ଣ ମହାନ୍ତି, କୃଷ୍ଣପ୍ରସାଦ ବସୁ, କୃଷ୍ଣ ପ୍ରସାଦ ବେହେରା ନୂତନ ଚମକ ସୃଷ୍ଟି କଲେ । ଭିକାରୀଚରଣ ପଟ୍ଟନାୟକ, କାମପାଳ ମିଶ୍ର ପ୍ରମୁଖ ନାଟକ ରଚନା କରିଥିଲେ ମଧ୍ୟ ନାଟ୍ୟଭାରତୀ ଅଶ୍ୱିନୀ କୁମାର ଘୋଷ ସ୍ୱାଧୀନତା ଲାଭର ପୂର୍ବ ତିରିଶ ବର୍ଷ କାଳ ନାଟକ ରଚନା କରି ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଥଲେ । ତାଙ୍କ ରଚିତ ‘ କୋଣାର୍କ’, ‘କଳାପାହାଡ', ‘ଗୋବିନ୍ଦ ବିଦ୍ୟାଧର', 'କେଶରୀଗଙ୍ଗ’, ‘ଭୀଷ୍ଟ', 'ସାବିତ୍ରୀ', ' ସାଲବେଗ', 'ବନ୍ଧୁ ମହାନ୍ତି ', ‘ଶ୍ରୀଲୋକନାଥ', 'ତାଜମହଲ’, ‘ପାଇକ ପୁଅ’, ‘ଓଡ଼ିଆ ଝିଅ’, ‘ କପିଳେନ୍ଦ୍ର ଦେବ’, ‘ରଘୁ ଅରକ୍ଷିତ’, ‘ ଦାସିଆ ବାଉରୀ’, ‘ଶ୍ରୀମନ୍ଦିର', ‘ଚଷାଝିଅ’ ଆଦି ନାଟକାବଳୀ ଓଡ଼ିଆ ନାଟ୍ୟ ସାହିତ୍ୟର ମଧ୍ୟପର୍ବରେ ଉଲ୍ଲେଖଯୋଗ୍ୟ ସୃଷ୍ଟି ।
ଭାରତୀୟ ମୁକ୍ତି-ସଂଗ୍ରାମକୁ ଅବଲମ୍ବନ କରି ଜାତୀୟତାର ଭାବ ତରଙ୍ଗ ସମଗ୍ର ଭାରତର ଲେଖକମାନଙ୍କ ହୃଦୟରେ ତରଙ୍ଗାୟିତ ହୋଇ ଉଠିଥିଲା । ଗାନ୍ଧିବାଦ ଥିଲା ସେକାଳର ପ୍ରଧାନ ଆଦର୍ଶ । ୧୯୩୦ ମସିହା ପରେ ମାର୍କସବାଦ ଭାରତବର୍ଷରେ କ୍ରମେ ପ୍ରଭାବ ବିସ୍ତାର କଲା । ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ଭଗବତୀ ଚରଣ ପାଣିଗ୍ରାହୀ ୧୯୩୫ ମସିହା ଡିସେମ୍ବର ମାସରେ ନବଯୁଗ ସାହିତ୍ୟ ସଂସଦ ପ୍ରତିଷ୍ଠା କଲେ ଓ ଏହି ସଂସଦ ଆନୁକୂଲ୍ୟରେ ପ୍ରକାଶ କଲେ ‘ଆଧୁନିକ' ପତ୍ରିକା । ପ୍ରଗତିବାଦୀ ଆଭିମୁଖ୍ୟ ନେଇ ପତ୍ରିକାର ହେଲା ଗତି । ଭଗବତୀ ଚରଣ, ଅନନ୍ତ ପଟ୍ଟନାୟକ, ସୁନନ୍ଦ କର ପ୍ରମୁଖ ଏହି ନବଯୁଗ ସଂସଦର ସଭ୍ୟ ହେଲେ । ମାର୍କସବାଦ ଓ ପ୍ରଗତିବାଦ ଦ୍ୱାରା ଅନୁପ୍ରାଣିତ ହୋଇ ବହୁ ଲେଖକ ସାହିତ୍ୟ ସୃଷ୍ଟି କଲେ । ଭଗବତୀ ଚରଣଙ୍କର ‘ଶିକାର', ‘ହାତୁଡି ଓ ଦା’, ‘ଜୀବନର ସମାଧି', ‘ଜଙ୍ଗଲୀ' ଆଦି ଗଦ୍ୟ ଓ ବିବିଧ ପ୍ରବନ୍ଧ, କାଳିନ୍ଦୀ ଚରଣଙ୍କର ‘ଆଗାମୀ', ‘ଯାଦୁଘର', ‘ମୋ କବିତା' ଆଦି କବିତା ସହିତ ଅନନ୍ତ ପଟ୍ଟନାୟକଙ୍କର ‘ରକ୍ତ ଶିଖା', ‘ଶାନ୍ତି ଶିଖା’, ‘କିଞ୍ଚିତ, ‘ତର୍ପଣ' କରେ ଆଜି' ସଚ୍ଚ଼ିଦାନନ୍ଦ ରାଉତରାୟଙ୍କର ‘ଅଭିଯାନ’, ‘ଭାନୁମତୀର ଦେଶ', ‘ବାଜି ରାଉତ’ ଆଦି କବିତା ପୁସ୍ତକ, ରଘୁନାଥ ଦାସ, ସୁନନ୍ଦ କର ଓ ମନମୋହନ ମିଶ୍ରଙ୍କର କବିତା ଓ ଗଳ୍ପ ପ୍ରଗତିବାଦୀ ପର୍ବର ସମକାଳରେ ମାୟାଧର ମାନସିଂହ, ରାଧାମୋହନ ଗଡନାୟକ ଓ ପରେ ପରେ ବିନୋଦ ଚନ୍ଦ୍ର ନାୟକ, କୁଂଜବିହାରୀ ଦାଶ ପ୍ରମୁଖ କବିତା ରଚନା କଲେ । ମାନସିଂହଙ୍କ କବିତା ପ୍ରେମ, ପ୍ରଣୟ, ସୌନ୍ଦର୍ଯ୍ୟବୋଧ, ଜାତୀୟତାବୋଧ ଓ ମାନବ-ବନ୍ଦନାର ମାର୍ମିକ ଆଲେଖ୍ୟ । ରାଧାମୋହନ ଗଡ଼ନାୟକ ଜଣେ ବିଶିଷ୍ଟ ଗାଥା କବି । ତାଙ୍କ କବିତାରେ ମଧ୍ୟ ଜାତୀୟତାବୋଧ ଓ ମାନବ-ବନ୍ଦନା ମୁଖ୍ୟ ସ୍ଥାନ ଗ୍ରହଣ କରିଅଛି । ସଚ୍ଚ଼ିଦାନନ୍ଦ ରାଉତରାୟ ଓ କୃଷ୍ଣଚନ୍ଦ୍ର ତ୍ରିପାଠୀ ମଧ୍ୟ ସ୍ୱାଧୀନତାର ବହୁ ପୂର୍ବରୁ କବିତା ଲେଖିଆସୁଥିଲେ । ସ୍ୱାଧୀନତା ପରେ ମଧ୍ୟ ସେମାନେ କବିତା ଲେଖିଛନ୍ତି । ସଚ୍ଚିଦାନନ୍ଦ ପ୍ରଗତିବାଦୀ କବିତା ରଚନାରୁ ଗତି କଲେ ପ୍ରୟୋଗବାଦୀ କବିତା ରଚନା କ୍ଷେତ୍ରକୁ । ‘ପଲ୍ଲୀଶ୍ରୀ’, ‘ଅଭିଯାନ’, ‘ଭାନୁମତୀର ଦେଶ', ‘ବାଜିରାଉତ’, ‘ପାଣ୍ଡୁଲିପି' ଆଦି ସ୍ୱାଧୀନତା ପୂର୍ବବର୍ତ୍ତୀ କବିତା ପୁସ୍ତକ । ସ୍ୱାଧୀନତା ପୂର୍ବରୁ କାହ୍ନୁଚରଣ ମହାନ୍ତି ଜଣେ ବିଶିଷ୍ଟ ଔପନ୍ୟାସିକ ଭାବରେ ଆବିର୍ଭୂତ ହେଇ ରଚନା କଲେ - ବାଲି ରାଜା', ‘ହା'ଅନ୍ନ', ‘ପଳାତକ', ‘ଶାସ୍ତି' ଆଦି ଉପନ୍ୟାସ । ସ୍ୱାଧୀନତା ପରେ ମଧ୍ୟ ସେ ପ୍ରକାଶ କଲେ । ‘ଝଞ୍ଜା', ‘ବକ୍ରବାହୁ', ‘ତମସା ତୀରେ', ‘ଛୁଟିଲେ ଘଟ', ‘ମେଲାଣି ମାଗୁଣି’ ଆଦି ଉପନ୍ୟାସ । ସ୍ୱାଧୀନତା ପୂର୍ବରୁ ରାଜକିଶୋର ରାୟ, ରାଜକିଶୋର ପଟ୍ଟନାୟକ, ପ୍ରାଣବନ୍ଧୁ କର ମଧ୍ୟ ଗଦ୍ୟ ରଚନା କରିଥଲେ । ସ୍ୱାଧୀନତା ପରେ ମଧ୍ୟ ସେମାନେ ଗଦ୍ୟ ରଚନା କରିଛନ୍ତି । ରାଜକିଶୋର ପଟ୍ଟନାୟକ ଜଣେ ଗାଳ୍ପିକ ଓ ଔପନ୍ୟାସିକ ଭାବରେ ପରିଚିତ । ଅନନ୍ତ ପ୍ରସାଦ ପଣ୍ଡା, ରାମ ପ୍ରସାଦ ସିଂହ, ଚକ୍ରଧର ମହାପାତ୍ର, ରାମଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଆହୁରି କେତେ ଜଣ ଗଦ୍ୟ ଓ ଉପନ୍ୟାସ ଲେଖି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିଲେ । ସ୍ୱାଧୀନତା ଲାଭ ପରେ ଓଡ଼ିଆ ସାହିତ୍ୟରେ ପାଶ୍ଚାତ୍ୟ ସଂକ୍ରମଣ ଫଳରେ ଅତ୍ୟାଧୁନିକ ଯୁଗର ହେଲା ଉନ୍ମେଷ । ଏହି ସମୟରେ ସମାଜ ଅପେକ୍ଷା ବ୍ୟକ୍ତି- ମଣିଷଟି ପ୍ରାଧାନ୍ୟ ଲାଭ କଲା । ସଚ୍ଚିଦାନନ୍ଦ ରାଉତରାୟ ‘ପାଣ୍ଡୁଲିପି’ରେ ଆଧୁନିକ ଚେତନାର ଯେଉଁ ରୂପ ଅଙ୍କନ କରିଥିଲେ ତାହା ସ୍ୱାଧୀନତା ପରବର୍ତ୍ତୀ କାଳରେ ନୂତନ ରୂପରେ ଗୁରୁପ୍ରସାଦ ମହାନ୍ତି, ବେଣୁଧର ରାଉତ, ଚିନ୍ତାମଣି ବେହେରା, କୃଷ୍ଣଚରଣ ବେହେରା, ରମାକାନ୍ତ ରଥ, ସୀତାକାନ୍ତ ମହାପାତ୍ର, ରାଜେନ୍ଦ୍ର କିଶୋର ପଣ୍ଡା, ଦୀପକ ମିଶ୍ର, ହରିହର ମିଶ୍ର, କମଳାକାନ୍ତ ଲେଙ୍କା, ପ୍ରତିଭା ଶତପଥୀ ପ୍ରମୁଖଙ୍କ କବିତାରେ ପ୍ରକାଶ ପାଇଲା । ଅପରପକ୍ଷରେ ପ୍ରଗତିବାଦୀ ଆଭିମୁଖ୍ୟକୁ ନେଇ ଅନନ୍ତ ପଟ୍ଟନାୟକ, ରବି ସିଂହ, ବ୍ରଜନାଥ ରଥ, ରଘୁନାଥ ଦାସ ପ୍ରମୁଖ ରଚନା କଲେ କବିତା ।
ସ୍ୱାଧୀନତା ପୂର୍ବରୁ ଗୋପୀନାଥ ମହାନ୍ତି ରମ୍ୟ ରଚନା ଓ ଉପନ୍ୟାସ ଲେଖି ଆସୁଥିଲେ । ଆଦିବାସୀ ଜୀବନଧାରାକୁ ନେଇ ଓଡ଼ିଆ ସାହିତ୍ୟରେ ପ୍ରଥମେ ଗୋପାଳବଲ୍ଲଭ ଦାସ ରଚନା କରିଥିଲେ ‘ଭୀମା, ଭୂୟାଁ” ଉପନ୍ୟାସ । ଗୋପୀନାଥ ମହାନ୍ତି ସେହି ଧାରାରେ ଆପଣାର ଦକ୍ଷତା ପ୍ରଦର୍ଶନ କଲେ । ତାଙ୍କର ‘ଦାଦିବୁଢ଼ା’, ‘ପରଜା', "ଅମୃତର ସନ୍ତାନ’, ‘ଶିବଭାଇ', ‘ଅପହଞ୍ଚ', ‘ଅନାମ' ଆଦି ଆଦିବାସୀ ଜୀବନଧାରାକୁ ନେଇ ରଚିତ ଉପନ୍ୟାସ । ଏହା ବ୍ୟତୀତ ‘ହରିଜନ' ‘ ରାହୁର ଛାୟା’, ‘ଦାନାପାଣି’, ‘ମାଟିମଟାଳ’, ‘ଆକାଶ ସୁନ୍ଦରୀ’, ବୁନ୍ଦାଏ ପାଣି, ଆଦି ତାଙ୍କର ଉପନ୍ୟାସ ଓ ‘ଘାସ ଫୁଲ’, ‘ଗୁପ୍ତଗଙ୍ଗା’ ଆଦି ତାଙ୍କର ଗଳ୍ପ ପୁସ୍ତକ ।
