ଗୋଚର ଜମି ଜବରଦଖଲ, ଉଚ୍ଛେଦ ଦାବି
ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବଡ଼ଚେରଗାଁ ପଞ୍ଚାୟତ ଗର୍ଗାବ ଗ୍ରାମର ଗୋଚର ଜମି ଜବରଦଖଲ ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ଉକ୍ତ ଗ୍ରାମର ତ୍ରିଲୋଚନ ସାହୁ, ଅର୍ଜୁନ ବାଗ, ଲତା ମାଝୀ, ବିବଛ ନାଗ, ତରୁ ନାଗ, ସାଏବନି ମାଝୀ, ବ୍ରଜବନ୍ଧୁ ପଣ୍ଡା ଗୋଚର ଜମି ଜବରଦଖଲ କରିଥିବା ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି ।
ଏ ନେଇ ଗ୍ରାମବାସୀ ଗତ ମଇ ୨୭ ତାରିଖରେ ଗୋଲାମୁଣ୍ଡା ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ସଚିନ ପାୱାର ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାଏକଙ୍କୁ ଏହାର ତଦନ୍ତ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଗତ ଜୁନ ୧୦ ତାରିଖରେ ପତ୍ର ସଂଖ୍ୟା ୩୦୫୯/୨୫ ଅନୁଯାୟୀ ଗୋଲାମୁଣ୍ଡା ତହସିଲଦାରଙ୍କୁ ଚିଠି କରିଥିଲେ । ତହସିଲଦାର ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ତଦନ୍ତ ପାଇଁ ଅନୁମତି ଦେଇଥିଲେ । ହେଲେ ଯେଉଁ ୭ଜଣ ଜବରଦଖଲ କରିଥିଲେ ସେମାନଙ୍କ ପାଖକୁ ଗଲା ବେଳେକୁ ଉତ୍ତେଜନା ଲାଗିରହିଥିଲା । ଯାହାକୁ ନେଇ ସେଠାରୁ ରାଜସ୍ୱ ନିରୀକ୍ଷକ ଫେରି ଆସିଥିଲେ ବୋଲି ଲୋକେ କହିଛନ୍ତି । ଜବରଦଖଲକାରୀମାନେ ଗ୍ରାମର କେତେଜଣ ମୁଖ୍ୟଙ୍କୁ କେଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ଗ୍ରାମବାସୀଙ୍କ ପକ୍ଷରୁ ମଧ୍ୟ ଥାନାରେ ଲିଖିତ କରାଯାଇଛି । ଗ୍ରାମବାସୀଙ୍କୁ ପୁଲିସ ତହସିଲଦାର ପାଖକୁ ଯିବାକୁ କହିଥିଲେ । ସେହି ଦିନ ହିଁ ତହସିଲଦାର ପାଖକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ଅନେକ ଆଲୋଚନା ହୋଇଥିଲା । ଆଜି ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାଏକ ଉକ୍ତ ସ୍ଥାନକୁ ଯାଇ ତଦନ୍ତ କରିଥିଲେ । ତଦନ୍ତ ସମୟରେ ଜବରଦଖଲକାରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ତହସିଲଦାର ଜବରଦଖଲକାରୀଙ୍କୁ ଚାଷ ନ କରିବାକୁ ନିଦେ୍ର୍ଦଶ ଦେବା ସଙ୍ଗେ ପଟ୍ଟା ଯେଉଁଦିନ ହେବ, ସେହି ଦିନଠୁ ଏ ଜମି ଉପରେ ଚାଷ କରିବେ ବୋଲି ରୋକ୍ଠୋକ୍ ଶୁଣାଇ ଦେଇଥିଲେ ବୋଲି ଗ୍ରାମବାସୀ ପକ୍ଷରୁ କୁହାଯାଇଛି ।