ଅନ୍ଧାରରେ ପଞ୍ଚବାହାଲି ଗାଁ

 ଗାଁକୁ ଯେବେ ବିଦ୍ୟୁତ୍‌ ସଂଯୋଗ ହେଲା ଗ୍ରାମବାସୀଙ୍କ ମନରେ ଏକ ଖୁସିର ଲହରୀ ଖେଳି ଯାଇଥିଲା । ହେଲେ ବିଦ୍ୟୁତ୍‌ ସଂଯୋଗର ମାତ୍ର ୬ମାସ ପରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଅଚଳ ହୋଇପଡିଛି । ହେଲେ ଏବେ ଯାଏଁ ଅଚଳ ହୋଇ ପଡ଼ିଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ମରାମତି କରାଯାଇଛି ନା ନୂତନ ଟ୍ରାନ୍ସଫର୍ମର ଦିଆଯାଇଛି  । ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଅଚଳ ହୋଇ ଦୀର୍ଘ ୩ବର୍ଷ ବିତି ଗଲାଣି ହେଲେ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ନାଁରେ ହଜାର ହଜାର ଟଙ୍କା ବିଲ୍‌ ଆସୁଥିବା ମଧ୍ୟ ଅଭିଯୋଗ ହେଉଛି । ଏପରି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସୀମାନ୍ତ ସଦର ବ୍ଲକ ଅନ୍ତର୍ଗତ ଯୁଗସାଇପାଟଣା ପଞ୍ଚାୟତର ପଞ୍ଚବାହାଲି ଗାଁରୁ ।

  • ୩ ବର୍ଷ ହେବ ଅଚଳ ପଡିଛି ଟ୍ରାନ୍ସଫର୍ମର
  • ଉପଭୋକ୍ତାଙ୍କ ନାଁରେ ଆସୁଛି ବିଲ୍‌ 
  • ବିଦ୍ୟୁତ୍‌ ବିଭାଗର ନିଘାନାହିଁ
  • ବଢୁଛି ଜନଅସନ୍ତୋଷ 

    ପ୍ରକାଶ ଯେ, ପଞ୍ଚବାହାଲି ଗାଁରେ ୨୫ ଘର ଆଦିବାସୀ ତଥା କୁଟିଆ କନ୍ଧ ସମ୍ପ୍ରଦାୟର ଲୋକେ ଦୀର୍ଘ ବର୍ଷ ଧରି ବସବାସ କରି ଆସୁଥିବାବେଳେ ମାତ୍ର ୧୪ଘରକୁ ବିଦ୍ୟୁତ୍‌ ସଂଯୋଗ ହୋଇଛି । ହେଲେ ଉକ୍ତ ୧୪ଘରେ ବିଦ୍ୟୁତ୍‌ ସଂଯୋଗ ହୋଇଥିବାବେଳେ ବିଦ୍ୟୁତ୍‌ ସଂଯୋଗର ମାତ୍ର ୬ମାସ ଉପଭୋକ୍ତାମାନେ ବିଦ୍ୟୁତ୍‌ ବ୍ୟବହାର କଲା ପରେ ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇ ଆଜକୁ ୩ବର୍ଷରୁ ଊର୍ଦ୍ଧ୍ୱ ଦିନ ହେଲା ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ । କିନ୍ତୁ ୧୪ଘର ପାଇଁ ହଜାର ହଜାର ଟଙ୍କା ବିଲ ଆସୁଥିବାରୁ ଉପଭୋକ୍ତା ଅସନ୍ତୋଷ ପ୍ରକାଶ କରିଛନ୍ତି । ୬ମାସ  ବିଦ୍ୟୁତ୍‌ ବ୍ୟବହାରରେ କେମିତି ହଜାର ହଜାର ଟଙ୍କାର ବିଲ୍‌ ଆସୁଛି ବୋଲି ଉପଭୋକ୍ତାମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବିଚ୍ଛିନ୍ନ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସଂଯୋଗ କରିବା ପାଇଁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ଏବେ ଯାଏଁ ବିଦ୍ୟୁତ୍‌ ବିଭାଗର ଏଥିପ୍ରତି ଦୃଷ୍ଟି ପଡୁନାହିଁ । ଯାହା ଫଳରେ ୩ବର୍ଷ ଧରି ଅନ୍ଧାରରେ ଜୀବନ ବିତାଉଛନ୍ତି ୨୫ ପରିବାର । ଏପଟେ ସନ୍ଧ୍ୟା ହେଲେ ଜଙ୍ଗଲୀ ହାତୀର ଭୟ । ଏହି ଗାଁ ଘଞ୍ଚ ଜଙ୍ଗଲ ମଧ୍ୟରେ ରହି ଥିବାବେଳେ ଏହି ଗାଁ ଦେଇ ଅନେକ ସମୟରେ ହାତୀ ପଲ ଯିବା ଆସିବା କରିଥାଆନ୍ତି । ଯେତେବେଳେ ଗାଁ ଭିତରକୁ ହାତୀ ପଲ ଆସିବା ଜାଣନ୍ତି ସେତେବେଳେ ଭୟରେ ଗ୍ରାମବାସୀ ଏକତ୍ରିତ ହୋଇ ଗାଁ ମୁଣ୍ଡରେ ନିଆଁ ଜାଳି ଜଗି ବସିବାକୁ ପଡିଥାଏ । ଗାଁରେ ବିଦ୍ୟୁତ୍‌ ନ ଥିବା ଯୋଗୁଁ ଏପରି ଜଟିଳ ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ୁଛି ଗ୍ରାମବାସୀମାନଙ୍କୁ । ତେଣୁ  ପଞ୍ଚବାହାଲି ଗାଁକୁ ବିଦ୍ୟୁତ ସଂଯୋଗ କରିବା ପାଇଁ  ସାନ ମାଝୀ, ମଙ୍ଗଳୁ ମାଝୀ, ମନ ମାଝୀ, ଶିବ ମାଝୀ, ଦାନ ମାଝୀ, ଅଦଗ ମାଝୀ,ପୁଲୁ ମାଝୀ, ବେହେରୁ ମାଝୀ, ଡମେ ମାଝୀ, ଦାସନା ମାଝୀ ସମେତ ଗ୍ରାମବାସୀ ଦାବି କରିଛନ୍ତି ।