ସୁରେନ୍ଦ୍ର ମହାନ୍ତି ମଧ୍ୟ ସ୍ୱାଧୀନତା ପୂର୍ବରୁ ଗଳ୍ପ ଓ ଉପନ୍ୟାସ ରଚନା କରିଥିଲେ ଓ ସ୍ୱାଧୀନତା ପରେ ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ଲେଖା ଚାଲିଥିଲେ । ‘ବଧୁ ଓ ପ୍ରିୟା' ‘ଅନ୍ଧ ଦିଗନ୍ତ', ‘ନୀଳଶୈଳ’, ‘ନୀଳାଦ୍ରି ବିଜୟ', ‘କୃଷ୍ଣାବେଣୀରେ ସଂଧ୍ୟା’, ‘କାଳାନ୍ତର', ‘ସବୁଜ ପତ୍ର ଓ ଧୁସର ଗୋଲାପ', ‘ମରାଳର ମୃତ୍ୟୁ', ‘ମହାନିର୍ବାଣ’, ‘ମହାନଗରୀରେ ରାତ୍ରି', ‘ଓଃ କାଲକାଟା', ‘ଦୁଇ ସୀମାନ୍ତ', ‘କବି ଓ ନର୍ତ୍ତକୀ’, ‘ ରାଜଧାନୀ ଓ ଅନ୍ୟାନ୍ୟ ଗଦ୍ୟ’, ‘ଯଦୁବଂଶ ଓ ଅନ୍ୟାନ୍ୟ ଗଦ୍ୟ' ଆଦି ତାଙ୍କର ଗଳ୍ପ ପୁସ୍ତକ । ସେ ମଧ୍ୟ ଜଣେ ସମାଲୋଚକ, ପ୍ରାବନ୍ଧିକ, ଆତ୍ମ କାହାଣୀ ଓ ଭ୍ରମଣକାହାଣୀ ଲେଖକ ଭାବରେ ସୁପରିଚିତ । ସ୍ୱାଧୀନତା ପରେ ଅନ୍ୟାନ୍ୟ କଥାକାରମାନଙ୍କ ମଧ୍ୟରେ ବାମାଚରଣ ମିତ୍ର, କିଶୋରୀ ଚରଣ ଦାସ, ମନୋଜ ଦାସ, କୃଷ୍ଣ ପ୍ରସାଦ ମିଶ୍ର, ମହାପାତ୍ର ନୀଳମଣି ସାହୁ, ଶାନ୍ତନୁ ଆଚାର୍ଯ୍ୟ, ବସନ୍ତ କୁମାରୀ ପଟ୍ଟନାୟକ, ବସନ୍ତ କୁମାର ଶତପଥୀ, ଗୋବିନ୍ଦ ଦାସ, ଚନ୍ଦ୍ରଶେଖର ରଥ, ରବି ପଟ୍ଟନାୟକ, ବୀଣାପାଣି ମହାନ୍ତି, ରାମଚନ୍ଦ୍ର ବେହେରା, ବିଭୂତି ପଟ୍ଟନାୟକ ଓ ପ୍ରତିଭା ରାୟ ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ । ସ୍ୱାଧୀନତା ପରବର୍ତ୍ତୀ କାଳରେ ଭୁବନେଶ୍ୱର ବେହେରା ଜଣେ ଉଚ୍ଚକୋଟୀର ରମ୍ୟରଚକ, ଗାଳ୍ପିକ ଓ ଭ୍ରମଣ କାହାଣୀ ଲେଖକ ଭାବରେ ଆପଣାର ଦକ୍ଷତା ପ୍ରଦର୍ଶନ କରିଅଛନ୍ତି । ସ୍ୱାଧୀନତା ପୂର୍ବରୁ ଉପନ୍ୟାସ ଓ କବିତା ରଚନା କରି ଯଶସ୍ୱୀ ହୋଇଥିବା ହରେକୃଷ୍ଣ ମହତାବ ସ୍ୱାଧୀନତା ପରେ ନିରବଚ୍ଛିିନ୍ନ ଭାବରେ କବିତା, ଗଳ୍ପ, ଉପନ୍ୟାସ ଓ ରମ୍ୟରଚନା ଲେଖିଛନ୍ତି । ‘ଝଙ୍କାର' ପତ୍ରିକା ମାଧମରେ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟର ନବ ନିର୍ମାଣ କ୍ଷେତ୍ରରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ।
ଅରଙ୍ଗାବାଦ, ବରୀ, ଯାଜପୁର
ମୋବାଇଲ - ୯୯୩୮୯୦୬୦୭୦