ଅବ୍ୟବସ୍ଥା ଘେରରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

 ନୂଆପଡ଼ା: ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବୋଡ଼େନ ଗୋଷ୍ଠୀ ଶିକ୍ଷା  କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ  ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରେମସିଲା ନାଗ, ସମ୍ମାନିତ ଅତିଥି ଭାବରେ ଡିଏସଏସଓ ଅନନ୍ତ ରାମ ହେମ୍ରମ, ବିଡିଓ ସୁଶାନ୍ତ କୁମାର ରଣା, ବିଇଓ ରୁଦ୍ରେଶ୍ୱର ମେହେର, ସିଡିପିଓ  ଅର୍ଚ୍ଚନା ରାଉତ, ଜିଲ୍ଲା ଭିନ୍ନକ୍ଷମ ସମିତି ସଭାପତି ଅଚୁ୍ୟତା ନନ୍ଦ ସୁନାନି, ସମ୍ପାଦକ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ବୋଡ଼େନ ବିଏସଏସଓ କୁମର ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । ଅନୁଷ୍ଠିତ ଶିବିରଟି ବ୍ଲକ ପ୍ରଶାସନର ସଚେତନତା ଅଭାବରୁ କମ ସଂଖ୍ୟାରେ ଭିନ୍ନକ୍ଷମଙ୍କ ଉପସ୍ଥିତି ହୋଇଥିବାରୁ ଶିବିରଟି ଖାଲି ଖାଲି ଜଣାପଡ଼ୁଥିବା ଅଭିଯୋଗ ହୋଇଥିବାବେଳେ ଅବ୍ୟବସ୍ଥା ଘେରରେ ଶିବିରଟି ଶେଷ ହୋଇଥିବା ଅନୁମେୟ କରାଯାଇଥିଲା । ଶିବିରରେ ୨୧୩ ଜଣ ଭିନ୍ନକ୍ଷମଙ୍କ ନାମ ପଞ୍ଜିକୃତ ହୋଇ ଅସ୍ଥିଶଲ୍ୟରୁ ୯୦, ଶ୍ରାବଣ ବାଧିତରୁ ୨୭, ଚକ୍ଷୁବାଧିତ ୯, ମାନସିକ ଅନଗ୍ରସର ୩୮, ରକ୍ତହୀନତା ୧୧, ଦୀର୍ଘକାଳୀନ ସ୍ନାୟୁଜାତ ରୋଗ ୮, ବସ ପାସ୍ ୨୭, ଡିଆରଆଇ ଲୋନ୍ ୧ , ପେନସନ ୧ ଓ ବାଣିଶ୍ରୀ ୧ ବିଭାଗରେ ପଞ୍ଜୀକୃତ କରାଯାଇଥିଲା । ବିଭାଗ ଅନୁଯାୟୀ ଡାକ୍ଟରମାନେ ଉପସ୍ଥିତ ରହି ପଞ୍ଜୀକୃତ ଭିନ୍ନକ୍ଷମମାନଙ୍କୁ ପରୀକ୍ଷା କରିଥିଲେ । ଅନୁଷ୍ଠିତ  କାର୍ଯ୍ୟକ୍ରମକୁ ବ୍ଲକର ସମସ୍ତ  ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିବାବେଳେ ଜୁନିୟର ଆସିଷ୍ଟାଣ୍ଟ ହିତେଶ କୁମାର ଆଡବାହି ଓ ଚିତ୍ତରଞ୍ଜନ ଦଣ୍ଡସେନାଙ୍କ ସହିତ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜର ଅଧ୍ୟାପକ କିଶୋର କୁମାର କର୍ଣ୍ଣଙ୍କ ସହ ଜାତୀୟ ସେବା ସଂସ୍ଥାର ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ ପୂର୍ବକ ପୂର୍ଣ୍ଣ ସହଯୋଗ କରିଥିଲେ ।