ସଡ଼କ ନିର୍ମାଣରେ ବ୍ୟବହାର ହେବ ଟେରାଜାଇମ
ଭୁବନେଶ୍ୱର : ବିଭିନ୍ନ ପ୍ରକାର ବିକାଶ ମୂଳକ ନିର୍ମାଣ କାର୍ଯ୍ୟ ସମୟରେ ପରିବେଶ ଉପରେ ଏହାର କ'ଣ କୁପ୍ରଭାବ ପଡୁଛି ସେ ବିଷୟରେ ଅନେକ ସମୟରେ ଚିନ୍ତା କରାଯାଉ ନାହଁ ଓ ଯାହା ଫଳରେ ପରବର୍ତ୍ତୀ ସମୟରେ ଏହାର କୁପରିଣାମ ସମଗ୍ର ଜୀବଜଗକୁ ଭୋଗିବାକୁ ପଡୁଛି । ତେଣୁ ପରିବେଶ ଅନୁକୂଳ ନିର୍ମାଣ ଉପରେ ଗୁରୁତ୍ୱ ଦେବାକୁ ପଡିବ ଓ ଏହି କ୍ରମରେ ଅଭିନବ ଜୈବ-ଏନଜାଇମାଟିକ୍ ମାଟି ସ୍ଥିରକାରୀ ଟେରାଜାଇମ୍କୁ ବ୍ୟବହାର କରି କିଭଳି ଦୀର୍ଘସ୍ଥାୟୀ ତଥା ପରିବେଶ ଅନୁକୂଳ ସଡକ ନିର୍ମାଣ କରାଯାଇ ପାରିବ ସେଥି ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ସଡ଼କ ନିର୍ମାଣରେ ଟେରାଜାଇମ୍ ବ୍ୟବହାର, ଏହାର ନିର୍ମାଣ ଖର୍ଚ୍ଚ, ସ୍ଥାୟିତ୍ୱ ଏବଂ ପରିବେଶ ବାତାନୁକୁଳତା ବିଷୟରେ ଆଲୋଚନା ହୋଇଥିଲା । ଟେରାଜାଇମ୍ ହେଉଛି ଉଦ୍ଭିଦ ନିଷ୍କାସନରୁ ତିଆରି ଏକ ପ୍ରାକୃତିକ, ଅଣ-ବିଷାକ୍ତ ଏବଂ ଜୈବିକ ତରଳ ପଦାର୍ଥ । ପ୍ରାକୃତିକ ଉପାୟରେ ପ୍ରସ୍ତୁତ ଏହି ବାୟୋ–ଏନଜାଇମାଟିକ୍ ସଏଲ୍ ଷ୍ଟାବିଲାଇଜର୍ ଦ୍ୱାରା ସଡ଼କ ନିର୍ମାଣକୁ ଅଧିକ ମଜଭୁତ ଓ ଦୀର୍ଘସ୍ଥାୟୀ କରାଯାଇ ପାରିବ ଓ ଏଥିସହିତ ଟେରାଜାଇମ୍ ବ୍ୟବହାର କରି ସ୍ଥାନୀୟ ମାଟିର ଗୁଣମାନ ବୃଦ୍ଧି କରାଯାଇପାରିବ । ଫଳରେ ପଥର, ଗୋଡି, ସିମେଣ୍ଟ ଏବଂ ପିଚୁ ଆଦିରୁ ନିର୍ମାଣ ହେଉଥିବା ରାସ୍ତା ତୁଳନାରେ ଏହାର ନିର୍ମାଣ ଖର୍ଚ୍ଚ ଯଥେଷ୍ଟ କମ ହୋଇପାରିବ ଓ ଏହା ପରିବେଶ ଅନୁକୂଳ ହୋଇଥିବାରୁ ଅତ୍ୟଧିକ ତାପ ଓ ଅଙ୍ଗାରକାମ୍ଳ ନିଗମନକୁ କମ କରିବା ସହିତ ଅତ୍ୟଧିକ ଧୂଳିକୁ ପ୍ରତିହତ କରିପାରିବ ଓ ଏହି ରାସ୍ତା ବିଶେଷ କରି ଜଙ୍ଗଲ ତଥା ଜୈବ ବିବିଧତା ଅଞ୍ଚଳ ଲାଗି ବେଶ ଉପଯୋଗୀ ହେବା ସହିତ ଅନ୍ୟ ଅଞ୍ଚଳରେ ମଧ୍ୟ ବେଶ ଗ୍ରହଣୀୟ ହୋଇପାରିବ ବୋଲି ବୈଠକରେ ଉପସ୍ଥାପନ ହୋଇଥିଲା ।
ଜଙ୍ଗଲ ତଥା ଜୈବ ବିବିଧତା ଅଞ୍ଚଳରେ ଏହି ଟେରାଜାଇମ ବ୍ୟବହାର ଓ ରାସ୍ତା ନିର୍ମାଣ ନେଇ କ'ଣ କରାଯାଇ ପାରିବ ସେଥିନେଇ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କ ନିକଟରେ ଦାଖଲ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପୂର୍ତ୍ତ ବିଭାଗ ତଥା ଓବିସିସିର ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।