ଅମିତଙ୍କୁ ହରାଇଲେ ହର୍ମନପ୍ରୀତ୍: ସୁଟ୍ଆଉଟ୍ରେ ବାଜିମାରିଲା ସୁର୍ମା ହକି କ୍ଲବ୍

 ଭୁବନେଶ୍ୱର: ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ରବିବାର ହକି ଇଣ୍ଡିଆ ଲିଗ୍ର ଦୁଇଟି ମ୍ୟାଚ୍ ଖେଳାଯାଇଛି । ପ୍ରଥମ ମ୍ୟାଚ୍ରେ ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସ ୩-୨ ଗୋଲରେ ହାଇଦ୍ରାବାଦ ତୁଫାନ୍ସକୁ ପରାସ୍ତ କରିଥିବାବେଳେ ଦ୍ୱିତୀୟ ମ୍ୟାଚ୍ରେ ସୁର୍ମା ହକି କ୍ଲବ୍ ସୁଟ୍ଆଉଟ୍ରେ ୪-୧ ଗୋଲରେ ତାମିଲନାଡୁ ଡ୍ରାଗନ୍ସକୁ ପରାସ୍ତ କରିଛି । ସୁର୍ମା ହକି କ୍ଲବ ଓ ତାମିଲନାଡୁ ଡ୍ରାଗନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଘନଘନ ଆକ୍ରମଣ ପ୍ରତିଆକ୍ରମଣସତ୍ତ୍ୱେ ପ୍ରଥମ ତିନି କ୍ୱାର୍ଟର ଗୋଲ୍ଶୂନ୍ୟ ରହିଥିଲା । ଚତୁର୍ଥ କ୍ୱାର୍ଟର କିନ୍ତୁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା । ତାମିଲନାଡୁର ନାଥନ ଏଫ୍ରାମ୍ସ ୪୯ତମ ମିନିଟ୍ରେ ଏକ ପେନାଲ୍ଟି କର୍ଣ୍ଣର୍କୁ ଗୋଲ୍ରେ ପରିବର୍ତ୍ତନକରି ବହୁପ୍ରତିକ୍ଷୀତ ଆଗୁଆ କରିଥିଲେ ।
ତେବେ ୫୪ତମ ମିନିଟ୍ରେ ସୁର୍ମା ହକି କ୍ଲବର ଗୁର୍ଜନ୍ତ ସିଂହ ଗୋଲ୍ ପରିଶୋଧ କରିଥିଲେ । ଶେଷସୁଦ୍ଧା ଆଉ କେହି କାହାରିକୁ ଗୋଲ୍ ଦେଇନ ପାରିବାରୁ ମ୍ୟାଚ୍ ଅମୀମାଂସିତ ରହିଥିଲା । ଫଳରେ ପେନାଲ୍ଟି ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା । ଏଥିରେ କିନ୍ତୁ ସୁର୍ମା ବାଜି ମାରି ନେଇଥିଲା । ପ୍ରଥମ ମ୍ୟାଚ୍ର ବିଜେତା ବେଙ୍ଗଲ ଟାଇଗର୍ସର ଯୁଗରାଜ ସିଂହ (୯), ଶୁଖଜିତ ସିଂହ (୨୦) ଓ ଆଫାନ ୟୁସୁଫ (୩୬) ଗୋଟିଏ ଲେଖାଏ ଗୋଲ୍ ଦେଇଥିବାବେଳେ ହାଇଦ୍ରାବାଦ ତୁଫାନ୍ସର ଟିମୋଥୀ ଡାନିଏଲ (୪୧) ଓ ଆର୍ଥର ଡି’ ସ୍ଲୁଭର (୫୯) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ ମଧ୍ୟ ମ୍ୟାଚ୍ ରକ୍ଷା କରି ପାରିନଥିଲେ ।